ପୃଷ୍ଠା:ShreeJagannath.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମାବାସ୍ୟା ଦିନ ଚିତାଲାଗି, ଗହ୍ମାପୂର୍ଣ୍ଣିମାରେ ମାର୍କଣ୍ଡ ପୋଖରୀରେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ, ରାତ୍ରରେ ସୁଦର୍ଶନ ବିଜେ, ରେଖାପଞ୍ଚମୀରେ ରାହୁରେଖା ଲାଗି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣିମା ଦିନ ସୁଦର୍ଶନ ବିଜେ, ଖସାପଡ଼ା ଓ ପଇତାଲାଗି ଇତ୍ୟାଦି କାର୍ଯ୍ୟ କରନ୍ତି ।

ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରିବିଜେ (ଆଷାଢ଼ ଶୁକ୍ଳ ତ୍ରୟୋଦଶୀ) ଯାଏଁ ବିଶେଷ କାର୍ଯ୍ୟରତ ରହନ୍ତି । ନବକଳେବର ସମୟରେ ଦାରୁ ଅନ୍ୱେଷଣ, ମୂର୍ତ୍ତି ନିର୍ମାଣ, ବ୍ରହ୍ମ ପରିବର୍ତ୍ତନ, ବିସର୍ଜିତ ଦାରୁବିଗ୍ରହ ନିମନ୍ତେ ଶୁଦ୍ଧିକ୍ରିୟା ପାଳନ ଇତ୍ୟାଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ଗୁପ୍ତନୀତି ନିର୍ବାହ କରନ୍ତି । ଏମାନଙ୍କର ସେବା ଗୋଷ୍ଠୀଗତ । ଶାଢ଼ି ବନ୍ଧାଇବା ଅନାବଶ୍ୟକ । କେବଳ ଦାରୁ ଅନ୍ୱେଷଣରେ ଗଲେ ଶାଢ଼ି ପାଆନ୍ତି । ଏହି ସେବା ବଂଶାନୁକ୍ରମିକ ।

୨୧. ପତି ମହାପାତ୍ର ଦୈନିକ ନୃସିଂହଙ୍କ ସେବା, ଜଗନ୍ନାଥଙ୍କ ବାଡ଼ିରେ ପହୁଡ଼ ଆଳତି, ସବୁ ପର୍ବପର୍ବାଣିରେ ବନ୍ଦାପନା, ଚନ୍ଦନ ସର୍ବାଙ୍ଗ, ମଙ୍ଗଳାରୋପଣରେ ଦେବୀ ସୁଭଦ୍ରାଙ୍କ ବାଡ଼ିରେ ସେବା କରନ୍ତି । ସ୍ନାନପୂର୍ଣ୍ଣିମା ଦିନ ବେଦୀରୁ ଦିଅଁମାନେ ଫେରିଲା ବେଳେ, ରଥକୁ ବିଜେ କରିଲା ବେଳେ, ରଥରୁ ଗୁଣ୍ଡିଚା ମନ୍ଦିରକୁ ବିଜେ ସମୟରେ, ଗୁଣ୍ଡିଚା ମନ୍ଦିରରୁ ରଥକୁ ବିଜେ ଓ ରଥରୁ ନୀଳାଦ୍ରି ବିଜେ ବେଳେ ଏ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତି, କର୍ପୂରଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମବିଧି, ହୋମ ଓ ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପୂଜାପଣ୍ଡା ଓ ମୁଦିରସ୍ତ ସହିତ ବ୍ରହ୍ମା ବରଣ ହୁଅନ୍ତି । ଅଣସର ପଟି ଘରେ ଭୋଗ କରନ୍ତି । ଦଇତାଙ୍କ ସହିତ ପ୍ରସାଦ ଲାଗି, ପଣାଲାଗି, ଖଡ଼ିଲାଗି, ଖଳି ଲାଗି, ଫୁଲୁରୀ ଲାଗି ଇତ୍ୟାଦି କାର୍ଯ୍ୟ କରନ୍ତି । ଅଣସର ପିଣ୍ଡିରେ ଭିତରଚ୍ଛଠାରୁ ଶାଢ଼ି ପାଇ ଦାରୁ ଅନ୍ୱେଷଣରେ ବାହାରନ୍ତି । ତା' ପୂର୍ବରୁ ତିନି ବାଡ଼ରୁ ଆଜ୍ଞାମାଳ ବାହାର କରି ତିନି ବାଡ଼ର ବାଡ଼ଗ୍ରାହୀ ଦଇତାଙ୍କୁ ଦେଇ ନିଜେ ସୁଦର୍ଶନଙ୍କ ବାଡ଼ର ଆଜ୍ଞାମାଳ ନେଇଥାନ୍ତି । ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ଯାଗ ପରେ ପ୍ରଥମେ ସୁନା କୁରାଢ଼ିରେ ଦାରୁବୃକ୍ଷଙ୍କୁ ସ୍ପର୍ଶ କରନ୍ତି । ଦାରୁକୁ ଭୋଗ କରନ୍ତି । ବିଗ୍ରହ ନିର୍ମାଣ ବେଳେ ଦକ୍ଷିଣୀ ଘରୁ ନୃସିଂହ ଠାକୁରଙ୍କୁ ନେଇ ଦାରୁ ଘରେ ବିଜେ କରାଇ ସେଠାରେ ଠାକୁର ରହିବା ଦିନତକ ତାଙ୍କର ପୂଜା କରନ୍ତି । ଘଟ ପରିବର୍ତ୍ତନ ଓ ବିସର୍ଜନ ସେବା କରନ୍ତି ।

ପତି ମହାପାତ୍ରଙ୍କ ସହିତ ଦଇତା ସେବାର ଘନିଷ୍ଠ ସଂପର୍କ ରହିଛି । ତେଣୁ ଦଇତାପତି ନିଯୋଗ କୁହାଯାଏ । ପତି ମହାପାତ୍ର ବ୍ରାହ୍ମଣ ସେବକ, ଦଇତା ବ୍ରାହ୍ମଣ ନୁହଁନ୍ତି । ପତି ମହାପାତ୍ରଙ୍କର ମଧ୍ୟ ମହାଜନ ସେବା ଅଛି । ମହାଜନ ହିସାବରେ ଦକ୍ଷିଣୀ ଘର ସେବା ଓ ମହାଜନ ସେବା ଅଛି । ଏ ସେବା ବଂଶାନୁକ୍ରମିକ ।

୨୨. ପତ୍ରିବଡ଼ୁ ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜାପାଇଁ ପୂଜାସ୍ଥଳରେ ପୂଜା ଦ୍ରବ୍ୟ ଯୋଗାଇବା; ବଲ୍ଲଭଠାରୁ ବଡ଼ସିଂହାର ଭୋଗ ପର୍ଯ୍ୟନ୍ତ ପ୍ରତି ଭୋଗରେ ପୂଜା ଠା' କରିବା; ମୁଦୁଲିଠାରୁ ପାତ୍ର ସଜ ନେଇ ଫୁଲ,

ଶ୍ରୀଜଗନ୍ନାଥ ୬୯