ପୃଷ୍ଠା:ShreeJagannath.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଗନ୍ନାଥଙ୍କ ଚକାଆଖି ପଛରେ ସେହି 'ରବୀନ୍ଦୁ ଯୁଗଳ' ତତ୍ତ୍ୱ ନିହିତ ।

ଉପନିଷଦରେ ବର୍ଣ୍ଣିିତ ବ୍ରହ୍ମଙ୍କ ସ୍ୱରୂପରେ ଗଠିତ ଏ ପ୍ରକାର ମୂର୍ତ୍ତିି କେବଳ ଭାରତରେ ନୁହେଁ, ବରଂ ବିଶ୍ୱରେ କୁତ୍ରାପି ନାହିଁ । ସେ ମୂର୍ତ୍ତିି ହୋଇ ମଧ୍ୟ ମୂର୍ତ୍ତିି ନୁହଁନ୍ତି । ତାଙ୍କର ଯେଉଁ ବଡ଼ ବଡ଼ ଆଖି, ତାକୁ ଦେଖିଲେ ଋଗ୍‍‌ବେଦର ମନ୍ତ୍ରଟି ମନେ ପଡ଼ିଯାଏ:

"ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତେ

ତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ତ୍ୟନଶ୍ନ‌ନ୍ନନ୍ୟୋ ଅଭିଚାକଶୀତି । (୧:୧୬୪-୨୦)

ମନ୍ତ୍ରଟିର ତାତ୍ପର୍ଯ୍ୟ ହେଲା, ଗୋଟିଏ ବୃକ୍ଷରେ ଦୁଇଟି ସୁନ୍ଦର ପକ୍ଷୀ ସମାନ ଗୁଣ କାରଣରୁ ମିତ୍ର ଭାବରେ ପରସ୍ପରକୁ ଆଲିଙ୍ଗନ କରି ରହିଛନ୍ତି । କିନ୍ତୁ ସେ ଦୁହିଁଙ୍କ ମଧ୍ୟରୁ ଗୋଟିଏ ପକ୍ଷୀ ବୃକ୍ଷର ସ୍ୱାଦୁ ଫଳ ଭୋଗରେ ଲିପ୍ତ ଏବଂ ଅନ୍ୟ ପକ୍ଷୀଟି ଭୋଗରୁ ନିର୍ଲିିପ୍ତ ରହି କେବଳ ସାକ୍ଷୀ ରୂପରେ ବିଦ୍ୟମାନ ।

ଯେଉଁ ପକ୍ଷୀଟି ସାକ୍ଷୀ ରୂପେ ଅପଲକ ଦୃଷ୍ଟିରେ କେବଳ ଦେଖୁଛି, ସେ ହେଉଛନ୍ତି ପରଂବ୍ରହ୍ମ । ଏଠି ଜଗନ୍ନାଥଙ୍କ ଆଖି ଗୋଟିଏ ପକ୍ଷୀର ଆଖି ପରି ଗୋଲାକାର ଓ ଅପଲକ । ଜଗନ୍ନାଥଙ୍କୁ ବ୍ରହ୍ମଙ୍କର ସାଙ୍କେତିକ ରୂପରେ ବର୍ଣ୍ଣନା କରାଯାଇଛି (୫୧)

ଚକ୍ର ପରି ଗୋଲାକାର ଚକ୍ଷୁ ବୌଦ୍ଧ ନିର୍ବାଣର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଆତ୍ମା ବିଭିନ୍ନ ଜନ୍ମଦେଇ ବୃତ୍ତାକାରରେ ଘୂରିବା ପରେ ମୋକ୍ଷ ବା ନିର୍ବାଣ ପ୍ରାପ୍ତି ହୁଏ । ଗୋଲ ଚକ୍ଷୁ 'ଅନନ୍ତ'ର ପ୍ରତୀକ ।

ମୂର୍ତ୍ତିିର ଚକ୍ଷୁସୂଚୀ (eye index) ସମ୍ପର୍କରେ ଏକ ସୁଚିନ୍ତିତ ଆଲୋଚନା ଗବେଷକ ରାଇଚରଣ ଦାସ କରିଛନ୍ତି (୫୨) । ସାଧାରଣତଃ ମଣିଷର ମୁଣ୍ଡର ଉଚ୍ଚତା ତୁଳନାରେ ତାର ଆଖିର ବ୍ୟାସ ପ୍ରାୟ ଏକ ଦଶମାଂଶ । କୌଣସି ଏକ ମୂର୍ତ୍ତିିରେ ମୁଣ୍ଡର ମୋଟ ଦୈର୍ଘ୍ୟ ଓ ଆଖିର ଆକାରର ଅନୁପାତକୁ ସେହି ମୂର୍ତ୍ତିିର ଚକ୍ଷୁସୂଚୀ କୁହାଯାଏ । ବିଭିନ୍ନ ମୂର୍ତ୍ତିିରେ ଏହି ଚକ୍ଷୁସୂଚୀ ସାଧାରଣ ସୂଚୀ (ଶତକଡ଼ା ଦଶଭାଗ)ଠାରୁ ପ୍ରାୟ ଅଧିକ ହୋଇଥାଏ । ମୂର୍ତ୍ତିିମାନଙ୍କର ଐତିହାସିକ କ୍ରମବିକାଶ ଓ ଯେଉଁ ସମାଜରେ ଉକ୍ତ ମୂର୍ତ୍ତିିର ବିକାଶ ଘଟିଛି ସେହି ସମାଜର ବିବର୍ତ୍ତନ ଧାରା ଓ ଅବସ୍ଥା ସହ ଏହି ଚକ୍ଷୁସୂଚୀ ଆଧିକ୍ୟର ଏକ ସମ୍ପର୍କ ରହିଛି । ସାଧାରଣତଃ ଦେଖାଯାଇଥାଏ ଯେ ପ୍ରାଚୀନ ମୂର୍ତ୍ତିି ଗୁଡ଼ିକର ଚକ୍ଷୁସୂଚୀ ଅଧିକ । ଜୁଲିଆନ ଜେନସ୍‍ ପୃଥିବୀର ବିଭି୍ନ ପ୍ରାଚୀନ ସଭ୍ୟତାର ଦେବତା ବା ମୂର୍ତ୍ତିି ଗଠନର ସମୀକ୍ଷା କରିଛନ୍ତି । ତହିଁରୁ ନିମ୍ନଲିଖିତ ବିବରଣୀ ମିଳେ ।


୫୧. ଜଗନ୍ନାଥଙ୍କ ବୈଦିକତା ଅଭ୍ରାନ୍ତ କି ?- ଶ୍ରୀ ଉମେଶ ପତ୍ରୀ, ଝଙ୍କାର, ରଥସଂଖ୍ୟା-୨୦୦୩

୫୨. ଶ୍ରୀଜଗନ୍ନାଥ - ଓ.ସା.ଏ, ପ୍ରଥମ ସଂସ୍କରଣ, ୧୯୮୨ରେ ଶ୍ରୀ ରାଇଚରଣ ଦାସଙ୍କ "ସଂକଳନ

ସଂପର୍କରେ' ଦ୍ରଷ୍ଟବ୍ୟ

୪୬ ଶ୍ରୀଜଗନ୍ନାଥ