ପୃଷ୍ଠା:ShreeJagannath.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡକ୍ଟର ହରେକୃଷ୍ଣ ମହତାବ ମନେ କରନ୍ତି ଯେ ଜଗନ୍ନାଥ ମୂଳରୁ ଶାବର । ତାହା ପରେ ବୌଦ୍ଧ ଦେବତା । ପୁଣି ଦଶମ ଶତାବ୍ଦୀବେଳକୁ ସେ ହେଲେ ହିନ୍ଦୁ ଦେବତା । କାରଣ, ତାଙ୍କ ମତରେ ଏତିକିବେଳେ ବୌଦ୍ଧଧର୍ମରେ ବ୍ରାହ୍ମଣ୍ୟଧର୍ମ ଅନୁପ୍ରବେଶ କରି ବୌଦ୍ଧ ଦେବତାଙ୍କୁ ହିନ୍ଦୁଦେବତା ଭାବରେ ରୂପାନ୍ତରିତ କରିଥିଲା (୭)

କୁହାଯାଇଛି, ନୀଳମାଧବ ପରେ ଜଗନ୍ନାଥ ନାମରେ ପୂଜିତ ହେଲେ ଓ ପ୍ରଥମରେ ଏକା ପୂଜା ପାଉଥିଲେ । ପରେ ପରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଶୈବ ଓ ଶାକ୍ତଧର୍ମର ପୁନରୁତ୍‍ଥାନ ଫଳରେ ସଂସ୍ଥାପନ କରାଯାଇଥିଲା । ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ପରଠାରୁ ଶକ୍ତିବାଦର ଦ୍ରୁତ ପୁନରୁତ୍‍ଥାନ ହୋଇଥିଲା । ତେଣୁ ଶକ୍ତି ବା ଦୁର୍ଗା ରତ୍ନବେଦୀରେ ସ୍ଥାପିତ ହେଲେ । ଦୁର୍ଗାଙ୍କୁ ମଧ୍ୟ ସୁଭଦ୍ରା/ମଙ୍ଗଳା କୁହାଯାଏ । ଭଦ୍ରା, ସୁଭଦ୍ରା (ଶ୍ରୀକୃଷ୍ଣଙ୍କ ଭଗ୍ନୀ) ଭାବରେ ପୂଜିତା ହେଲେ । ଶିବ ବା ବୀରଭଦ୍ର ମଧ୍ୟ ବଳଭଦ୍ର (ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠଭ୍ରାତା) ଭାବରେ ପୂଜା ପାଇଲେ, ବୈଷ୍ଣବ ଧର୍ମର ପ୍ରାବଲ୍ୟ ପ୍ରଭାବରୁ (୮)

ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ଯେ, ଏକଦା ଜଗନ୍ନାଥ କେବଳ ଶୂନ୍ୟ (void) ଭାବରେ ବୌଦ୍ଧତନ୍ତ୍ରର କର୍ମକର୍ମାଣିରେ ପୂଜା ପାଉଥିଲେ । ପରବର୍ତ୍ତୀ କାଳରେ ଶଙ୍କରାଚାର୍ଯ୍ୟଙ୍କ ଅନୁପ୍ରେରଣାରେ ରାଜା ଯଯାତିକେଶରୀଙ୍କ ସକ୍ରିୟ ସମର୍ଥ ଯୋଗୁଁ ବଳଭଦ୍ର ଶିବ ଭାବରେ ଓ ସୁଭଦ୍ରା ଭୁବନେଶ୍ୱରୀ ଭାବରେ ଯୁକ୍ତ ହେଲେ ଏବଂ ତ୍ରିମୂର୍ତ୍ତିି (Triad) ବିବେଚିତ ହେଲେ । ଏହି ପ୍ରକାରେ ହିନ୍ଦୁ ଆଧ୍ୟାତ୍ମିକ ସଂସ୍କୃତିର ପ୍ରମୁଖ ଉପାଦାନ- ଶୈବ, ଶାକ୍ତ ଓ ବୈଷ୍ଣବ ମତବାଦ ଏକତ୍ର ଅବସ୍ଥାନ କରିଥିଲେ; ବୈଷ୍ଣବ ମତବାଦର ସାଧାରଣ ବା କୋଠଛତ୍ର ତଳେ (୯)

ତନ୍ତ୍ର ଗବେଷକ ଡକ୍ଟର ସର୍ବେଶ୍ୱର ଶତପଥୀଙ୍କ ମତରେ, ବଳଭଦ୍ରଙ୍କ ମନ୍ତ୍ର "ଓଁ ନମୋ ଭଗବତେ ବାସୁଦେବାୟ" ତାନ୍ତ୍ରିକ ବୀଜମନ୍ତ୍ରକୁ କାଏମ କରୁନଥିବାରୁ ଅନୁମାନ କରାଯାଏ ଯେ ଜଗନ୍ନାଥ ଉପାସନାର ପରବର୍ତ୍ତୀ ସମୟରେ ବଳଭଦ୍ରଙ୍କୁ ସଂସ୍ଥାପନ କରାଯାଇଛି । ସୁଭଦ୍ରାଙ୍କ ବୀଜମନ୍ତ୍ର 'ହ୍ରୀଂ' ଭୁବନେଶ୍ୱରୀଙ୍କ ମନ୍ତ୍ରଠାରୁ ଭିନ୍ନ ନୁହେଁ । ମହାବିଦ୍ୟା ଦେବୀ କ୍ରମରେ ଚତୁର୍ଥ ଦେବୀ ହେଉଛନ୍ତି ଭୁବନେଶ୍ୱରୀ । ସେ ଜ୍ଞାନଶକ୍ତି ବା ସର୍ବଶକ୍ତିମାନ ବ୍ରହ୍ମ । ବିଚିତ୍ର ବିଷୟ ଯେ ସୁଭଦ୍ରା ବା ଭୁବନେଶ୍ୱରୀ ଜଗନ୍ନାଥଙ୍କ ପାଖରେ ବିରାଜିତା ଥିଲେ ବି, ଜଗନ୍ନାଥଙ୍କୁ ବଜ୍ରଯାନରେ ଭୈରବ କୁହାଯାଉଥିଲେ ବି ସୁଭଦ୍ରାଙ୍କୁ ଭୈରବୀ କୁହାଯାଉନାହିଁ; ଅଥଚ ଅନ୍ୟ ଏକ ମନ୍ଦିରରେ ବିରାଜିତା ବିମଳାଙ୍କୁ ଭୈରବୀ କୁହାଯାଉଛି । ତାନ୍ତ୍ରିକ ଧର୍ମର ଏକ ପରବର୍ତ୍ତୀ ଉପାସନାପଦ୍ଧତି


୭. ତତ୍ରୈବ

୮. Jagannath Puri - Published by Puri Shri Jagannath Temple Managing committee.

୯. Lord Jagannath - Surendra Mohanty

୨୬ * ଶ୍ରୀଜଗନ୍ନାଥ