ପୃଷ୍ଠା:ShreeJagannath.pdf/୨୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମରହଟ୍ଟାମାନେ ଜଗନ୍ନାଥ ମନ୍ଦିର ଉଦ୍ଦେଶ୍ୟରେ କିଛି ଜମି ଦେଇଥିଲେ, ଯେଉଁଥିରୁ କି ୨୭୦୦୦ ଟଙ୍କା ରାଜସ୍ବ ଆଦାୟ ହେଉଥିଲା । କାଳକ୍ରମେ ଏହି ମାହାଲ ସତେଇଶି ହଜାରୀ ମାହାଲ ନାମରେ ନାମିତ ହେଲା । ଇଂରେଜ ସରକାର ୧୮୪୩ ମସିହାରେ ୯୦ଟି ଗ୍ରାମବିଶିଷ୍ଟ ଏହି ମାହାଲ ମନ୍ଦିର ତବଧାରକ ରାଜାଙ୍କ ନାମରେ ହସ୍ତାନ୍ତର କରିଥିଲେ । (ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି (ପ୍ରବନ୍ଧ)- ଶରତଚନ୍ଦ୍ର ମହାପାତ୍ର । 'ଶ୍ରୀଜଗନ୍ନାଥ ପରିକ୍ରମା', ଭାରତ ଭାରତୀ, କଟକ, ୧୯୯୧)।

ବୀରକେଶରୀ ଦେବ (୨ୟ) (ଖ୍ରୀ:୧୮୫୪/୫୫ - ୧୮୫୯)

ରାମଚନ୍ଦ୍ର ଦେବ୩ୟ)ଙ୍କ ଦେହାନ୍ତ ପରେ ବୀରକେଶରୀ ଦେବ(୨ୟ) ପୁରୀ ରାଜା ତଥା ଶ୍ରୀମନ୍ଦିର ସୁପରିଟେଣ୍ଡେଣ୍ଟ ହେଲେ । ତାଙ୍କର ଅନ୍ୟ ନାମ ବୀରକିଶୋର ଦେବ ଥିଲା । ଡିସେମ୍ବର ୧୮୫୯ ରେ ତାଙ୍କର ଅକାଳ ବିୟୋଗ ହେଲା । ସେ ନିଃସନ୍ତାନ ଥୁବାରୁ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଗଞ୍ଜାମର ବଡ଼ ଖେମୁଣ୍ଡି ରାଜାଙ୍କ ଚାରି ବର୍ଷ ମତାନ୍ତରେ ପାଞ୍ଚ ବର୍ଷ ବୟସର ପ୍ରଥମ ପୁତ୍ର (ମତାନ୍ତରେ ଦ୍ବିତୀୟ ପୁତ୍ର)କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ । ଏକ ଉଇଲ ଓ ସିଭିଲ କୋର୍ଟର ସାର୍ଟିଫିକେଟ୍ ବଳରେ (Act - Xl of 1858 ଅନୁଯାୟୀ) ରାଣୀ ସୂର୍ଯ୍ୟମଣି ପାଟ ମହାଦେଶ ନାବାଳକ ପୁତ୍ରର ଅଭିଭାବକ ଓ ଇଷ୍ଟେଟର ପରିଚାଳକ ଭାବରେ କ୍ଷମତା ପ୍ରାପ୍ତ ହୋଇଥୁଲେ। ନାବାଳକ ପୁତ୍ର ସାବାଳକ ହେବା ଯାଏଁ ଶ୍ରୀମନ୍ଦିରର ଅଧୀକ୍ଷକ (ସୁପରିଟେଣ୍ଡେଣ୍ଟ) ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ରହିଲା । ନାବାଳକ ପୁତ୍ରର ବିୟୋଗ ଘଟିଲେ ଅନ୍ୟ ଏକ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ରାଣୀଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ରାଣୀଙ୍କ ପରିଚାଳନାରେ ଶ୍ରୀମନ୍ଦିରର ରୀତିନୀତି ସନ୍ତୋଷଜନକ ହେଉନଥିଲା । ଅନ୍ତପୁରଚାରିଣୀ ଅନଭିଜ୍ଞା ରାଣୀଙ୍କପାଇଁ ଏହି ବିରାଟ ଧର୍ମାନୁଷ୍ଠାନର ପରିଚାଳନା ଏକ କଠିନ କାର୍ଯ୍ୟ ଥିଲା ।

ଦିବ୍ୟସିଂହ ଦେବ (୩ୟ) (ଖ୍ରୀ:୧୮୫୯-୧୮୮୮)

ନାବାଳକ ପୁତ୍ର ସାବାଳକ ହେବା ପରେ ଦିବ୍ୟସିଂହଦେବ ନାମରେ ଅଭିଷିକ୍ତ ହେଲେ ମଧ୍ୟ ଶ୍ରୀମନ୍ଦିରର ପରିସ୍ଥିତି ଶୋଚନୀୟ ହୋଇ ପଡ଼ିଥିଲା । କାରଣ ପିଲାଟି ଦିନରୁ ସେ ବେପରୁଆ ଓ ଦାୟିତ୍ବହୀନ ଥିଲେ । ଶ୍ରୀମନ୍ଦିରର ସେବକ ଓ କର୍ମଚାରୀମାନଙ୍କ ସହିତ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିଲା । ମାତା ସୂର୍ଯ୍ୟମଣିଙ୍କ ପ୍ରତି ମଧ୍ୟ ଭକ୍ତି ଓ ଆନୁଗତ୍ୟ ନଥିଲା । ୧୮୭୭ରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ବେଳେ ପୁରୀରେ ପ୍ରବଳ ଯାତ୍ରୀ ଭିଡ଼ ହୋଇଥିଲା । ଶ୍ରୀମନ୍ଦିରରେ ଦଳାଚକଟାରେ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସରକାରୀ ନଥୁପତ୍ରରେ ଉଲ୍ଲେଖ ଅଛି । ରାଜା ପୂର୍ବରୁ ସତର୍କତା ଅବଲମ୍ବନ କରି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ହୁଏତ ଏ ପ୍ରକାର ଶୋଚନୀୟ ଦୁର୍ଘଟଣା ଘଟି ନଥାନ୍ତା ।

୨୩୬ ଶ୍ରୀଜଗନ୍ନାଥ