ପୃଷ୍ଠା:ShreeJagannath.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନୁଷଙ୍ଗିକ ତାଲିକା (୧୩ ନମ୍ବର)ରେ ଶ୍ରୀମନ୍ଦିରର ବିଭିନ୍ନ ସେବାର ନାମ ଉଲ୍ଲେଖ ଅଛି । ବାହାର ଦେଉଳ ସେବା ବ୍ୟତୀତ କେବଳ ମୁଖ୍ୟ ମନ୍ଦିରରେ ସେତେବେଳେ ୨୫୦ ଶ୍ରେଣୀର ସେବା ପ୍ରଚଳିତ ଥିବା ଜଣାଯାଏ । ମିଷ୍ଟର ଗ୍ରାମ୍ ଲେଖିଛନ୍ତି- “In former times the Establishment of the Temple of Jugunnath consisted of thirtysix and these were in consequence called the Chutees Neejoog, but from a period of at least two hundred years others have been added to these thirtysix, and the number now belonging to the Temple amount to 250."

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନେକ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ବା ବାହାର ଦେଉଳ ମନ୍ଦିରମାନଙ୍କରେ ସେବା କରୁଥିବା ସେବକମାନଙ୍କର ସଂଖ୍ୟା ଏହି ୨୫୦ ସଂଖ୍ୟା ମଧ୍ୟରେ ବୋଧହୁଏ ଅନ୍ତର୍ଭୁକ୍ତ ନାହିଁ । ମିଷ୍ଟର ଗ୍ରାମ୍ ପୁଣି ଲେଖିଛନ୍ତି-

Besides these Establishments which are denominated the establishments of Jugunnath there are others which are called the bahar Dewul Shewak annexed to the foregoing list. They are so named from their being appropriated to serve the Thakoors which surround the Temple.

ଗ୍ରୋମଙ୍କ ଏହି ରିପୋର୍ଟରେ ପ୍ରତ୍ୟେକ ସେବାର ବିବରଣୀ ନାହିଁ । କେବଳ ସେବାର ନାମତାଲିକା ରହିଅଛି । ଏହି ରିପୋର୍ଟରେ ଯେତେ ସଂଖ୍ୟକ ସେବା/ସେବକମାନଙ୍କ ନାମତାଲିକା ପ୍ରଦାନ କରାଯାଇଛି, ତାହା ଠିକ ବୋଲି ବିଚାରିବା ସନ୍ଦେହଜନକ । କାହିଁକି ନା ଗ୍ରୋମ୍‌ଙ୍କ ସମୟ (ଖ୍ରୀ. ୧୮୦୫) ପୂର୍ବରୁ ଥିବା ‘ଶ୍ରୀଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ସେବକ ଖଟଣି ନିଯୋଗ କର୍ମାଙ୍ଗୀ (ସଂକ୍ଷେପରେ କର୍ମାଙ୍ଗା)ରେ ଏତେ ସଂଖ୍ୟକ ସେବାର ଉଲ୍ଲେଖ ନାହିଁ । ଏହି ‘କର୍ମାଙ୍ଗା' ଖୁରୁଧା ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ (୨ୟ) (ଖ୍ରୀ. ୧୭୨୭-୧୭୩୬)ଙ୍କ ସମୟରେ ଲିପିବଦ୍ଧ ହୋଇଥିବା ଅନୁମାନ କରାଯାଏ ।।

ରାଜ୍ୟ ସରକାର ୧୯୬୦ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମନ୍ଦିରର ଅଧିକାର-ଅଭିଲେଖ (ରେକର୍ଡ଼ ଅଫ୍ ରାଇଟ୍‌ସ ) ପ୍ରସ୍ତୁତ କରାଇ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରିଥିଲେ । ଏହି ଅଧିକାର-ଅଭିଲେଖ ଅନୁସାରେ ବର୍ତ୍ତମାନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୧୧୯ ପ୍ରକାର ସେବାର ବ୍ୟବସ୍ଥା ଅଛି ।

୧. ଗଜପତି ମହାରାଜା ସେବା

ପୁରୀର ରାଜା ଶ୍ରୀଜଗନ୍ନାଥ ମନ୍ଦିରର ଆଦ୍ୟ ସେବକ । ତାଙ୍କ ସେବାର ନାମ 'ଗଜପତି ମହାରାଜା ସେବା । ତାଙ୍କର ପ୍ରଧାନ ଓ ଆକର୍ଷଣୀୟ ସେବା ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ାଯାତ୍ରା ଦିନ ତିନି ରଥରେ ଛେରାପହଁରା । ଏହା ବ୍ୟତୀତ ଦେବସ୍ନାନ ଯାତ୍ରାରେ ସ୍ନାନବେଦୀ ଉପରେ ଓ ଦୋଳଯାତ୍ରାରେ ଦୋଳବେଦୀ ଉପରେ ସେ ଛେରାପହଁରା କରନ୍ତି ।

୫୮ । ଶ୍ରୀଜଗନ୍ନାଥ