ପୃଷ୍ଠା:ShreeJagannath.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି : "ଜଗନ୍ନାଥଙ୍କ ଉପରେ ଯେତେବେଳେ ଯେଉଁ ମତବାଦୀ ଦୃଷ୍ଟି ନିକ୍ଷେପ କରିଛନ୍ତି, ଜଗନ୍ନାଥ ସେମାନଙ୍କର ନିଜର ହୋଇଛନ୍ତି । ସେହି ଦୃଷ୍ଟିରୁ ବିଚାର କଲେ, ଜଗନ୍ନାଥ ବୌଦ୍ଧଧର୍ମର ଗବେଷକଙ୍କପାଇଁ ସେ ବୌଦ୍ଧ ତ ଜୈନ ମତବାଦୀଙ୍କ ପାଇଁ ଜୈନ । ସେହିଭଳି ନୃତତ୍ତ୍ୱ ଗବେଷକଙ୍କପାଇଁ ଆଦିବାସୀ ଦେବତା ତ ଅନ୍ୟ ଧର୍ମର ଗବେଷକଙ୍କପାଇଁ ସେ ସେହି ଧର୍ମମୂଳକ ଦେବତା ଭାବରେ ଦୃଷ୍ଟିଗୋଚର ହୁଅନ୍ତି । ଯିଏ ଦ୍ୱୈତବାଦୀ, ଜଗନ୍ନାଥ ତାଙ୍କ ଦୃଷ୍ଟିରେ ଦ୍ୱୈତ; ପୁଣି ଅଦ୍ୱୈତବାଦୀଙ୍କ ଦୃଷ୍ଟିରେ ସେ ଅଦ୍ୱୈତ । ବିଶିଷ୍ଟ ଦ୍ୱୈତବାଦୀଙ୍କ ମତରେ ସେ ତଦ୍ରୂପ ; ଆଉ ଶାକ୍ତ ମତରେ ସେ ଦକ୍ଷିଣକାଳିକା । ସେ ପୁଣି ଭୈରବ ଆଉ ବିମଳା ତାଙ୍କର ଭୈରବୀ । ଅତଏବ, ଯିଏ ଯେପରି ତାଙ୍କୁ ପ୍ରଥମରୁ ଭାବି ଗବେଷଣା ଚଳାଇଲା, ତାହା ଦୃଷ୍ଟିରେ ସେ ସେପରି ଦେଖାଯାଆନ୍ତି । 'ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତୈଥବ ଭଜାମ୍ୟହଂ (ଗୀତା) ।' ତେଣୁ ସେ ପ୍ରକୃତରେ ଗୀତାର ଭଗବାନ ଯୋଗେଶ୍ୱର ଶ୍ରୀକୃଷ୍ଣ ପୁରୁଷୋତ୍ତମ ।"

ଦାରୁବ୍ରହ୍ମ

ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିି ଓ ମାଧବ ହେଉଛନ୍ତି ଦାରୁ (ନିମ୍ବକାଷ୍ଠ) ବିଗ୍ରହ । କିନ୍ତୁ ଶ୍ରୀଜଗନ୍ନାଥ ସାଧାରଣତଃ ଦାରୁବ୍ରହ୍ମ ନାମରେ ପରିଚିତ । 'ଦାରୁବ୍ରହ୍ମ'ର ଏକ ଅର୍ଥ ହେଲା, ଦାରୁ ଦେହରେ ବିରାଜିତ ପରମ ଆତ୍ମା । ଶ୍ରୀଜଗନ୍ନାଥ କାହିଁକି ଦାରୁମୂର୍ତ୍ତି ରୂପେ ବିରାଜମାନ କରିଛନ୍ତି,ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ତା'ର କାରଣ ବ୍ରହ୍ମା ଦେବଗଣଙ୍କୁ କହିଛନ୍ତି :

"ପୂର୍ବେ ପରାର୍ଦ୍ଧେ ଭୋ ଦେବାଃ କ୍ଷେତ୍ରଂ ତତ୍‍ ପୁରୁଷୋତ୍ତମମ୍‍ ।
ନୀଳାଶୃବପୁରାସ୍ଥାୟଚ ତତ୍ୟାଜ ଜନାର୍ଦ୍ଦନଃ ।୪୨ା
ସାମ୍ପ୍ରତଂ ମେ ଦ୍ୱିତୀୟନ୍ତୁ ପରାର୍ଦ୍ଧଂ ସମୁପସ୍ଥିତମ୍‍ ।
ମନୁଃ ସ୍ୱାୟମ୍ଭୁବୋ ନାମ ଶ୍ୱେତ ବାରାହକଳ୍ପକେ ।
ପ୍ରବର୍ତତେଽୟଂ ଲୋକେ ବୈ ପ୍ରାତରଦ୍ୟ ଦିନସ୍ୟଚ ।
ଦାରୁମୂର୍ତ୍ତିିରୟଂ ଦେବୋ ଭୁବନାନାଂ ହି ମଧ୍ୟମେ ।୪୩ା"

(ହେ ଦେବଗଣ ! ଏଥିପୂର୍ବେ ମୋର ଏକ ପରାର୍ଦ୍ଧକାଳ ବ୍ୟାପୀ ସେହି ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ ଜନାର୍ଦ୍ଦନ ନୀଳକାନ୍ତ ମଣିମୟ ଶରୀର ଅବଲମ୍ବନ ପୂର୍ବକ ଅବସ୍ଥାନ କରୁଥିଲେ । ବର୍ତ୍ତମାନ ମୋର ଦ୍ୱିତୀୟ ପରାର୍ଦ୍ଧ କାଳ ଉପସ୍ଥିତ । ଏହି ଦିବସର ପ୍ରାତଃକାଳରେ ଶ୍ୱେତବରାହ କଳ୍ପେ ସ୍ୱାୟମ୍ଭୁବ ମନୁ ପ୍ରବର୍ତ୍ତିିତ ହୋଇଛି । ପ୍ରଭୁ ଜନାର୍ଦ୍ଦନ ଏହି ପ୍ରାତଃକାଳରୁ ଭୁବନସ୍ଥ ଭୂଲୋକରେ ଦାରୁମୂର୍ତ୍ତିି ହୋଇ ଅଧିଷ୍ଠିତ ହୋଇଅଛନ୍ତି (୪୨)


୪୨. ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ ବା ଶ୍ରୀ ପୁରୁଷୋତ୍ତମ ମାହାତ୍ମ୍ୟମ୍‍) (ତ୍ରୟୋବିଂଶ ଅଧ୍ୟାୟ) ସଂପାଦନା-ବାବା ଚୈତନ୍ୟ ଚରଣ ଦାସ ।

ଶ୍ରୀଜଗନ୍ନାଥ * ୪୧