ପୃଷ୍ଠା:ShreeJagannath.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୂଜାପଦ୍ଧତି ବୌଦ୍ଧଧର୍ମରେ ପୂରାଇଲେ (୩୬) । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କାହିଁକି କୁହାଯାଏ, ସେଥିନେଇ ବହୁତ ତାତ୍ତ୍ୱିକ ଅର୍ଥ ଅଛି । ଗୋଟିଏ ଅର୍ଥ ହେଲା ସ୍ୱାମୀ ନିଗମାନନ୍ଦଙ୍କ ଭାଷାରେ-ପରଂବ୍ରହ୍ମଙ୍କପୁ ପୂଜାରେ ବ୍ରହ୍ମାର୍ପିତ ବସ୍ତୁ ମହାପବିତ୍ରକାରୀ ଏବଂ ବ୍ରହ୍ମ ନିବେଦିତ ବସ୍ତ ଭୋଜନକାଳରେ ବ୍ରାହ୍ମଣାଦି ବର୍ଣ୍ଣର ବିଚାର ନାହିଁ, ଉଚ୍ଛିଷ୍ଟ ବିଚାର ମଧ୍ୟ ନାହିଁ । ଏଥିରେ କାଳାକାଳ ବା ଶୌଚାଶୌଚର ବିଚାର ମଧ୍ୟ ନାହିଁ (୩୭) । ସେହିପରି ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମା ସହିତ ତାନ୍ତ୍ରିକ ବୌଦ୍ଧଧର୍ମର ସମ୍ପର୍କ ନାହିଁ । ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିି ପ୍ରତୀକ ବିଗ୍ରହ । ବିଗ୍ରହ ତତ୍ତ୍ୱ ସମ୍ପର୍କରେ ବହୁତ ପ୍ରକାର ବ୍ୟାଖ୍ୟା କରାଯାଇଛି । ଆଦିବାସୀଙ୍କର ସ୍ତମ୍ଭପୂଜାରୁ ଜଗନ୍ନାଥ ଯଦି କାଳକ୍ରମେ ସୃଷ୍ଟି ହୋଇଛନ୍ତି ବୋଲି ବିଚାର କରାଯାଏ, ତେବେ ସେ ବୈଦିକ ଯୂପ ପୂଜାର କ୍ରମପରିଣତି କାହିଁକି ନହେବେ ବୋଲି ଡକ୍ଟର ଗୋପୀନାଥ ମହାପାତ୍ର ପ୍ରଶ୍ନ କରିଛନ୍ତି । କୃଷ୍ଣ,ବଳରାମ, ଏକାନଂସା ପୂରାପୂରି ବିଗ୍ରହ ମୂର୍ତ୍ତିି ହେଲାବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହେଉଛନ୍ତି ପ୍ରତୀକ ମୂର୍ତ୍ତିି । ଏଥିରେ ରହିଛି ଅରୂପରେ ସରୂପ ଭାବ ବା ବ୍ରହ୍ମଭାବର ଦାର୍ଶନିକ ଚିନ୍ତା । ଏହି ଭାବନାରେ ରୂପାୟିତ ହୋଇ ଏମାନେ ଦାରୁବ୍ରହ୍ମ ହୋଇଛନ୍ତି (୩୮) । ତାମିଲାଡୁରେ କିଛି ଲୋକ, ସାଧାରଣତଃ ବନିୟାରମାନେ, ବିଷ୍ଣୁଙ୍କୁ ପେରୁମଲ ଭାବରେ ଏକ ପ୍ରସ୍ତର ବା କାଷ୍ଠ ନିର୍ମିତ ସ୍ତମ୍ଭ ରୂପରେ ପୂଜା କରିଥାନ୍ତି (୩୯)

ପ୍ରାଚୀନ କାଳରେ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପୂର୍ବରୁ, ବର୍ମାର ପୁରାତନ ସହର 'ପ୍ରୋମ୍‍'କୁ ଶ୍ରୀକ୍ଷେତ୍ର କୁହାଯାଉଥିଲା । ବୁଦ୍ଧମନ୍ଦିର, ସିଭଜିଗାନ ପାଗୋଡ଼ା (Shwezigon Pagoda)ର ଶିଳାଲେଖରେ ପ୍ରୋମ୍‍କୁ ଶ୍ରୀକ୍ଷେତ୍ର ବୋଲି ଉଲ୍ଲେଖ କରାଯାଇଛି । ଏହି ଶ୍ରୀକ୍ଷେତ୍ରର ବାସିନ୍ଦାମାନେ ପ୍ୟୁ ନାମରେ ପରିଚିତ ଥିଲେ । ଏମାନେ କେଉଁ ଜାତିର ଲୋକ ତାହା ନିଶ୍ଚିତ ରୂପେ ଜଣାପଡ଼ି ନାହିଁ । ସେମାନେ ତିବ୍ବତୀୟ ହୋଇଥିବା ସମ୍ଭବ । ପ୍ୟୁମାନେ ବୌଦ୍ଧଧର୍ମାବଲମ୍ବୀ ହେଲେହେଁ ସେମାନଙ୍କର ରାଜଧାନୀ ଶ୍ରୀକ୍ଷେତ୍ର ଓଡ଼ିଶାର ସୁପ୍ରସିଦ୍ଧ କ୍ଷେତ୍ର (ପୁରୁଷୋତ୍ତମ ପୁରୀ) ନାମରୁ ହୋଇଥିବା ଅନୁମିତ ହୁଏ । ଉକ୍ତ ପାଗୋଡ଼ାରୁ ମିଳିଥିବା ଏକ ଅଭିଲେଖରୁ ଜଣାଯାଏ ଯେ, ବୁଦ୍ଧ ସେହି ସହରର ପରିଚୟ ଦେବାକୁ ଯାଇ ଶିଷ୍ୟ ଆନନ୍ଦଙ୍କୁ କହିଛନ୍ତି- ତାହା ଏକ ପ୍ରାଚୀନ ସହର ଏବଂ ତାହାକୁ ବିଷ୍ଣୁ ନିଜେ ଦେବରାଜ ଇନ୍ଦ୍ର ଓ ବିଶ୍ୱକର୍ମାଙ୍କ ସାହାଯ୍ୟରେ ନିର୍ମାଣ କରିଥିଲେ । ବିଷ୍ଣୁଙ୍କଦ୍ୱାରା ସ୍ଥାପିତ ଶ୍ରୀକ୍ଷେତ୍ର, ଓଡ଼ିଶାର ସୁପ୍ରସିଦ୍ଧ ଶ୍ରୀକ୍ଷେତ୍ରରୁ ନାମିତ ହୋଇଥିବା ବିଶେଷ ସମ୍ଭାବନା (୪୦)


୩୬. ଓଡ଼ିଶାର ପଶ୍ଚିମାଞ୍ଚଳର ବୌଦ୍ଧ ପରମ୍ପରା- ଭକ୍ତପୂର ସାହୁ, ଝଙ୍କାର, ମାର୍ଚ୍ଚ ୧୯୮୭

୩୭. ତାନ୍ତ୍ରିକ ଗୁରୁ- ସ୍ୱାମୀ ନିଗମାନନ୍ଦ

୩୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

୩୯. ଦକ୍ଷିଣ ଭାରତରେ ଦେବଦେବୀ ସଂସ୍କୃତି- ଅଧ୍ୟାପକ ଅରବିନ୍ଦ ଶତପଥୀ । ନିୟତି, ଅକ୍ଟୋବର, ୨୦୦୯

୪୦. ଓଡ଼ିଆ ଜାତିର ଇତିହାସ- ଡକ୍ଟର ନବୀନ କୁମାର ସାହୁ, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୭୪

ଶ୍ରୀଜଗନ୍ନାଥ ୩୯