ପୃଷ୍ଠା:ShreeJagannath.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିରାକାର, ନିର୍ଗୁଣ, ନିର୍ବିକାର, ନିଶ୍ଚେଷ୍ଟ ଭାବ ଓ ଅଭାବରହିତ ପରବ୍ରହ୍ମଙ୍କୁ ସଗୁଣ କରିବା ଉଦ୍ଦେଶ୍ୟରେ ଦାରୁବ୍ରହ୍ମ ଭାବରେ ଆବାହନ କରି ତାଙ୍କର ନାନା ଉପଚାରମାନ ବ୍ୟବସ୍ଥା କରିଅଛି (୪୫)

ଦାରୁବିଗ୍ରହ ହେବା ପୂର୍ବରୁ ଶ୍ରୀମନ୍ଦିରରେ ପାଷାଣ ବିଗ୍ରହ ଥିଲେ; ଅର୍ଥାତ୍‍ ପ୍ରଥମେ ଥିଲେ ଶିଳାବ୍ରହ୍ମ, ତା'ପରେ ଦାରୁବ୍ରହ୍ମ ପ୍ରତିଷ୍ଠିତ ହେଲେ ବୋଲି ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟରର ଗୋପୀନାଥ ମହାପାତ୍ର ପ୍ରମୁଖ କହିଛନ୍ତି । ଅବଶ୍ୟ ସ୍କନ୍ଦ ପୁରାଣରୁ ମଧ୍ୟ ଏହା ଜଣାଯାଏ । ରାଜଗୁରୁ ଲେଖିଛନ୍ତି- "ଶ୍ରୀନୃସିଂହ ମନ୍ଦିରରୁ ଆବିଷ୍କୃତ ଏକ ଶିଳାଲେଖରୁ ଜଣାଯାଇଛି ଯେ, ପ୍ରାୟ ୧୧୫୦ ଖ୍ରୀଷ୍ଟାବ୍ଦ କିମ୍ବା ତତ୍‍ପୂର୍ବରୁ ତଥାକଥିତ ନୃସିଂହ ମନ୍ଦିରରେ ଶ୍ରୀପୁରୁଷୋତ୍ତମ, ବଳଭଦ୍ର ଓ ସୁଭଦ୍ରା ତିନିମୂର୍ତ୍ତିିଙ୍କୁ ସ୍ଥାପନ କରାଯାଇଥିଲା ଓ ସେହି ମୂର୍ତ୍ତିିମାନଙ୍କୁ 'ଶିଳ୍ପଶାସ୍ତ୍ର'ର ପଦ୍ଧତି ଅନୁସାରେ ଗଠନ କରାଯାଇ ଶ୍ରୀମନ୍ଦିରରେ ସ୍ଥାପନ କରାଯାଇଥିଲା । ତେଣୁ ଶ୍ରୀପୁରୁଷୋତ୍ତମଙ୍କର ମୂର୍ତ୍ତିି ଶାସ୍ତ୍ରୀୟ ମାଧବ ମୂର୍ତ୍ତିିଙ୍କ ପରି ଚତୁର୍ଭୁଜସମ୍ପନ୍ନ ପ୍ରସ୍ତରରେ ଗଠିତ ହୋଇଥିବା ସମ୍ଭବ । ବଳଭଦ୍ର ଓ ସୁଭଦ୍ରା ମଧ୍ୟ ହସ୍ତପଦ ଯୁକ୍ତ ପ୍ରସ୍ତରମୂର୍ତ୍ତିି ହୋଇଥିଲେ । ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ଯେଉଁ ମୂର୍ତ୍ତିିମାନ ଗଠିତ ହୋଇ ନୃସିଂହ ମନ୍ଦିରରେ ସ୍ଥାପିତ ହୋଇଥିଲେ, ସେପରି ପ୍ରସ୍ତର ମୂର୍ତ୍ତିି ହିଁ ମହାରାଜା ଅନଙ୍ଗ ଭୀମ ଦେବ(୩ୟ) ୧୨୩୦ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର (ବଡ଼ଦେଉଳ) ପ୍ରତିଷ୍ଠାବେଳେ ସେଥିରେ ସ୍ଥାପନ କରିଥିଲେ"(୪୬) । ଅନଙ୍ଗଭୀମ ଦେବଙ୍କ ପୁତ୍ର ନରସିଂହ ଦେବ (୧ମ)ଙ୍କ ସମୟରେ ବଙ୍ଗର ମୁସଲମାନ ସୁଲତାନମାନେ ଓଡ଼ିଶା ଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରୁଥାନ୍ତି । ସେମାନଙ୍କର ଯୁଦ୍ଧ ନୀତି ଦୃଷ୍ଟିରୁ ଓଡ଼ିଶାର ହିନ୍ଦୁ ଖଣ୍ଡାୟତ ସୈନ୍ୟମାନେ ପ୍ରତିଆକ୍ରମଣ କରିବା ସମ୍ଭବ ହୋଇନଥିଲା । କାରଣ ଆଉରଙ୍ଗଜେବ ଯେପରି ଶିବାଜୀଙ୍କ ବିପକ୍ଷରେ ଯୁଦ୍ଧ କରୁଥିବାବେଳେ ହିନ୍ଦୁ ସୈନ୍ୟମାନଙ୍କୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଗୋରୁପଲକୁ ଆଗରେ ରଖି ମୁସଲମାନ ସୈନ୍ୟଙ୍କ ସହିତ ପଛରେ ଥାଇ ଯୁଦ୍ଧ କରୁଥିଲେ, ଠିକ୍‍ ସେହିପରି ବଙ୍ଗର ମୁସଲମାନମାନେ ଉତ୍କଳ ଜୟ କରିବାକୁ ଗୋରୁପଲ ବ୍ୟବହାର କରିଥିବା ସମ୍ଭବ । ତେଣୁ ଉତ୍କଳର ଧର୍ମଭୀରୁ ଖଣ୍ଡାୟତ ସୈନ୍ୟମାନେ ପଶ୍ଚାତ୍‍ପଦ ହୋଇ ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ରତ୍ୟାଗ କରିଥିବା ସମ୍ଭବ । ନରସିଂହ ଦେବ ନିଜ ଗୁରୁଙ୍କ ପରାମର୍ଶ କ୍ରମେ ଶବରମାନଙ୍କୁ ଅଣାଇ ସେମାନଙ୍କୁ ନିଜ ସୈନ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କଲେ । ସେମାନଙ୍କର ଉପସ୍ଥିତି ହେତୁ ମୁସଲମାନଙ୍କ ଯୁଦ୍ଧ କୌଶଳ ହାର ମାନିଲା । ଉତ୍କଳର ସୈନ୍ୟ ସେତେବେଳେ ବଙ୍ଗର ଲକ୍ଷଣାବତୀ ପର୍ଯ୍ୟନ୍ତ ଅସ୍ତ୍ରଚାଳନା କରିବାକୁ ସମର୍ଥ ହୋଇପାରିଥିଲେ । ଶବରମାନଙ୍କ ଦେବତାଙ୍କୁ ଆରାଧନା କରିବାପାଇଁ ସେମାନଙ୍କର ପ୍ରବଳ


୪୫. ନୀଳାଦ୍ରି ମହୋଦୟଃ (ସଂ) ଡକ୍ଟର ବ୍ରଜକିଶୋର ସ୍ୱାଇଁ, ସଦ୍‍ଗ୍ରନ୍ଥ ନିକେତନ, ପୁରୀ, ପ୍ରଥମ ସଂସ୍କରଣ, ୨୦୦୦

୪୬. ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର - ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଓ.ସା.ଏ, ୧୯୯୬

(ପୃଷ୍ଠା-୫୮-୫୯)

ଶ୍ରୀଜଗନ୍ନାଥ ୪୩