ପୃଷ୍ଠା:ShreeJagannath.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେତେବେଳେ ବିଜେ ପ୍ରତିମାମାନଙ୍କୁ ଚନ୍ଦନ ଚାପ, ବେଣ୍ଟ ଆଦି ନୀତିରେ ଯେଉଁ ସ୍ଥାନକୁ ନିଅନ୍ତି, ମହାଜନମାନେ ସେମାନଙ୍କ ସହିତ ଦିଅଁଙ୍କ ‘ପ୍ରଭା’ ଧରି ନିଅନ୍ତି । ଦମନକ ଚୋରି ଅଧିବାସ ଗୃହରେ ଥିବା ଲକ୍ଷ୍ମୀ, ସରସ୍ୱତୀ (ଭୂଦେବୀ) ଓ ମଦନମୋହନଙ୍କର ବଲ୍ଲଭ ଭୋଗ କରନ୍ତି । ରାମ ଜନ୍ମ ନୀତିରେ ଦଶରଥ, କୌଶଲ୍ୟା, କୃଷ୍ଣ ଜନ୍ମରେ ବସୁଦେବ, ଦେବକୀ, ନନ୍ଦ ଓ ଯଶୋଦା, ବାମନ ଜନ୍ମରେ ଅଦିତି ଓ କଶ୍ୟପ ହୋଇ ବସନ୍ତି । ଶ୍ରୀଗୁଣ୍ଡିଚା ସମୟରେ ଲକ୍ଷ୍ମୀ ଶ୍ରୀଦେବୀ), ଭୂଦେବୀ ଖଟ ଶେଯ ଘରେ ଥିବାବେଳେ ବଲ୍ଲଭ ଭୋଗ କରନ୍ତି । ଗୁରୁବାର ମାଜଣା ନୀତି କରନ୍ତି । ଚନ୍ଦନ ଯାତ୍ରା (୨୧) ଦିନ ମଦନମୋହନଙ୍କୁ ପ୍ରତ୍ୟେକ ଦିନ ବେଶ କରନ୍ତି ।
ଏମାନେ ପୁଷ୍ପାଳକ ସେବା କଲାପରେ ମହାଜନ ସେବା କରି ପାରିବେ ।
୧୨. ମୁଦ୍ରା ସେବକ
ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ରେ ଚନ୍ଦନଲାଗି ନୀତିପାଇଁ ଘଟୁଆରିଠାରୁ ଚନ୍ଦନ ଆଣି ପୃଷ୍ଠାଳକଙ୍କୁ ଦିଅନ୍ତି । ପୁଷ୍ପାଞ୍ଜଳି ଠାକୁରଙ୍କ ବାହୁଡା ବିଜେ ବେଳେ ଆଗରେ ବଇଠା ଦେଖାନ୍ତି ପହୁଡ଼ ପରେ କଳାହାଟ ଦ୍ୱାର ବନ୍ଦ ସମୟରେ ପ୍ରତିହାରୀ କଡ଼ା ବନ୍ଦ କରି ମାଟି ମୁଦ ଦେଲେ ମୁଦା ସେବକ ମୁଦୁଲିଙ୍କଠାରୁ ନେଇ ମାଟିରେ ମୁଦ୍ରାଦେଇ ମୁଦୁଲିକୁ ଫେରାଇ ଦିଅନ୍ତି । କୁମାରପୂର୍ଣ୍ଣମୀ ଦିନ ଲକ୍ଷ୍ମୀମନ୍ଦିର ଜଗମୋହନରେ ଲକ୍ଷ୍ମୀ ଓ ମଦନମୋହନଙ୍କ ମଧ୍ୟରେ କଉଡ଼ି ଖେଳରେ କଉଡ଼ି, ପଶା ଖେଳାନ୍ତି । ପୁଣି ବଡ଼ସିଂହାର ଭୋଗ ସରିବା ପରେ ସିଂହାସନ ତଳେ ପୁଷ୍ପାଳକ ଓ ପଣ୍ଡାଙ୍କୁ କଉଡ଼ି ଖେଳାନ୍ତି । ଖେଳରେ ହାରି ମାଧବ ଲକ୍ଷ୍ମୀମନ୍ଦିରକୁ ବିଜେ କଲାବେଳେ ଏ ସେବକ ଆଗରେ ବଇଠା ଦେଖାନ୍ତି । ବସନ୍ତପଞ୍ଚମୀ ଦିନ ଦୋଳ ଦଶମୀରୁ ଚତୁର୍ଦ୍ଦଶୀ ଯାଏଁ ବିଭିନ୍ନ ନୀତି ପାଇଁ ସଂପୃକ୍ତ ସେବକମାନଙ୍କୁ ଫଗୁ ଓ ଚନ୍ଦନଗୁଣ୍ଡ ଆଦି ଯୋଗାନ୍ତି ।
ଶାଢ଼ିବନ୍ଧା, ବଂଶାନୁକ୍ରମିକ ବ୍ରାହ୍ମଣ ସେବକ । ବ୍ରତପରେ ସେବା କରନ୍ତି ।
୧୩. ଖୁଣ୍ଟିଆ
ମଙ୍ଗଳ ଆଳତିପାଇଁ ପୃଷ୍ଠାଳକଙ୍କୁ ଡାକନ୍ତି । ଅବକାଶ ବେଳେ ତଡ଼ପ ଉତୁରୀ ନୀତିରେ ଓ ରାତ୍ର ଚନ୍ଦନ ଲାଗି ସମୟରେ ଖଣ୍ଡୁଆ ଧରି ଦିଅଁମାନଙ୍କ ସାମନାରେ ଠିଆ ହୁଅନ୍ତି । ପ୍ରତି ବେଶରେ ବଟା ଉପରୁ ମାଳଚୂଳ ପୃଷ୍ଠାଳକଙ୍କୁ, ଷୋଡ଼ଶ ଉପଚାର ଭୋଗରେ ପୂଜାପଣ୍ଡାଙ୍କୁ ମାଳ ଦିଅନ୍ତି । ରତ୍ନ ସିଂହାସନରେ ଶ୍ରୀଅଙ୍ଗ ଲାଗି ଜିନିଷ ପାଇଁ ଏମାନେ ପାଳିଆ ମେଳାପଙ୍କ ସହିତ ଦାୟୀ ରହନ୍ତି । ପୂଜା ପଣ୍ଡା ଓ ପୁଷ୍ପାଳକ ସେବାପାଇଁ ଭିତରକୁ ଗଲେ ଏହାଙ୍କୁ କହି କରି ଯାଆନ୍ତି ଓ କହି କରି ଆସନ୍ତି । ପୁଷ୍ପାଳକ ରତ୍ନସିଂହାସନକୁ ଉଠିବା ଓ ଓହେଇବା ବେଳେ ଏମାନେ ଶ୍ରୀଅଙ୍ଗ ମଣତି କରନ୍ତି । ଦଇତାପତି ଗଲେ ମଧ୍ୟ ମଣତି ହୁଏ । ଅଳଙ୍କାର ଲାଗିଲେ ବଡ଼ ସିଂହାର ବେଶ ସରିଲେ ପୁଷ୍ପାଳକ ହାତକୁ କର୍ପୂର ବଢ଼ାନ୍ତି । ପଲଙ୍କ ବିଜେପାଇଁ ଖଟଶେଯ ମେଳା ପଙ୍କୁ ଡାକନ୍ତି । ପୁଷ୍ପାଞ୍ଜଳି ଠାକୁରଙ୍କ ସହ ମଣିମା' ଡାକଦେଇ ଜୟ ବିଜୟ ଦ୍ୱାରକୁ ଆସନ୍ତି । ଛାମୁଖୁଣ୍ଟିଆ ସେବା ରେ ମଣିମା' ଡାକ ଦେବା ବେଳେ ବେତ ଧରନ୍ତି ।

ଶ୍ରୀଜଗନ୍ନାଥ । ୬୫