ପୃଷ୍ଠା:ShreeJagannath.pdf/୨୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫେରି ଆସିବା ପରେ ଅନ୍ୟ ଏକ ଛୋଟିଆ ମନ୍ଦିର ନିର୍ମାଣ କରି ଗାଲ ରାଜାଙ୍କଦ୍ୱାରା ସ୍ଥାପିତ ମାଧବ ମୂର୍ତ୍ତିଙ୍କୁ ସେଠାରେ ରଖିବା ଖବର ପାଇ କ୍ରୋଧରେ ଗାଲ ରାଜା ସୈନ୍ୟସାମନ୍ତ ନେଇ ନୀଳାଚଳରେ ପହଞ୍ଚିଲେ । କିନ୍ତୁ ପହଞ୍ଚିବା ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ଯାତ୍ରା ଖବର ଶୁଣି ଦେବତାଙ୍କ ଉପସ୍ଥିତି ଦେଖି ଓ ବ୍ରହ୍ମା ସ୍ବଙ୍କ ପ୍ରତିଷ୍ଠାପାଇଁ ଆସୁଛନ୍ତି ଜାଣିବା ପରେ ସେ ବିବାଦ ସୃଷ୍ଟି ନକରି ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଣତି ଜଣାଇଲେ ଏବଂ ସହଯୋଗ କଲେ । ପ୍ରତିଷ୍ଠା ପରେ ମନ୍ଦିରଟି ଗାଲଙ୍କ ଦାୟିତ୍ବରେ ରଖି ବ୍ରହ୍ମଲୋକ ଚାଲିଯିବେ ବୋଲି ଇନ୍ଦ୍ରଦ୍ୟୁମ୍ନ ଆଶ୍ବାସନା ଦେଇଥିଲେ । ବ୍ରହ୍ମା ମନ୍ଦିରକୁ ପ୍ରତିଷ୍ଠା କରିବାକୁ ପହଞ୍ଚିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାବେଦୀ (ଗୁଣ୍ଡିଚା ଘର)ରୁ ପ୍ରାସାଦକୁ ନିଆଗଲା । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ( ନୀଳାଦ୍ରି ମହୋଦୟ ଦିନ) ମନ୍ଦିର ପ୍ରତିଷ୍ଠା ହେଲା । ସେଦିନ ଥିଲା ଗୁରୁବାର । ପ୍ରତିଷ୍ଠା କର୍ମ ସମାପନ ପରେ ନିଜ ପ୍ରତିଶ୍ରୁତି ରକ୍ଷାକରି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ୱେତବଂଶୀୟ ଗାଲ ରାଜାଙ୍କୁ ମନ୍ଦିର ଭାର ଅର୍ପଣ କରି ସ୍ବଦେହରେ ନାରଦଙ୍କ ସହ ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ ।
ପଦ୍ମପୁରାଣ (ପାତାଳ ଖଣ୍ଡ)
ଏଥିରେ ଉଲ୍ଲେଖ ଅଛି ଯେ ଗଙ୍ଗାସାଗର ସଙ୍ଗମରେ ପୁରୁଷୋତ୍ତମ କ୍ଷେତ୍ର ଅନ୍ତର୍ଗତ ନୀଳଗିରି ଅବସ୍ଥିତ । ଏହି ନୀଳଗିରି ଉପରେ ପୁରୁଷୋତ୍ତମ ବିରାଜିତ । ଶ୍ରୀରାମଚନ୍ଦ୍ରଙ୍କ ଯଜ୍ଞ ଅଶ୍ୱ ରକ୍ଷା କରିବା ବେଳେ ଭ୍ରତା ଶତ୍ରୁଘ୍ନ ବହୁ ସ୍ଥାନ ଭ୍ରମଣ କରି ଏହି ନୀଳଗିରି ଦର୍ଶନ କଲେ । ଏହି ନୀଳଗିରି ନିବାସୀ ଭିଲମାନେ ମଧ୍ୟ ଭଗବାନ ପୁରୁଷୋତ୍ତମଙ୍କ ମହିମା ବଳରେ ଚତୁର୍ଭୁଜ ହୋଇଛନ୍ତି । କାଞ୍ଚି ନଗରର ରାଜା ରତ୍ନଗ୍ରୀବ ଏହି କ୍ଷେତ୍ରରେ ଶ୍ରୀହରିଙ୍କୁ ଦର୍ଶନ କରି ଚତୁର୍ଭୁଜତ୍ବ ପ୍ରାପ୍ତ ହୋଇଥିଲେ ।
(ଏଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନାମ କିମ୍ବା ଜଗନ୍ନାଥ ନାମ ନାହିଁ । କଳ୍ପବଟ, ରୋହିଣୀକୁଣ୍ଡ, ମହାବେଦୀ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗନାହିଁ । ଏ କ୍ଷେତ୍ରରେ ବିରାଜିତ ଓ ପୂଜିତ ପୁରୁଷୋତ୍ତମ ହିଁ ଶ୍ରୀରାମ, ଏହା କୁହାଯାଇଛି ।)
ବ୍ରହ୍ମପୁରାଣ
ଏଥିରେ ଲେଖା ଅଛି ଯେ ସତ୍ୟ ଯୁଗରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ଶଙ୍ଖ, ଚକ୍ର, ଗଦାଧାରୀ ଚତୁର୍ଭୁଜ ବିଷ୍ଣୁଙ୍କୁ ଆରାଧନା କରିବାପାଇଁ ଅବନ୍ତୀନଗର ତ୍ୟାଗକରି ପୁରୁଷୋତ୍ତମ କ୍ଷେତ୍ରକୁ ଅସିଥିଲେ । ପୂର୍ବେ ଏ କ୍ଷେତ୍ରର କଳ୍ପବଟ ନିକଟରେ ନୀଳକାନ୍ତମଣିଙ୍କ ମୂର୍ତ୍ତି ପୂଜିତ ହେଉଥିଲା । ସାକ୍ଷାତ ଭଗବାନ ନୀଳମାଧବଙ୍କୁ ଦର୍ଶନ କରୁଥିବାରୁ ଏଠାରେ ଯେତେ ଲୋକ ମୃତ୍ୟୁବରଣ କରୁଥିଲେ ସମସ୍ତେ ବିଷ୍ଣୁଲୋକ ପ୍ରାପ୍ତ ହେଉଥିଲେ । ଯମରାଜଙ୍କ ପଦୋଚିତ କାର୍ଯ୍ୟରେ ବାଧା ହେବାରୁ ନୀଳକାନ୍ତମଣିମୟ ପ୍ରତିମାକୁ ସେଠାରୁ ଅପସାରଣ କରିବାକୁ ସେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ତେଣୁ ଏହି ପ୍ରତିମାକୁ ବାଲୁକାରାଶି ଦ୍ୱାରା ଆଚ୍ଛାଦିତ କରିଦେଲେ । ରାଜା ଇନ୍ଦ୍ରଦ୍ୟୁମ୍ନ

ଶ୍ରୀଜଗନ୍ନାଥ ୨୪୯