ପୃଷ୍ଠା:ShreeJagannath.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନ୍ୟାସ ଦାରୁ ଅଧିବାସ, ନୃସିଂହଙ୍କ ମାଜଣା ଓ ହୋମକର୍ମ ଆରମ୍ଭ ହୋଇଥିଲା । ୬ତାରିଖ (ପଞ୍ଚମୀ)ଠାରୁ ୧୪ତାରିଖ ଯାଏଁ ଯଜ୍ଞ ଚାଲିଥିଲା । ପ୍ରତିଷ୍ଠା କର୍ମ ଓ ବିଗ୍ରହ ନିର୍ମାଣ କାର୍ଯ୍ୟ ଚାଲିଥିଲା । ୧୫ତାରିଖ (ଚତୁର୍ଦ୍ଦଶୀ-ମଳ) ଯଜ୍ଞରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୁତି ପ୍ରଦାନ, ନୃସିଂହ ଠାକୁରଙ୍କ ବାହୁଡା ବିଜେ ଏବଂ ରାତିରେ ଘଟ ପରିବର୍ତ୍ତନ କାର୍ଯ୍ୟ ଗୋପନରେ ଦଇତାପତିଙ୍କ ଦ୍ବାରା କରାଯାଇଥିଲା ।
କୋଇଲି ବୈକୁଣ୍ଠରେ ଯଜ୍ଞାଦି କର୍ମରେ ସତର ଜଣ ବ୍ରାହ୍ମଣ ବରଣ ହୋଇ ଆଚାର୍ଯ୍ୟ, ବ୍ୟାସାଚାର୍ଯ୍ୟ, ବ୍ରହ୍ମା, ଚରୁ ସମିଧ, ସ୍ବସ୍ତିବାଚକ, ପ୍ରଚାରକ, ଅଗ୍ନିରକ୍ଷକ, ଶାଳାରକ୍ଷକ ପ୍ରଭୃତି କର୍ମରେ ନିୟୋଜିତ ହୋଇଥିଲେ । ଦେଉଳ ପୁରୋହିତ ପଣ୍ଡିତ ହରିହର ମହାପାତ୍ର ସର୍ବ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ । ଏମାନଙ୍କ ବ୍ୟତୀତ ଆହୁରି ୫୫ଜଣ ବ୍ରାହ୍ମଣ ବରଣ ହୋଇଥିଲେ । ଏମାନେ ଶ୍ରୀମନ୍ଦିରର ଅନ୍ୟାନ୍ୟ ପରିସର ଓ ପୁରୀ ସହରର ବିଭିନ୍ନ ଦେବଦେବୀ ପୀଠରେ ଗୀତା, ଭାଗବତ, ବେଦ, ଅଧ୍ୟାତ୍ମ ରାମାୟଣ, ବିଷ୍ଣୁ ସହସ୍ର ନାମ, ଗୋପାଳ ସହସ୍ର ନାମ, ଶ୍ରୀରାମ ସହସ୍ର ନାମ, ଶ୍ରୀସୂକ୍ତ, ଲକ୍ଷ୍ମୀ ସୂକ୍ତ, ନବଗ୍ରହ ୟୋତ୍ର, ନୃସିଂ ହି କବଚ ଓ ସ୍ତୋତ୍ର, ସିଦ୍ଧ ବିନାୟକ ସ୍ତୋତ୍ର ପାଠ କରିଥିଲେ । ଦେବୀ ପୀଠମାନଙ୍କରେ ଚଣ୍ଡୀପାଠ କରାଯାଇଥିଲା । ଅଷ୍ଟଶମ୍ଭ ଓ ବିଭିନ୍ନ ଶିବ ମନ୍ଦିରରେ ଅଭିଷେକ କର୍ମ କରାଯାଇଥିଲା ।
ଶ୍ରୀମନ୍ଦିରର ଦଶଜଣ ମୁଖ୍ୟ ମହାରଣା (ବିଶ୍ୱକର୍ମା) ବିଗ୍ରହ ନିର୍ମାଣ କାର୍ଯ୍ୟ ନିଷ୍ଠାପର ଭାବରେ କରିଥିଲେ ।
ଚତୁର୍ଦ୍ଦଶୀ ମଧ୍ୟ ରାତ୍ରରେ ଘଟ ପରିବର୍ତ୍ତନ ବା ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ ଭାବରେ ସମ୍ପନ୍ନ ହୋଇଥିଲା । ଚାରି ଦ୍ବାର ବନ୍ଦ ହୋଇ କେବଳ ଦଇତା ଓ ପତି ମହାପାତ୍ରଙ୍କ ବ୍ୟତୀତ ଅନ୍ୟ କେହି ମନ୍ଦିରରେ ରହିବା ବାରଣ କରାଯାଇଥିଲା । କେବଳ ବାହାର ବେଢ଼ାର ବାଇଶି ପାହାଚରେ ଦେଉଳ କରଣ ପରମ୍ପରାନୁସାରେ ଖଣ୍ଡା ଧରି ଜଗି ରହିଥିଲେ । ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧକାର ରଖାଯାଇଥିଲା । ଏପରିକି ଶ୍ରୀମନ୍ଦିର ବାହାରେ ସାରା ସହରରେ ମଧ୍ୟ ବିଜୁଳି ଆଲୋକ ବନ୍ଦ କରାଯାଇଥିଲା । ଶ୍ରୀମନ୍ଦିର ବାହାରେ ସିଂହଦ୍ବାର ସୂଚନା କେନ୍ଦ୍ରରେ ଶ୍ରୀମନ୍ଦିର ପ୍ରଶାସକ ଓ ଅନ୍ୟାନ୍ୟ କେତେଜଣ ଅଧିକାରୀ ସାରାରାତି ବସି ରହିଥିଲେ ।
ଉକ୍ତ ରାତ୍ରରେ ନବନିର୍ମିତ ବିଗ୍ରହମାନଙ୍କୁ ଦଇତାପତିମାନେ କୋଇଲିବୈକୁଣ୍ଠର ନିର୍ମାଣ କୁଟୀରରୁ ପହଣ୍ଡି ବିଜେ କରାଇ ଅଣସର ପିଣ୍ଡିକୁ ଆଣନ୍ତି । ତା' ପରେ ଶୁଭ ମୁହୁର୍ତ୍ତି ଦେଖି, ପୁରାତନ ବିଗ୍ରହମାନଙ୍କରୁ ବ୍ରହ୍ମ ପଦାର୍ଥ ବାହାର କରାଯାଇ ଗୋପନୀୟ ବିଧି ବିଧାନ ଅନୁସାରେ ନୂତନ ବିଗ୍ରହମାନଙ୍କରେ ସ୍ଥାପନ କରାଯାଏ । ବ୍ରହ୍ମ ସ୍ଥାପନ ହେବା ପରେ ବ୍ରହ୍ମସ୍ଥଳୀକୁ ନ୍ୟାସ ଦାରୁଦ୍ବାରା ଆବୃତ କରାଯାଏ ଓ ବଜ୍ର କାଛୁଣି ବନ୍ଧାଯାଏ । ଏହା ପରେ ପୁରାତନ ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠରେ ଥିବା ଶିଆଳି ଲତାତଳେ ସମାଧିସ୍ଥ କରାଯାଇଥିଲା । କୋଠସୁଆଁସିଆମାନେ ନିର୍ଦ୍ଦିଷ୍ଟ ମାପର ସମାଧି ଗର୍ଷ ପୂର୍ବରୁ ଖୋଳିଥିଲେ । ପୁରାତନ ବିଗ୍ରହମାନଙ୍କ ସହିତ ରଥର ପାର୍ଶ୍ୱଦେବତା, ସାରଥି, ଘୋଡ଼ା ଆଦି ପୋତା ଯାଇଥିଲା । ପରବର୍ତ୍ତୀ ଦିନ ତା: ୧୬-୬-୯୬

ଶ୍ରୀଜଗନ୍ନାଥ ୨୮୧