ପୃଷ୍ଠା:ShreeJagannath.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୀ ସମ ଏକ ସହର ଶ୍ରୀକ୍ଷେତ୍ର, ଭାରତ ବାହାରେ ନିର୍ମାଣ କରାଇବା ଅଭିପ୍ରାୟ ବୁଦ୍ଧଦେବ ଘୋଷଣା କରିିଥିବା ଏହି ଶିଳାଲେଖରୁ ଜଣାଯାଏ । ବୁଦ୍ଧଦେବଙ୍କ ଆବିର୍ଭାବ ପୂର୍ବରୁ ପୁରୀ 'ଶ୍ରୀକ୍ଷେତ୍ର' ନାମରେ ଯଶଲାଭ କରିିଥିବା ଅନୁମାନ କରାଯାଏ (୪୧)

ଏଭଳି ବହୁ ସପକ୍ଷ ଓ ବିପକ୍ଷ ଯୁକ୍ତି ସତ୍ତ୍ୱେ ଜଗନ୍ନାଥ ଓ ବୁଦ୍ଧଙ୍କୁ ଏକ ଓ ସର୍ବସମ ବିବେଚନା କରାଯାଉଛି । ଦ୍ୱାଦଶ ଶତାବ୍ଦୀର ବିଶ୍ୱବିଖ୍ୟାତ କବି ଜୟଦେବ ତାଙ୍କ ସୁପ୍ରସିଦ୍ଧ ରଚନା 'ଗୀତଗୋବିନ୍ଦ'ରେ ଜଗନ୍ନାଥଙ୍କୁ 'ବୁଦ୍ଧଶରୀର' ରୂପେ ବନ୍ଦନା କରିଛନ୍ତି:

"କେଶବଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ ।"

ଓଡ଼ିଆ ଭକ୍ତକବି, ଯଥା- ସାରଳା ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଖର ଦାସ, ଯଶୋବନ୍ତ ଦାସ, ଦ୍ୱାରକା ଦାସ ପ୍ରମୁଖ ମଧ୍ୟ ଜଗନ୍ନାଥଙ୍କୁ ବୌଦ୍ଧାବତାର ରୂପେ ବର୍ଣ୍ଣନା କରିଛନ୍ତି ।

ସାରଳା ଦାସ ଲେଖିଛନ୍ତି:

"ପୁରୁଷୋତ୍ତମ ନଗର ମହୋଦଧି ତୀରେ

ନୀଳଗିରି ପରବତ ଅଛି ତା' ସ୍ଥାନରେ ।

ଦେଉଳ ଭିତରେ ସିଂହାସନେ ବିଜେ ହୋଇ

ବୌଦ୍ଧ ରୂପରେ ପ୍ରଭୁ ଶଙ୍ଖ ଚକ୍ର ବହି ।" (ମହାଭାରତ)

"ସେ ଜଗନ୍ନାଥ ଯେ ସଂସାର ଉଦ୍ଧାରଣ

ମ୍ଳେଚ୍ଛଜନ ଉଦ୍ଧାରଣେ ସେ ବଉଦ ରୂପେଣ ।" (ମହାଭାରତ)

ସେହିପରି ଅଚ୍ୟୁତାନନ୍ଦ ଦାସ (୧୬ଶ ଶତାବ୍ଦୀ) ଲେଖିଛନ୍ତି:

"ଶ୍ରୀନୀଳକନ୍ଦରେ ବିଜେ କରିଅଛ ବଉଧ ରୂପ ବହିଛ

ଭକତ ନିମନ୍ତେ ତୁମ୍ଭର ଏ ସବୁ ଭିଆଣ ପ୍ରଭୁ ଶ୍ରୀବତ୍ସ ।" (ଗରୁଡ଼ ଗୀତା)

ବୌଦ୍ଧରୂପୀ ହେଲେ ମଧ୍ୟ ପୁରୁଷୋତ୍ତମ- ଜଗନ୍ନାଥ ସର୍ବ ଅବତାରର ମୂଳ ବୋଲି ଅଚ୍ୟୁତାନନ୍ଦ କହିଛନ୍ତି :

"ଅବତାର ଦଶ ଏହି ଦାରୁରୂପ ଏହି ଦାରୁରେ ସେ ଲୀନ,

ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନ ସିଂହାସନ ।" (ଶୂନ୍ୟ ସଂହିତା)

ଗରୁଡ଼ ଖମ୍ବର ଦକ୍ଷିଣପାର୍ଶ୍ୱ ଜଗମୋହନ କାନ୍ଥରେ ଦଶ ଅବତାର ପ୍ରତିମାମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ (ନବମ ସ୍ଥାନ)ରେ ଜଗନ୍ନାଥଙ୍କ ପ୍ରତିମା ଶୋଭା ପାଉଅଛି । ସେହିପରି ପୂର୍ବ ଦ୍ୱାର ବା ସିଂହଦ୍ୱାର ଶୀର୍ଷରେ ମଧ୍ୟ ବୁଦ୍ଧଙ୍କ ପରିବର୍ତ୍ତେ ଜଗନ୍ନାଥ ରହିଛନ୍ତି । ଏଥିରୁ ବୁଦ୍ଧ ଓ ଜଗନ୍ନାଥଙ୍କ ଅଭିନ୍ନତା ସୂଚିତ ହେଉଛି ।

ଋଷଭ ଦେବ ଓ ବୁଦ୍ଧଦେବଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ସମୀକରଣ କରାଯାଇଛି । ଜୈନଧର୍ମ, ବୌଦ୍ଧଧର୍ମ ଓ ଶିଖଧର୍ମକୁ ହିନ୍ଦୁଧର୍ମ ସହିତ ସମାନ ମନେ କରାଯାଇଛି । କେତେକ ସୀମାବଦ୍ଧତା ଥାଇ ଏହି ଧର୍ମାବଲମ୍ବୀମାନେ ଅବାଧରେ ଶ୍ରୀମନ୍ଦିରକୁ ଦର୍ଶନପାଇଁ ଯାଇ ପାରୁଛନ୍ତି ।


୪୧. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

୪୦ ଶ୍ରୀଜଗନ୍ନାଥ