ପୃଷ୍ଠା:ShreeJagannath.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲେଖାଯାଇଛି ତାହା ବିଶ୍ୱାସଯୋଗ୍ୟ । ଯୀଶୁଙ୍କ ସମୟରେ କୃଷ୍ଣବାସୁଦେବ ଓ ଶଙ୍କର୍ଷଣ ଉପାସନା ଭାରତର କେତେକ ଅଞ୍ଚଳରେ ପ୍ରଚଳିତ ଥିବାର ପ୍ରମାଣ ମିଳେ । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ଉପାସନା ପ୍ରସିଦ୍ଧି ଲାଭ କରିଥିବ । ଯୀଶୁ ହିନ୍ଦୁ (ଭାଗବତ) ଧର୍ମ ଓ ବୃଦ୍ଧଧର୍ମ ସମ୍ପର୍କରେ ଶିକ୍ଷାଲାଭ କରିଥିବେ । ଖ୍ରୀ:ପୂ: ତୃତୀୟ ଶତକ ବେଳକୁ ଅର୍ଥାତ୍ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟବେଳେ ଓଡ଼ିଶାରେ ବୌଦ୍ଧଧର୍ମ ସାଙ୍ଗକୁ ବ୍ରାହ୍ମଣ୍ୟ ଧର୍ମ ରହିଥିଲା । ଖାରବେଳଙ୍କ ସମୟ (ଖ୍ରୀ:ପୃ: ପ୍ରଥମଦ୍ବିତୀୟ ଶତାବ୍ଦୀ)ରେ ଓଡ଼ିଶା ବ୍ରାହ୍ମଣ୍ୟଧର୍ମ, ବୌଦ୍ଧ ଓ ଜୈନଧର୍ମର ଉପାସନା ପୀଠ ଥିଲା ।
ଖ୍ରୀଷ୍ଟଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମର ଉତ୍ପତ୍ତି ପୂର୍ବରୁ ଏହି କ୍ଷେତ୍ରରେ ଉପସିତ ଦେବତାଙ୍କ ବିଗ୍ରହ ସ୍ବରୂପ କ'ଣ ଥିଲା ତାହା ଗବେଷଣାସାପେକ୍ଷ । ସମୟାନୁକ୍ରମେ ବିବର୍ତ୍ତନ ଘଟି ଏହି ଦେବତା ଏକ’ରୁ ‘ବହୁ ରେ ପରିଣତ ହୋଇଛନ୍ତି । ଏବେ ଜଗନ୍ନାଥ- କୃଷ୍ଣବାସୁଦେବ ଭାବରେ ଉପାସିତ ହେଉଛନ୍ତି । ତାଙ୍କର ରୀତିନୀତିରେ ବିଭିନ୍ନ ଧର୍ମ ଓ ମତବାଦର ସମନ୍ବୟ ଦେଖିବାକୁ ମିଳେ ।
ସ୍ୱାମୀ ହରିହରାନନ୍ଦ ଗିରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଭାରତର ସର୍ବଧର୍ମ ଧାରଣାର ପ୍ରତିନିଧିତ୍ବ କରୁଥିବା ସର୍ବୋତ୍ତମ ଓ ଆଦର୍ଶ ମୂର୍ତ୍ତି ।
"Surely this is the ideal and best statue of India to all concepts" (୬୬) । ଡକ୍ଟର ହରେକୃଷ୍ଣ ମହତାବଙ୍କ ଭାଷାରେ : It would be unfair to identify this supremely catholic and cosmopolitan cult with any particular school of philosophy(୬୭)। ଏପରି ଉଦାର ସାର୍ବଜନୀନ ଧର୍ମ ପଦ୍ଧତିକୁ କୌଣସି ଏକ ନିର୍ଦ୍ଦିଷ୍ଟ ଦର୍ଶନ ଶୃଙ୍ଖଳା ସହିତ ଚିହ୍ନଟ କରାଯିବା ଯୁକ୍ତିଯୁକ୍ତ ହୋଇନପାରେ ।
ଏସାଇକ୍ଳୋପେଡ଼ିଆ ଆମେରିକାନାରେ ଉଲ୍ଲେଖ ଅଛି :
The worship of Jagannath, the god of the people, aims at a catholicity with every-form of Indian devotion and at the incorporation therein of every Indian conception of god.(୬୮)
ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଆଲୋଚନା ପ୍ରକାରେ ମାନବ ସମାଜରେ ତିନିଟି ଦୃଷ୍ଟିଭଙ୍ଗୀ ଧରି “ଦେବତା’ ଦେଖାଯାନ୍ତି- ଆଧ୍ୟାତ୍ମିକ, ଆବତାରିକ ଓ ସାଂସ୍କୃତିକ । ଯେଉଁ ଦେବତାଙ୍କୁ ମୂଳ କରି ଆଧ୍ୟାତ୍ମିକ ଚିନ୍ତା ବା ଦାର୍ଶନିକତା ଉତ୍ପତ୍ତି ଲାଭ କରେ ଏବଂ ବିଭିନ୍ନ ଦର୍ଶନର ସୂତ୍ରପାତ ହୁଏ, ତାହାଙ୍କୁ ‘ଆଧ୍ୟାତ୍ମିକ ଦେବତା’ କୁହାଯାଏ । *ଆବତାରିକ ଦେବତା’ ହେଲେ, ଯେଉଁମାନେ ମରଶରୀରରେ ରକ୍ତମାଂସଧାରୀମାନବ । ରୂପେ ଅବତୀର୍ଣ୍ଣ ହୋଇ ବିଶ୍ବନିୟନ୍ତାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାଦ୍ୱାରା ଜନସମାଜର ଉପାସ୍ୟ ହୋଇଉଠନ୍ତି । ଏମାନେ ସାଧାରଣ ମାନବ ତୁଲ୍ୟ ପ୍ରତୀୟମାନ ହେଲେ ସୁଦ୍ଧା ଐଶ୍ବରୀୟ ଶକ୍ତିସମ୍ପନ୍ନ । ଅପରଟି ହେଉଛି ‘ସାଂସ୍କୃତିକ ଦେବତା' । ପ୍ରଥମୋକ୍ତ ଦେବତାଙ୍କ ତୁଲ୍ୟ ଏହାଙ୍କୁ


୬୬. The secrets and significance of the idol worship of the Hindus-Swami H. Giri.
୬୭. Orissa History- Dr. H.K. Mahatab
୬୮. The Encyclopaedia Americana (1829)

୫୪ । ଶ୍ରୀଜଗନ୍ନାଥ