ପୃଷ୍ଠା:ShreeJagannath.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗ୍ନି ଲିଭାଅ ତୁମ୍ଭେ କର ଆମ୍ଭର ବୋଲ
କାଢ଼ି ଆଣି ପିଣ୍ଡ ମଉଦଧିରେ ମେଲ ।


ଦୈବୀବାଣୀ ପ୍ରକାରେ ଅର୍ଜୁନ ଓ ଜାରା ଶବର ଚିତା ମଧ୍ୟରୁ ଅପୋଡ଼ା ପିଣ୍ଡକୁ ବାହାର କରିନେଇ ମହୋଦଧିରେ ଭସାଇ ଦେଲେ । ଏହି ପିଣ୍ଡ ସମୁଦ୍ରକୂଳରେ କେଉଁଠାରେ ଲାଗିବ ସେଥି ପ୍ରତି ନଜର ଦେବାକୁ ଜାରାକୁ କହି ଅର୍ଜୁନ ଫେରିଗଲେ ।
କେତେଦିନ ପରେ ତାଙ୍କର ପିଣ୍ଡ ପୂଜା କରିବାକୁ ଜାରା ଶବରକୁ ସ୍ବପ୍ନରେ ଭଗବାନ ଶ୍ରୀକୃଷ୍ଣ ଆଦେଶ ଦେଲେ । ନିଦ୍ରାଭଙ୍ଗ ପରେ ଜାରା ପାଖରେ ଗୋଟିଏ ବିଷ୍ଣୁ ପ୍ରତିମାକୁ ଦେଖିଲେ । ତାହାଙ୍କୁ ନେଇ ଧଉଳି ପର୍ବତ ଉପରେ ଏକ ଅଗରୁ ବୃକ୍ଷ ମୂଳେ ସ୍ଥାପନ କରି ଗୋପନରେ ପୂଜା କଲେ ।
କେତେବର୍ଷ ପରେ କାଞ୍ଚି ନଗରର ବିଷ୍ଣୁ ଭକ୍ତ ରାଜା ଗାଲମାଧବ ଶ୍ରୀକୃଷ୍ଣଙ୍କ ଅପୋଡ଼ା ପିଣ୍ଡର ଅମ୍ବେଷଣପାଇଁ ଚତୁର୍ଦ୍ଦିଗକୁ ଲୋକ ପଠାଇଲେ । ଦକ୍ଷିଣ ଦିଗକୁ ବାସୁଦେବ ନାମକ ବ୍ରାହ୍ମଣ ଗଲେ । ବାସୁଦେବ ବହୁ ଅନୁସନ୍ଧାନ ପରେ ଜାରା ଶବର ପଲ୍ଲୀରେ ପହଞ୍ଚିଲେ । ଜାରା ଶବରର ପୁତ୍ର ବାସୁଦେବ ସହିତ ବାସୁଦେବ ବ୍ରାହ୍ମଣ ମୈତ୍ର ବସିଲେ ( ମତାନ୍ତରେ ଜାରା ଶବର ସହିତ) । ଜାରା ଶବର ବାସୁଦେବଙ୍କୁ ପୂଜା କରୁଥିବା ପ୍ରତିମା ଦେଖାଇବାକୁ ରାଜିହୋଇ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେଠାକୁ ନେଲେ । ବ୍ରାହ୍ମଣ ବାଟରେ ଯବଧନ ଓ ତିଳ ପକାଇ ପକାଇ ଯାଇଥିଲେ । ବିଷ୍ଣୁ ପ୍ରତିମାକୁ ଦର୍ଶନ କରିବାର ଛଅ ସାତ ମାସ ପରେ ବାସୁଦେବ କାଞ୍ଚିନଗରକୁ ଫେରିଯାଇ ଗାଲମାଧବଙ୍କୁ ସମସ୍ତ ବୃତାନ୍ତ କହିଲେ ।
ରାଜା ଗାଲମାଧବ ଧଉଳି ପର୍ବତକୁ ଆସି ଯବଧାନ ଗଛର ସଂକେତକୁ ଅନୁସରଣ କରି ବିଷ୍ଣୁ ବିଗ୍ରହ ପାଖକୁ ଆସି ଦେଖିଲେ ଯେ ବିଗ୍ରହ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। କେବଳ ଛଡ଼ାଫୁଲ ଗୁଡ଼ିଏ ପଡ଼ିଛି । ଶବରମାନେ ବିଗ୍ରହଙ୍କୁ ଲୁଚାଇ ରଖିଥିବେ ମନେ କରି ସେ ଅନେକ ଶବରଙ୍କୁ ମାରିଦେଲେ । ଜାରା ଶବର ସେତେବେଳେ ସେଠାରେ ଅନୁପସ୍ଥିତ ଥିଲେ । ଗାଲମାଧବଙ୍କ ଏ ନିଷ୍ଣୁର କାର୍ଯ୍ୟରେ ଭଗବାନ ଅସନ୍ତୁଷ୍ଟ ହୋଇ ଅଭିଶାପ ଦେଲେ ଯେ ଜାରା ଶବରର ବଂଶବୃଦ୍ଧି ଘଟୁ, ରାଜା ଗାଲମାଧବଙ୍କ ବଂଶରେ କେହି ନ ରହନ୍ତୁ । ସେ ଯାହାହେଉ, ପ୍ରଭୁଙ୍କ ଇଚ୍ଛାରେ ଗାଲମାଧବ ଓ ଜାରାଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପ୍ରଭୁଙ୍କ ଆଦେଶରେ ଗାଲମାଧବ ବିଷ୍ଣୁ ପ୍ରତିମାଙ୍କୁ ଆଣି ନୀଳଗିରିରେ ସ୍ଥାପନ କରି ପୂଜା କଲେ । ପୂର୍ବେ ଏହି ପ୍ରତିମାଙ୍କୁ ଶବରମାନେ ଶବରୀ-ନାରାୟଣ ରୂପରେ ପୂଜା କରୁଥିଲେ ।
ବିରାଟ ବଂଶର ରାଜା ମଧୁ କେଶରୀଙ୍କ ପୁତ୍ର ଇନ୍ଦ୍ରଦ୍ୟୁମ୍ଭ ନୀଳଗିରିରେ ଭଗବାନ ଅବସ୍ଥାନ କରିବେ ବୋଲି ଖବର ପାଇ ବିଶ୍ବାବସୁ ନାମକ ଏକ ବ୍ରାହ୍ମଣଦ୍ୱାରା ଭଗବାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ । ସେ ଜାରା ଶବରଙ୍କୁ ଭେଟି ଶ୍ରୀକୃଷ୍ଣଙ୍କ ଅପୋଡ଼ା ପିଣ୍ଡ କଥା ପଚାରିଲେ । ଜାରାକୁ ଧ୍ୟାନରେ ଦର୍ଶନ ଦେଇ ଭଗବାନ କହିଲେ ଯେ, କଳିଯୁଗରେ ବୌଦ୍ଧ ରୂପରେ ସେ କାୟା ଦେଖାଇବେ ଓ ତାଙ୍କର ଅପୋଡ଼ା ପିଣ୍ଡ ଦାରୁ ପାଲଟିଯିବ ।

ଶ୍ରୀଜଗନ୍ନାଥ ୨୫୧