ପୃଷ୍ଠା:ShreeJagannath.pdf/୨୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୧

ପୁରାଣ ଓ ଲୋକକଥାରେ ଶ୍ରୀଜଗନ୍ନାଥ

ସ୍କନ୍ଦପୁରାଣ

ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତ‌ଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ । ଏହି ଖଣ୍ଡ ବା 'ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ'ର ବିଷୟବସ୍ତୁ ସଂକ୍ଷେପରେ ନିମ୍ନରେ ପ୍ରଦାନ କରାଗଲା ।
ସତ୍ୟ ଯୁଗରେ ସୂର୍ଯ୍ୟ ବଂଶରେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ମହାରାଜାଥିଲେ । ତାଙ୍କ ରାଜ୍ୟର ନାମ ମାଳବ ଓ ରାଜଧାନୀର ନାମ ଅବନ୍ତୀ ଥିଲା । ସେ ଥିଲେ ପରମ ଭକ୍ତ, ଧାର୍ମିକ , ଜିତେନ୍ଦ୍ରୟ ଓ ପ୍ରଜାବତ୍ସଳ । ଦିନେ ସେ ତାଙ୍କର ଦେବାର୍ଚ୍ଚନ ଗୃହରେ ସମବେତ ସାଧୁସନ୍ଥ, ବ୍ରାହ୍ମଣ ପ୍ରଭୃତିଙ୍କୁ ଏକ ପ୍ରଶ୍ନ ପଚାରିଲେ- "ଯତ୍ର ସାକ୍ଷାଜ୍ଜଗନ୍ନାଥଂ ପଶ୍ୟାମ୍ୟେତେନ ଚକ୍ଷୁସା ?" ଅର୍ଥାତ୍, (ସେହି ଉତ୍ତମ କ୍ଷେତ୍ର କେଉଁଠାରେ ଅଛି) ଯେଉଁଠାରେ ସାକ୍ଷାତ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିହେବ ? ସେଠାରେ ଉପସ୍ଥିତଥିବା ଜଣେ ଜଟାଜୁଟଧାରୀ ସନ୍ନ୍ୟାସୀ ବିନୟପୂର୍ବକ ଉତ୍ତର ଦେଲେ- ହେ ରାଜନ୍‍ ! ମୁଁ ଅନେକ ତୀର୍ଥ ଭ୍ରମଣ କରିଛି ଏବଂ ଶୁଣିଛି ଯେ ଭାରତବର୍ଷରେ ଓଡ଼୍ର ନାମରେ ଖ୍ୟାତ ଦେଶର ସମୁଦ୍ର ତୀରରେ ପୁରୁଷୋତ୍ତମ ନାମକ ଏକ କ୍ଷେତ୍ର ଅଛି । ସେଠାରେ ଏକ ନୀଳ ପର୍ବତ ବିଦ୍ୟମାନ, ଯା'ର ଚତୁର୍ଦ୍ଦିଗ ନାନା ପ୍ରକାର ବୃକ୍ଷଲତାଦ୍ୱାରା ସମାବୃତ ଓ ଯା'ର ବକ୍ଷସ୍ଥଳରେ ମନୋହର କଳ୍ପବୃକ୍ଷ ଟିଏ ଅଛି । ଦକ୍ଷିଣ ଦିଗରେ ରୋହିଣୀ ନାମକ ଏକ କୁଣ୍ଡ ଅଛି । ଉକ୍ତ କୁଣ୍ଡର ପୂର୍ବ ଭାଗରେ ନୀଳକାନ୍ତମଣିନିର୍ମିତ ବାସୁଦେବ-ଜଗନ୍ନାଙ୍କର ମୂର୍ତ୍ତିି ବିରାଜିତ । ସେ ଶଙ୍ଖ, ଚକ୍ର ଓ ଗଦା ଧାରଣ ପୂର୍ବକ ଅବସ୍ଥାନ କରିଛନ୍ତି । ସେ କୃପାନିଧି ଦର୍ଶନମାତ୍ରେ ସଭିଙ୍କୁ ମୁକ୍ତି ପ୍ରଦାନ କରନ୍ତି ।

୨୪୬ ଶ୍ରୀଜଗନ୍ନାଥ