Jump to content

ପୃଷ୍ଠା:ShreeJagannath.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପଣା ଓ ଆଲଟ ଲାଗିପାଇଁ ପଣା ଏହାଙ୍କର ସରଘରେ ପ୍ରସ୍ତୁତ ହୁଏ । ବାଳଧୂପ, କାଳୀୟଦଳନ, ଏକାଦଶୀରେ ବନଭୋଜି ସର ଜଗିବା, ଜଳକ୍ରୀଡ଼ାରେ ପଣାଭୋଗ ଓ ଗ୍ରହଣ ବେଳେ ଖଇକୋରା ଭୋଗ ଜଗିବା, ମକର ସଂକ୍ରାନ୍ତରେ ଗୁଡ଼ିଆ ଓ ମହାଭୋଇ ଦେଉଥିବା ଜିନିଷକୁ ଜଗିବା । ଅଣସର ପଣାପାଇଁ ସାଚି ଯୋଗାଇବା, ପହିଲି ଭୋଗ ମାସରେ ଦୈନିକ ମସଲା, ଅଦା ଛେଚା, ଖୁଦି ନଡ଼ିଆ ରୋଷକୁ ଯୋଗାଇବା, ଗୁଣ୍ଡିଚା, ମକର ଓ ସାତପୁରୀ ନୀତିରେ ଘିଆ ବାଣ୍ଟିବା ଇତ୍ୟାଦି କାର୍ଯ୍ୟ କରନ୍ତି ।
ଏମାନେ ବଂଶାନୁକ୍ରମିକ, ଶାଢ଼ିବନ୍ଧା କରଣ ସେବକ ।
୬୨. ବିରିବୁହା ସେବକ
ପ୍ରତ୍ୟେକ ଦିନ କୋଠଭୋଗ ପାଇଁ ବିରିବଟାଠାରୁ ବଟା ବିରି ବୋହିନେଇ କୋଠଭୋଗ ସୁଆରଙ୍କ ଜିମା ଦିଅନ୍ତି । କୋଠଭୋଗ ରୋଷରେ ସୁଆରକୁ ଯୋଗାନ୍ତି । ବଂଶାନୁକ୍ରମିକ, ସୂପକାର ଶ୍ରେଣୀର ସେବକ ।
୬୩. ଦଉଡ଼ି ବଳା
ଶ୍ରୀଜୀଉଙ୍କ ନିତ୍ୟ ବ୍ୟବହାରପାଇଁ ବିମଳାଙ୍କ କୂଅରୁ ପାଣି ଟାଣିବା ସକାଶେ ଏ ସେବକ ଦଉଡ଼ି ଯୋଗାନ୍ତି ।
ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସଂପ୍ରତି ଏ ସେବା ବନ୍ଦ ।
୬୪. ଚୂନରା ଗରୁଡ଼ ସେବକ
ଗରୁଡ଼ଙ୍କ ସେବା, ଏକାଦଶୀରେ ଦେଉଳ ଶିଖରକୁ ମହାଦୀପ ଉଠାଇବା, ନୀଳଚକ୍ରରେ ଧଜା ବାନ୍ଧିବା, ମକର ସଂକ୍ରାନ୍ତିରେ ଚନ ଓ ଗେରୁ ଲଗାଇବା, ଶ୍ରୀମନ୍ଦିରର ଧୂପ ଶିଳାନେଇ ଗୁଣ୍ଡିଚାଘରେ ବାନ୍ଧିବା, କନକ ମୁଣ୍ଡି ଉପରେ, ସିଂହାସନ ଉପରେ, ଅଣସର ସମୟରେ ପନ୍ତି ଉପରେ, ଅଣସର ପିଣ୍ଡି ଉପରେ, ଦକ୍ଷିଣୀ ଘରେ, ସ୍ନାନବେଦୀ ଓ ଗୁଣ୍ଡିଚା ଘରେ ଚାନ୍ଦୁଆ ବାନ୍ଧିବା, ଦେବ ଦୀପାବଳୀ ତିନିଦିନ ଦେଉଳରେ ଦୀପ ଜାଳିବା ଏହାଙ୍କ କାର୍ଯ୍ୟ ।
ଶାଢ଼ୀ ବନ୍ଧା ଖୁଦ ସେବକ । ସେବା ବଂଶାନୁକ୍ରମିକ ।
୬୫. ସାବତ ନିଯୋଗ
ଏମାନେ ପଞ୍ଚତୀର୍ଥ (ସ୍ବର୍ଗଦ୍ବାର, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ)ରେ ଯାତ୍ରୀ ସଂକଳ୍ପ, ଶ୍ରାଦ୍ଧ ଓ ଦାନ କରାନ୍ତି । ପ୍ରତ୍ୟେକ ଅମାବାସ୍ୟା ଦିନ ଠାକୁର ସାଗର ବିଜେ କଲେ ସ୍ୱର୍ଗଦ୍ୱାରରେ ପାଛୋଟି ନେଇ ଏକ ହାଣ୍ଡି ପଣା ଭୋଗ କରାଇବା, ସ୍ନାନପୂଣ୍ଡିମାରେ, ରଥ ଉପରେ, ଆଡ଼ପ ଘରେ, କୁମାରପୂର୍ଣିମାରେ, ଧନୁ ମାସରେ, ନୃସିଂହ ଜନ୍ମରେ, କଳୀୟ ଦଳନ ଏକାଦଶୀରେ ଠାକୁରମାନଙ୍କୁ ଭୋଗ କରନ୍ତି ।

ଶ୍ରୀଜଗନ୍ନାଥ ୮୧