ପୃଷ୍ଠା:ShreeJagannath.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚନ୍ଦନ ଯାତ୍ରାରେ ମଧ୍ୟ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ ଛେରାପହଁରା କରିପାରିବେ । ତାଙ୍କର ଅନୁପସ୍ଥିତିରେ ମୁଦିରସ୍ତ ସେବା କରିପାରିବେ । ରାଜବେଶ ଦିନମାନଙ୍କରେ ଶ୍ରୀମନ୍ଦିରକୁ ବିଜେକଲେ ରାଜନୀତି କରିପାରିବେ । ଗଜପତି ମହାରାଜାଙ୍କୁ ଚଳନ୍ତି ବିଷ୍ଣୁ ବୋଲି ବିବେଚନା କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଏ । ଯାତ୍ରୀମାନେ ତାଙ୍କୁ ଦର୍ଶନ କରି ଭେଟି ଦେଲେ ସେ ତାହା ବ୍ୟକ୍ତିଗତ ଭାବେ ପାଇବେ । ସେ ଶ୍ରୀମନ୍ଦିରକୁ ପାଲିଙ୍କିରେ ବାଜା ଓ କାହାଳି ସହ ଯାଇପାରିବେ । ସେପରି ଗଲେ ତାଙ୍କର ପାଲିଙ୍କି ସିଂହଦ୍ୱାର ବେଢ଼ାରେ ରହେ । କରଣ, ପରିଛା ଓ ସେବକମାନେ ତାଙ୍କୁ ଭିତରକୁ ପାଛୋଟି ନିଅନ୍ତି । ବାଜା ଓ କାହାଳି ତାଙ୍କ ସହିତ ଭିତରକୁ ଯାଇପାରିବ । ରାଣୀ ଯଦି ରାଜାଙ୍କ ସହିତ ଶ୍ରୀମନ୍ଦିରକୁ ଯାଆନ୍ତି ତେବେ ତାଙ୍କର ସବାରି ଭିତରବେଢ଼ାର ବଟବୃକ୍ଷ ଯାଏ ଯିବ । ତା' ପୂର୍ବରୁ ଭିତର ଓ ବାହାର ବେଢ଼ାରେ ଲୋକମାନଙ୍କୁ ଖାଲି କରାଯିବ । କେବଳ କେତେକ ନିର୍ଦ୍ଦିଷ୍ଟ ସେବକ ଓ କର୍ମଚାରୀ ରହିବେ । କେବଳ ମୁଦିରସ୍ତ ସେବକ ତାଙ୍କ ସହିତ ରହି ଦର୍ଶନ କରାଇବେ । ରାଣୀଙ୍କ ଏ ପ୍ରକାର ଦର୍ଶନ ବ୍ୟବସ୍ଥାକୁ 'ଗହଣ ବିଜେ' କୁହାଯାଏ । ରାଣୀଙ୍କ ସହିତ ତାଙ୍କର ଦାସୀ ରହିପାରିବେ । (ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୪୧ ବର୍ଷ ପରେ ଗହଣ ବିଜେ ନୀତି ତା ୮.୪.୨୦୭ରେ ଆୟୋଜିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ରାଣୀ ଶ୍ରୀମତୀ ଲୀଳାବତୀ ପାଟମହାଦେଈ ରାଜା ଶ୍ରୀ ଦିବ୍ୟସିଂହ ଦେବ ଓଗେରଙ୍କ ସହିତ 'ଗହଣ ବିଜେ' କରିଥିଲେ ।) ।

ଆଶ୍ୱିନ ମାସରେ ରାଜା ଗୁଆ ନଡ଼ିଆ ଟେକି ଦେଲେ ବିମଳା ଠାକୁରାଣୀ ଓ ଅନ୍ୟାନ୍ୟ କେତୋଟି ଦେବୀପୀଠମାନଙ୍କରେ ବ୍ରାହ୍ମଣମାନେ ବରଣ ହୋଇ କର୍ମ କରନ୍ତି । ନବକଳେବର ସମୟରେ ରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ, ରାଜଗୁରୁ ଦଇତାମାନଙ୍କୁ ଦିଅନ୍ତି ଏବଂ ତାପରେ ବିଧି ମୁତାବକ ଦାରୁ ଅକ୍ଳେଷଣ ଅଭିଯାନ ଆରମ୍ଭ ହୁଏ। ବାହୁଡ଼ା ରଥଯାତ୍ରାରେ 'ଲକ୍ଷ୍ମୀ ନାରାୟଣ ଭେଟ' ନୀତିରେ ନଅର ଦୁଆରେ ରାଜା ବନ୍ଦାପନା ଇତ୍ୟାଦି ନୀତି କରନ୍ତି । ରୁକ୍ମିଣୀ ବିବାହ ପରଦିନ ‘ଚମ୍ପକ ଦ୍ୱାଦଶୀ'ରେ ନଅର ଦ୍ୱାରରୁ ‘ବର କନ୍ୟା’ଙ୍କୁ ପାଛୋଟି ନିଅନ୍ତି ଏବଂ ସେଠାରେ ରାଜାଙ୍କର ଏକ ନୀତି 'ରାଜନୀତି' କରାଯାଏ ।

'ଗଜପତି ମହାରାଜା ସେବା’ ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା (Law of primogeniture ଅନୁଯାୟୀ) । ତାଙ୍କର ସେବାଜନିତ ପ୍ରାପ୍ୟ ପାଉଣା ଓ ଅନ୍ୟାନ୍ୟ ବିବରଣୀ ବିସ୍କୃତ ଭାବରେ ‘ସୃତ୍ୱ‌ଲିପି'ରେ ଲିପିବଦ୍ଧ ରହିଛି । ସେ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବଂଶାନୁକ୍ରମିକ ସଭାପତି ।

୨. ପରିଚ୍ଛା (ପରୀକ୍ଷା) | ରାଜଗୁରୁ

ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ ଓଡ଼ିଶା ରାଜାମାନଙ୍କ କାଳରେ ଏହି ପରିଚ୍ଛା ହିଁ ଶ୍ରୀମନ୍ଦିରର ପରିଚାଳକ ଥିଲେ, ସବୁ ନୀତି ଓ ସେବକମାନଙ୍କ କାର୍ଯ୍ୟ ତଦାରଖ କରୁଥିଲେ । କୌଣସି ସେବକ କାର୍ଯ୍ୟରେ ତୁଟି କଲେ ରାଜାଙ୍କୁ ରିପୋର୍ଟ କରୁଥିଲେ । ଖ୍ରୀଷ୍ଟାବ୍ଦ ୧୮୦୩ରେ ଇଂରେଜମାନଙ୍କ

ଶ୍ରୀଜଗନ୍ନାଥ । ୫୯