ପୃଷ୍ଠା:ShreeJagannath.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର)ର ସ୍ୱତ୍ୱଲିପି ବା ଅଧିକାର-ଅଭିଲେଖ (Record of Rights) ଅନୁସାରେ ଉକ୍ତ ମନ୍ଦିରରେ ୧୧୯ ପ୍ରକାର ବା ବର୍ଗର ସେବା ବ୍ୟବସ୍ଥା ଅଛି । ଅଧିକାଂଶ ସେବା ବଂଶାନୁକ୍ରମିକ । ସେବକମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଶ୍ରେଣୀର ସେବକ ଅଛନ୍ତି ।

ମାଦଳାପାଞ୍ଜି (ସଂପାଦନା-ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି)ରେ ଉଲ୍ଲେଖ ଅଛି ଯେ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ (ଖ୍ରୀଷ୍ଟାବ୍ଦ ୧୨୧୧-୧୨୩୮) ପ୍ରଥମ କରି 'ଛତିଶା ନିଯୋଗ ଭିଆଇଲେ' । ୨ୟପାଞ୍ଜିମତେ "ପତି, ମୁଦିରଥ, ପଣ୍ଡ।, ପଶୁପାଳକ, ଖୁଣ୍ଟିଆ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡୁ, ସୁଆର, ମୁଦୁଲି, ପଢ଼ିଆରୀ ଆଉ ସମସ୍ତ ସେବକ କରି ଛତିଶା ନିଯୋଗ କଲେ ।...ଦ୍ୱାଦଶ ଯାତ୍ରା ପର୍ବପର୍ବାଣିମାନ ଭିଆଣ କଲେ ।" ଉକ୍ତ ମାଦଳାପାଞ୍ଜିରୁ ଜଣାଯାଏ ଯେ ରାଜା ଅନଙ୍ଗଭୀମଦେବ ଛତିଶା ନିଯୋଗ ଅର୍ଥାତ୍ ୩୬ ବର୍ଗର ସେବା ପ୍ରଚଳନ କରାଇଥିଲେ । 'ନିଯୋଗ' କହିଲେ ବୁଝାଯାଏ ଯେ ଏକ ନିର୍ଦ୍ଦିଷ୍ଟ ସେବାକାର୍ଯ୍ୟ ସଂପାଦନା କରୁଥିବା ସେବକମାନଙ୍କର ଏକ ଗୋଷ୍ଠୀ ବା ସଂଘ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ରେ ଉଲ୍ଲେଖ ଅଛି - 'Nijoga means an association of sevaks...'

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଅନ୍ୟ ଏକ ମାଦଳାପାଞ୍ଜି ଉପରେ ନିର୍ଭର କରି ଲେଖିଛନ୍ତି ଯେ, ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଆଗମନ ପୂର୍ବରୁ କେବଳ ଦଇତା ଓ ପତିମାନେ ଶ୍ରୀଜଗନ୍ନାଥଙ୍କର ସେବକ ଥିଲେ । ଶଙ୍କରାଚାର୍ଯ୍ୟଙ୍କ ସମୟରେ ଛଅ ଗୋଟି ନିଯୋଗକୁ ବୃଦ୍ଧି ପାଇଲା । ଅନଙ୍ଗଭୀମ ଦେବଙ୍କ ସମୟରେ ନାରଦୀୟ ସେବକ ରୂପେ ବୀଣାକାର ଓ ପୁରାଣପଣ୍ଡା ଶ୍ରୋତ୍ରିୟ ବ୍ରାହ୍ମଣମାନେ ନିଯୁକ୍ତି ପାଇଲେ (ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତ‌ତ୍ତ୍ୱ) ।

ଖ୍ରୀଷ୍ଟାବ୍ଦ ୧୮୦୩ରେ ଓଡ଼ିଶା ବ୍ରିଟିଶ ଶାସନର ଅଧିକାରଭୁକ୍ତ ହୋଇଥିଲା । ଖ୍ରୀଷ୍ଟାବ୍ଦ ୧୮୦୫ରେ ପୁରୀରେ ଅବସ୍ଥାପିତ ବ୍ରିଟିଶ କଲେକ୍ଟର ଚାର୍ଲସ ଗ୍ରାମ୍ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟାପାର ଉପରେ ତଥ୍ୟ ସମ୍ବଳିତ ଏକ ଦୀର୍ଘ ରିପୋର୍ଟ କଟକସ୍ଥ ଓଡ଼ିଶା ପ୍ରଦେଶ କମିସନରଙ୍କ ସେକ୍ରେଟାରୀଙ୍କ ପାଖକୁ ୧୦-୬-୧୮୦୫ ତାରିଖରେ ପଠାଇଥିଲେ । ଏହି ରିପୋର୍ଟରୁ ଶ୍ରୀମନ୍ଦିରର ତତ୍କାଳୀନ ପରିଚାଳନା, ରୀତିନୀତି, ଶ୍ରୀମନ୍ଦିର ପ୍ରତି ଇଂରେଜ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଅନେକ ମୂଲ୍ୟବାନ ତଥ୍ୟ ମିଳେ । ଏହି ରିପୋର୍ଟ ସହିତ ସଂଲଗ୍ନ ଅର୍ଥାତ୍

ଶ୍ରୀଜଗନ୍ନାଥ ୫୭