ପୃଷ୍ଠା:ShreeJagannath.pdf/୨୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


 ପଣ୍ଡିତ ନୀଳକଣ୍ଠ ଜଗନ୍ନାଥଙ୍କୁ ଜୈନ ଦେବତା ବୋଲି ବିଚାର କରିବା ସଙ୍ଗେ ସଙ୍ଗେ ପୁଣି ତାଙ୍କୁ ପ୍ରଣବରୂପୀ ଓ ଶବର ଦେବତା ଜ୍ଞାନ କରି ତାଙ୍କର ପ୍ରାଚୀନତା ବେବିଲୋନ୍‍ ସମୟର ବୋଲି ମନେ କରିଛନ୍ତି । ସେ 'ଗୀତା ପ୍ରବେଶ'ରେ କହିଛନ୍ତି ଯେ ବୁଦ୍ଧଯୁଗ ପୂର୍ବରୁ ଏପରିକି ବେବିଲୋନ୍‍ ସଭ୍ୟତା ଆରମ୍ଭରୁ ଜଗନ୍ନାଥଙ୍କ ଅସ୍ତିତ୍ୱ ଥିଲା । ସେତେବେଳେ ଶବରଙ୍କ ବିନା ତାଙ୍କର ଉପାସକ ଆଉ କେହି ନଥିଲେ । ନୀଳକଣ୍ଠ ଓଡ଼ିଶା ବିଧାନସଭାରେ କହିଥିଲେ ଯେ ଶ୍ରୀଜଗନ୍ନାଥ ଏକ ବିଶ୍ୱଦର୍ଶର ସଂକେତ । "ଏହି ସଂକେତଟି ଯଦି କେହି ଅନୁସନ୍ଧାନ କରିବାକୁ ଚାହାନ୍ତି, ସେ ଦେଖିବେ ଏଇଟା ପ୍ରଥମେ ଆରମ୍ଭ ହୋଇଛି ବେବିଲୋନ୍‍ରେ । ଏ ଗୋଟିଏ ବିରାଟ ଅପ୍ରକାଶ ଚତୁର୍ଦ୍ଧା ମୂର୍ତ୍ତିି । ଏହାର ସଂକେତ ପ୍ରଥମେ ମୁଁ ପାଇଲି ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ, ଅର୍ଥାତ୍‍ ଆଜକୁ ପ୍ରାୟ ୪୦୦୦ବର୍ଷ ତଳେ ବେବିଲୋନ୍‍ରୁ । ବର୍ତ୍ତମାନ ସେହି ସଂସ୍କୃତି ଏଠି ଅଛି (୧୨) ।"

 ବୁଦ୍ଧଦେବଙ୍କ ପରି ଋଷଭଦେବ ହିନ୍ଦୁମାନଙ୍କଦ୍ୱାରା ବିଷ୍ଣୁଙ୍କର ଏକ ଅବତାର ରୂପେ ଗୃହୀତ । ଜଗନ୍ନାଥଙ୍କୁ ଋଷଭାଥ ମନେ କରାଯାଏ । ପାର୍ଶ୍ୱନାଥ (ଖ୍ରୀ:ପୂ: ୮୨୦-୭୫୦)ଙ୍କୁ ଜୈନଧର୍ମର ପ୍ରବର୍ତ୍ତକ କୁହାଯାଏ । ଜୈନ ତୀର୍ଥଙ୍କର ମହାବୀର (ଖ୍ରୀ:ପୂ: ୫୫୭-୫୨୭) ଓ ତାଙ୍କ ପୂର୍ବରୁ ପାର୍ଶ୍ୱନାଥ କଳିଙ୍ଗରେ ଜୈନଧର୍ମ ପ୍ରଚାର କରିଥିଲେ ବୋଲି କେତେଜଣ ଐତିହାସିକ କହିଛନ୍ତି । ଖାରବେଳଙ୍କ ସମୟରେ ଓଡ଼ିଶା ଏକ ପ୍ରସିଦ୍ଧ ଜୈନଭୂମି ଥିଲା । କଳିଙ୍ଗ ସମ୍ରାଟ ଖାରବେଳ ଜଣେ ନୈଷ୍ଠିକ ଜିନ ଥିଲେ । ଗୌତମ ବୁଦ୍ଧଙ୍କ ଆବିର୍ଭାବ ପୂର୍ବରୁ, ଏପରିକି ମହାବୀର ବର୍ଦ୍ଧମାନଙ୍କ ପୂର୍ବରୁ ଏହି ସ୍ଥାନର ପ୍ରାଧାନ୍ୟ ଥିଲା । କଳିଙ୍ଗର ପିହୁଳ ନାମକ ବନ୍ଦର ଜୈମାନଙ୍କର ତୀର୍ଥସ୍ଥଳୀ ଥିଲା । ଖ୍ରୀ:ପୂ: ତୃତୀୟ ଶତାବ୍ଦୀ ବେଳକୁ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ପରେ ଏଠାରେ ବୌଦ୍ଧଧର୍ମ ପ୍ରସାରିତ ହୋଇଥିଲା । ହୁଏନ୍‍ସାଂ (୭ମ ଶତାବ୍ଦୀ) ଉଡ୍‍ଡ଼ୀୟାନ (ଓଡ଼ିଶା)ରେ ଏକ ଜିନମୂର୍ତ୍ତିି ପୂଜା ପାଉଥିଲା ବୋଲି କହିଛନ୍ତି । ସେପରି ଏକ ଜିନମୂର୍ତ୍ତିି ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ କଳିଙ୍ଗରେ ପୂଜା ପାଉଥିଲା, ଯାହାକି ମଗଧର ରାଜା ମହାପଦ୍ମ ନନ୍ଦ କଳିଙ୍ଗରୁ ବଳପୂର୍ବକ ମଗଧକୁ ନେଇ ଯାଇଥିଲେ । ଜୈନସମ୍ରାଟ ଖାରବେଳ (ଖ୍ରୀ:ପୂ: ୨ୟ ଶତାବ୍ଦୀ) ମଗଧ ଆକ୍ରମଣ କରି ଏହି ଜିନମୂର୍ତ୍ତିକୁ ଫେରାଇ ଆଣିଥିଲେ । ହୁଏନ୍‍ସାଂ ଉଡ଼୍‍ଡ଼ୀୟାନରେ ନବେଫୁଟ ଉଚ୍ଚର ଏକ କାଷ୍ଠ ସ୍ତମ୍ଭ ମୂର୍ତ୍ତିି ପୂଜା ପାଉଥିବା କଥା ଯାହା ଲେଖିଛନ୍ତି, ତାହା ଶବରୀ ନାରାୟଣ ମୂର୍ତ୍ତିି ବୋଲି କେହି କେହି ଅନୁମାନ କରିଛନ୍ତି ।

 ଶବରମାନଙ୍କର ଶବରୀ ନାରାୟଣ ହେଲେ ପରବର୍ତ୍ତୀ କାଳର ଜଗନ୍ନାଥ । ଏହି ବିଗ୍ରହ ନିମ୍ୱକାଠରେ ନିର୍ମିତ ଏକ ମସ୍ତକଯୁକ୍ତ ସ୍ତମ୍ଭ । ପଣ୍ଡିତ ନୀଳକଣ୍ଠ ଲେଖିଛନ୍ତି :

 In this connection it is interesting to note that the Kolarians or Savaras (Suarois or Sabarais of ancient Greek Geographers like Pliny and Ptolemy) who at a time were an important element among the inhabitants of some coastal and up-land area of Kalinga.


୧୨. O.L.A. Procedings, dated ୮.୭.୧୯୫୨

୨୮ ଶ୍ରୀଜଗନ୍ନାଥ