ପୃଷ୍ଠା:ShreeJagannath.pdf/୨୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେ ବର୍ଷ ହେଲା ରଥମାନଙ୍କୁ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ଭାବରେ ସଜା ଯାଉଛି। ୧୯୮୯ରେ ରଥମାନଙ୍କରେ ପିତଳରେ ତିଆରି କଦଳୀଗଛ, ମଗର ମୁଣ୍ଡ, ମାଛ ଇତ୍ୟାଦି ଖଞ୍ଜା ଗଲା । ଏହା ବ୍ୟତୀତ ଅଧିକ ସଂଖ୍ୟକ କାଠରେ ତିଆରି ଝୁମ୍ପା ଓ ସଖୀ କଣ୍ଢେଇ ମଧ୍ୟ ରଥମାନଙ୍କରେ ଲଗାଗଲା ।
ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ
କେତେକ ନିର୍ଦ୍ଦିଷ୍ଟ କାରଣରୁ ଫାଶିକାଠର ବିଶେଷ ଅଭାବ ଦେଖାଦେବାରୁ ଓ ଭବିଷ୍ୟତରେ ରଥନିର୍ମାଣରେ ଅସୁବିଧା ଉପୁଜିବା ହୃଦୟଙ୍ଗମ କରି ରାଜ୍ୟ ବନବିଭାଗ ୧୯୮୫-୮୬ ମସିହାଠାରୁ ସ୍ୱତନ୍ତ୍ର ଭାବେ ଫାଶି ବୃକ୍ଷ ରୋପଣ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ବନ ବିଭାଗ, ଗଜପତି ମହାରାଜାଙ୍କ ପରାମର୍ଶକ୍ରମେ 'ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ' ନାମରେ ଏକ ପ୍ରକଳ୍ପର ଖସଡ଼ା ପ୍ରସ୍ତୁତ କଲେ । ଏଥିପାଇଁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଓ ରାଜସ୍ୱ ବିଭାଗ ମଧ୍ୟ ସେମାନଙ୍କ ଜମିରେ ଏହି ବୃକ୍ଷରୋପଣପାଇଁ ରାଜି ହୋଇଥିଲେ। ଏହା ପରେ ବେସରକାରୀ ପ୍ରଚେଷ୍ଟାରେ ମଧ୍ୟ ବୃକ୍ଷରୋପଣ ପାଇଁ ଜଗନ୍ନାଥପ୍ରେମୀ କେତେକ ଭକ୍ତ ଆଗେଇ ଆସିଲେ । ୨୦୦୦ ମସିହାରେ ରାଜ୍ୟ ସରକାର 'ଶ୍ରୀଜଗନ୍ନାଥ ବନପ୍ରକଳ୍ପ କାର୍ଯ୍ୟକ୍ରମ ଚାଲୁକଲେ । ୨୦୦୦-୨୦୦୧ ଆର୍ଥିକ ବର୍ଷଠାରୁ ୨୦୦୪-୨୦୦୫ ଆର୍ଥିକବର୍ଷ ଯାଏଁ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୨୨୮୪ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି । ଜୁନ୍ ୨୦୧୧ ସୁଦ୍ଧା ୨୩୬୫ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇସାରିଛି । ଏଥିରେ ୪୫ ଲକ୍ଷ ଚାରା ରୋପଣ କରାଯାଇଥିବା ଜଣାଯାଏ ।

ଶ୍ରୀଜଗନ୍ନାଥ ୨୭୫