ପୃଷ୍ଠା:ShreeJagannath.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି 'ଉତ୍କଳଖଣ୍ଡ'ରେ 'ଦାରୁ'ର ବ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

"ଖଣ୍ଡନାତ୍‍ ସର୍ବଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
ସ୍ୱଭାବାଦ୍‍ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

'ଦାରୁ' ଶବ୍ଦ ଦୁଇଟି ଧାତୁରୁ ନିଷ୍ପ‌ନ୍ନ, ଯଥା- 'ଦା' ଧାତୁ ଓ 'ଦୋ' ଧାତୁ । ଏହି ଦୁଇଟି ଧାତୁରେ 'ରୁ' ପ୍ରତ୍ୟୟ ଯୋଗହୋଇ 'ଦାରୁ' ଶବ୍ଦ ହୋଇଛି । ଶୀଳ ବା ସ୍ୱଭାବ ଅର୍ଥରେ 'ରୁ' ପ୍ରତ୍ୟୟ ହୁଏ । 'ଦା'ର ଅର୍ଥ ଦାନ କରିବା, ଏଣୁ ଦାରୁର ଅର୍ଥ ଦାନଶୀଳ । 'ଦୋ' ଧାତୁର ଅର୍ଥ ଖଣ୍ଡନ କରିବା । ଏଣୁ ଦାରୁର ଅନ୍ୟ ଏକ ଅର୍ଥ ଖଣ୍ଡନଶୀଳ । ସୁତରାଂ, ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡ ହେଉଛି ଦାରୁବିଗ୍ରହରୂପୀ ପରଂବ୍ରହ୍ମଙ୍କର ବିଶେଷତ୍ୱ (୪୩)

ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଏକ ଗୋପନୀୟ ବ୍ରହ୍ମ -ପଦାର୍ଥ ରହିଥିବା ଜଣାଯାଏ । ନବ କଳେବର ସମୟରେ ଏହି ବ୍ରହ୍ମ-ପଦାର୍ଥ ନୂତନ ବିଗ୍ରହଙ୍କ ଶ୍ରୀଅଙ୍ଗକୁ ସ୍ଥାନାନ୍ତର କରାଯାଏ । ଦାରୁବିଗ୍ରହ ଦେହରେ 'ବ୍ରହ୍ମ-ପଦାର୍ଥ' ଥିବାରୁ ବିଗ୍ରହଙ୍କୁ ଦାରୁବ୍ରହ୍ମ କୁହାଯାଏ ବୋଲି କେହି କେହି କହନ୍ତି । ଜଣାଯାଏ ଯେ, ରତ୍ନବେଦୀସ୍ଥ ଅନ୍ୟାନ୍ୟ ଦାରୁବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ମଧ୍ୟ 'ବ୍ରହ୍ମ ପଦାର୍ଥ' ରହିଅଛି । ବାବା ଚୈତନ୍ୟଚରଣ କହନ୍ତି- "ଏଥିରୁ ଜଣାଯାଉଛି ଯେ, ମୂର୍ତ୍ତିି (ଦାରୁ) ହେଉଛି ଶରୀର ଏବଂ ବ୍ରହ୍ମ ହେଉଛି ଆତ୍ମା । ସାଧାରଣ ଜୀବମାନଙ୍କ ଭଳି ତହିଁରେ ଦେହ-ଦେହୀ ଭେଦ ଅଛି । କିନ୍ତୁ ବ୍ରହ୍ମପୁରାଣ, ପଦ୍ମପୁରାଣ ଓ ସ୍କନ୍ଦପୁରାଣରେ ଏ ପ୍ରଥାର କୌଣସି ସୂଚନା ନାହିଁ । ଯଦି ଦାରୁ ଜଡ଼, ବ୍ରହ୍ମ ଚେତନ, ତା'ହେଲେ ବୃକ୍ଷରେ ଶଙ୍ଖ, ଚକ୍ର ଚିହ୍ନ ଏବଂ ଏତେ ସତ୍‍ ଲକ୍ଷଣ ରହିଲା କିପରି ? ସର୍ବୋପରି ମା' ମଙ୍ଗଳାଙ୍କ ନିର୍ଦ୍ଦେଶର ମହତ୍ତ୍ୱ ରହିଲା କେଉଁଠି ? ଏଣୁ ସ୍କନ୍ଦ ପୁରାଣରେ କୁହାଯାଇଛି- 'ଦାରୁ ଏବ ବ୍ରହ୍ମ' । ଅର୍ଥାତ୍‍ ସେହି ଦାରୁ ହିଁ ବ୍ରହ୍ମ । ଶ୍ରୀମନ୍ଦିର ଭିତରେ କାଳକ୍ରମେ ବହୁ ସନ୍ଥ, ମହାପୁରୁଷ ଓ ରାଜା, ମହାରାଜା ନିଜ ନିଜ ଇଷ୍ଟ ନିଷ୍ଠାର ପରିପ୍ରକାଶ ପାଇଁ ଅନେକ ମତ ଓ ପଥର ସଂଯୋଗ କରିଛନ୍ତି । ଏହି ବ୍ରହ୍ମ ସ୍ଥାପନ ମଧ୍ୟ ପରବର୍ତ୍ତୀ ସଂଯୋଗ ବୋଲି ମନେହୁଏ (୪୪) ।"

'ନୀଳାଦ୍ରି ମହୋଦୟଃ'ରେ ବ୍ରହ୍ମା କହିଛନ୍ତି :
ଦାରୁବ୍ରହ୍ମ ନିରାକାରଂ ନିର୍ଗୁଣଂ ନିର୍ବିକାରକମ୍‍ ।
ନିଶ୍ଚେଷ୍ଟଂ ସର୍ବତୋବ୍ୟାପ୍ତଂ ଭାବାଭାବ ବିବର୍ଜିତମ୍‍ ।। ୬୨ ।।
ଉପଚାରାଂଶ୍ଚ ତାନ୍‍ ସର୍ବାନ୍‍ ଦାତୁଂ ଚ ତରସା ମୁନେ ।
ସଗୁଣଂ ବ୍ରହ୍ମଣୋରୂପଂ ଭାବୟିତ୍ୱାତ୍ମଜୋତ୍ତମ ।। ୬୩ ।। (ଷଷ୍ଠ ଅଧ୍ୟାୟ)


୪୩. ଶ୍ରୀପୁରୁଷୋତ୍ତମ ରହସ୍ୟ- ବାବା ଚୈତନ୍ୟ ଚରଣ ଦାସ, ୧ମ ସଂସ୍କରଣ, ୨୦୦୩

୪୪. ତତ୍ରୈବ

୪୨ *ଶ୍ରୀଜଗନ୍ନାଥ