ପୃଷ୍ଠା:ShreeJagannath.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୭୯. ପ୍ରସାଦ ବଡ଼ୁ
ଶ୍ରୀମନ୍ଦିରରୁ ଠାକୁରଙ୍କର ପ୍ରସାଦାଦି ଦ୍ରବ୍ୟକୁ ନଅରକୁ ନେଉଥିବା ସେବକ । ତାଟୁଆ ଦ୍ବାରା ଦୈନିକ ଓ ପର୍ବପର୍ବାଣି ତାଟମାନ ଯାହା ମନ୍ଦିରରୁ ନଅରକୁ ଯାଏ, ସେସବୁ ପ୍ରସାଦବଡ଼ୁ ମହାସୁଆରଙ୍କଠାରୁ ବୁଝି ନେଇ ନିଜର ସିଲ୍ ଦେଇ ପଠାନ୍ତି । ନଅରକୁ ଯେଉଁ ପ୍ରସାଦ ଚନ୍ଦନ ଇତ୍ୟାଦି ଘଣ୍ଟଛତା କାହାଳି ଦେଇ ଯିବା କଥା ସେସବୁ ନିଜେ ପ୍ରସାଦବଡ଼ୁ ନିଅନ୍ତି ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ; ସେବା ବଂଶାନୁକ୍ରମିକ ।
୮୦. ତାଟୁଆ
ପ୍ରସାଦବଡ଼ୁଠାରୁ ଯେଉଁ ତାଟ, ଘଣ୍ଟ, ଛତା କାହାଳୀ ଜବାଜି ନଅରକୁ ଯିବ ସେ ସବୁ ଜିନିଷ ତାଟୁଆ ନିଅନ୍ତି । ଏହି ସେବା ଶାଢ଼ିବନ୍ଧା କିମ୍ବା ବଂଶାନୁକ୍ରମିକ ନୁହେଁ । ବ୍ରାହ୍ମଣ କିମ୍ବା ଛୁଆଁ ଜାତିର ଲୋକ ସେବା କରିପାରିବେ ।
୮୧. ପତର ବନ୍ଧା
ଶ୍ରୀମନ୍ଦିରରୁ ନଅରକୁ ଯେତେ ତାଟ ଯାଏ, ଏ ସେବକ ପତରରେ ବାନ୍ଧି ତାଟୁଆକୁ ଦିଅନ୍ତି । ଏହି ସେବକ ଚଷା ଜାତିର, ଶାଢ଼ିବନ୍ଧା ନୁହେଁ । ବର୍ତ୍ତମାନ ଏହି ସେବା ହେଉନାହିଁ ।
୮୨. ବଜୟ (ବାଦ୍ୟକାର)
ଦୈନିକ ସକାଳ ଧୂପ ଓ ସଂଧ୍ୟାଧୂପ ପରେ ବାଜା ବଜାନ୍ତି । ବର୍ଷ ତମାମ ପ୍ରତ୍ୟେକ ଯାନିଯାତ୍ରା, ପର୍ବପର୍ବାଣି, ବେଢ଼ା ଭିତର ଓ ବାହାର ବିଜେ, ରଥ, ଚାପ ଓ ଚନ୍ଦନ ଯାତା ଆଦିରେ ବାଜା ବଜାଇବେ । ଦୈନିକ ଧୂପ ବେଳେ ନାଭିକଟା ମଣ୍ଡପରେ ବସି ବାଜା ବଜାଇବେ । ସ୍ନାନପୂର୍ଣ୍ଣିମା ପରଠାରୁ ଘଣାଲାଗି ଦଶମୀ ଯାଏଁ ବାଜା ବନ୍ଦ ରହେ ।
ବଂଶାନୁକ୍ରମିକ ଖଣ୍ଡାଏତ ସେବକ, ଶାଢ଼ିବନ୍ଧା ନୁହନ୍ତି ।
୮୩. ଛତାର ସେବକ
ପ୍ରତିଦିନ ବଡ଼ସିଂହାର ପହୁଡ଼ ଆଳତି ବେଳେ ଶୟନଠାକୁରଙ୍କ ପାଖରେ ଛତି ଧରି କଳାହାଟ ଦ୍ବାରରେ ଠିଆ ହୁଅନ୍ତି । ପହୁଡ଼ ଆଳତି ପରେ ଶୟନଠାକୁରଙ୍କ ସହ ଡମ୍ବରୁଠାକୁ ଆସନ୍ତି । ଆଳତି ସରିଲେ ଭିତରକୁ ବିଜେକରି ଛତି ଭଣ୍ଡାର ଦ୍ବାରରେ ରଖନ୍ତି । ପ୍ରତି ବାହାର ଓ ଭିତର ବିଜେ, ବେଢ଼ା, ସର୍ବାଙ୍ଗ, ଚନ୍ଦନ ବିଜେ, ସ୍ନାନପୂର୍ଣ୍ଣିମା ନିମନ୍ତେ ଜଳ ଘେନାଣ ଘରକୁ ଜଳ ବିଜେ ସମୟରେ ଓ ଅନ୍ୟ ଯେଉଁ ସମୟରେ କାହାଳୀ ବାଜେ ସେ ସମୟରେ ଛତି ଧରନ୍ତି । ଏମାନେ ଛତି, ଓଲାର, ତରାସ ଓ କଳାକନାଟି ଏପରି ଚାରିପ୍ରକାର ଛତ୍ର ସେବା କରନ୍ତି ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ; ସେବା ବଂଶାନୁକ୍ରମିକ ।

୮୬ ଶ୍ରୀଜଗନ୍ନାଥ