ପୃଷ୍ଠା:ShreeJagannath.pdf/୨୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ହେଲା ମହାବିଦ୍ୟା ଉପାସନା । ପରିଣାମ ସ୍ୱରୂପ ସୁଭଦ୍ରା ଓ ବଳଭଦ୍ରଙ୍କ ଅବସ୍ଥାପନ ଜଗନ୍ନାଥ ଓ ବିମଳାଙ୍କ ଉପାସନାର ପରବର୍ତ୍ତୀ ସମୟରେ ହୋଇଥିଲା, ହୁଏତ ଗୌଡ଼ୀୟ ବୈଷ୍ଣବଧର୍ମର ପ୍ରଭାବରେ (୧୦)


ବିଶିଷ୍ଟ ଶିଳାଲେଖବିତ୍‍ ତଥା ଗବେଷକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ ଓଡ଼ିଶାର ସୋମବଂଶର ରାଜା ଯଯାତିଙ୍କ ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୂଜା ପାଉଥିବା ପ୍ରଧାନ ଦେବଦେବୀମାନଙ୍କୁ ଗୋଟିଏ ସ୍ଥାନରେ ପୂଜା କରାଯିବାପାଇଁ ଉଦ୍ୟମ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ସ୍ତମ୍ଭେଶ୍ୱରୀ ବା ଏକାନଂସା ସୁଭଦ୍ରା, ତୋଷାଳି (ଉତ୍ତର ଓଡ଼ିଶା)ର ବଳଦେବ (ପ୍ରାଚୀନ ନାଗରାଜ) ଏବଂ କଳିଙ୍ଗ-କଙ୍ଗୋଦର ପୁରୁଷୋତ୍ତମ ଜଗନ୍ନାଥ ମିଳିତ ତ୍ରିକଳିଙ୍ଗସାମ୍ରାଜ୍ୟର ରାଷ୍ଟ୍ରଦେବତା ଭାବରେ ପୁରୀଠାରେ ପୂଜା ପାଇଲେ (୧୧)

ଜୈନଧର୍ମ ଓ ଜଗନ୍ନାଥ

ଜେନେରାଲ କନିଂହାମ୍‍, ପ୍ରଫେସର ଉଇଲସନ୍‍, ଜେମସ୍‍ ଫର୍ଗୁସନ୍‍, ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ ବିଦ୍ୱାନମାନେ ଜଗନ୍ନାଥଙ୍କୁ ବୌଦ୍ଧଧର୍ମର ପ୍ରତୀକ ରୂପେ ମାନ୍ୟତା ଦେଇଥିବାବେଳେ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ବିନାୟକ ମିଶ୍ର, କେଦାରାଥ ମହାପାତ୍ର ତାଙ୍କୁ ଜୈନଧର୍ମର ପ୍ରତୀକ ମନେ କରନ୍ତି । ପଣ୍ଡିତ ନୀଳକଣ୍ଠ 'ଜଗନ୍ନାଥ' ଶବ୍ଦଟି ମୂଳତଃ ଜୈନଧର୍ମ ସହିତ ଜଡ଼ିତ ଓ ଏହା ଋଷଭନାଥଙ୍କ ସହିତ ସମାନ ମନେ କରନ୍ତି । ଋଷଭନାଥ ହେଉଛନ୍ତି ଆଦି ଜିନ । 'ଜଗନ୍ନାଥ' ଶବ୍ଦ ଜୈନ 'ଜିନ', 'ଜିନନାଥ' ବା 'ଜିନେଶ୍ୱର' ଶବ୍ଦର ନାମାନ୍ତର । ଜଗନ୍ନାଥଙ୍କ ପୁରୁଷୋତ୍ତମ ନାମ ସହିତ ଜୈନ ପୁରୁଷୋତ୍ତମଙ୍କ ସମ୍ପର୍କ ରହିଛି । ଋଷଭନାଥ ହେଉଛନ୍ତି ଜଗତ୍‍‌ନାଥ ଓ ପୁରୁଷୋତ୍ତମ । ପଣ୍ଡିତ ନୀଳକଣ୍ଠ କହନ୍ତି 'ଋଷଭନାଥ' ଅର୍ଥ ସୂର୍ଯ୍ୟନାଥ । ସୂର୍ଯ୍ୟ ଜଗତର ଜୀବନ । ତେଣୁ ଋଷଭନାଥ ହେଉଛନ୍ତି ଜଗତର ଜୀବନ ରୂପୀ 'ପୁରୁଷ'ର ନାଥ ବା ପୁରୁଷୋତ୍ତମ । ଜୈନଧର୍ମ ଭାରତର ଦାର୍ଶନିକ ଧର୍ମର ମୂଳ । ଜୈନ, ଜିନ, ମୁନି, ତ୍ରିରତ୍ନ ପ୍ରଭୃତି ଶବ୍ଦ ସହିତ ଜୈନ ଓ ବୌଦ୍ଧ ଉଭୟ ଧର୍ମର ସମ୍ପର୍କ ରହିଛି । ବୌଦ୍ଧଧର୍ମ ଜୈନଧର୍ମର ପରବର୍ତ୍ତୀ ମାର୍ଜିତ ପ୍ରକାଶ । ଜଗନ୍ନାଥ ମହାପ୍ରଭୁଙ୍କର ମହାପ୍ରସାଦର ଅନ୍ୟ ନାମ କୈବଲ୍ୟ । ଜୈନ ଦର୍ଶନର 'କେବଳୀ' ଭାବ, କେବଳ ଜୀବସତ୍ତା ହେଉଛି କୈବଲ୍ୟ । କୈବଲ୍ୟ ପ୍ରାପ୍ତି ହେଲେ ନିର୍ବାଣ ପ୍ରାପ୍ତି ହୁଏ । ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ହୁଏ; ଏହି ତିଥି ପ୍ରଥମ ତୀର୍ଥଙ୍କର ଋଷଭଙ୍କ ଗର୍ଭସ୍ଥ ହେବା ଦିବସ । ଏହି ତିଥିରେ ଋଷଭଙ୍କ ରଥଯାତ୍ରାର ବିଧାନ ଅଛି । ତାଙ୍କର ବୃକ୍ଷ ହେଉଛି କଳ୍ପବଟ, ଚକ୍ର ହେଉଛି ଧର୍ମଚକ୍ର ।


୧୦. Worship of Lord Jagannath - S. Satapathy, Puri S.C.S. College Bulletin, ୧୯୮୫-୮୬

୧୧. ଶ୍ରୀଜଗନ୍ନାଥଙ୍କ ଐତିହାସିକ ସ୍ୱରୂପ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ, (ପ୍ରବନ୍ଧ)

ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର, ଓ.ସା.ଏ, ୧୯୯୬

ଶ୍ରୀଜଗନ୍ନାଥ ୨୭