Jump to content

ପୃଷ୍ଠା:ShreeJagannath.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଦିନ ସୂର୍ଯ୍ୟଙ୍କ ରୁନ୍ଧା ଡୋରି, ରେଖା ପଞ୍ଚମୀରେ ରାହୁ ରେଖା, ବନଭୋଜି ବେଶରେ ପାଟ ଶିକା, ପାଟ ବନମାଳା ଆଦି, ବାମନ ଜନ୍ମପାଇଁ ପଇତା, ଷୋଳ ପୂଜାରେ ବିମଳାଙ୍କ ଝୋବା, କୃଷ୍ଣ ବେଶର ରୁନ୍ଧା ଜିନିଷ ପ୍ରସ୍ତୁତ କରନ୍ତି । ବିଜେ ଓ ଆଲଟ ଲାଗିପାଇଁ ଲୁଗା ରଙ୍ଗ କରିବା, ଝୋବା ଶ୍ରୀପଟ, ପଇତା, ଗୁଆମାଳ, ଗହ୍ମାଫୁଲି, ଅଣସର ଓ ମହାଅଣସର ପାଇଁ ଘଣା, ଚଉଠା, ପଇତା, ବାଇଶି ହାତିଆ ତିଆରି କରନ୍ତି ।
୯୪. କଳାବେଠିଆ
ଏମାନେ ହେରା ପଞ୍ଚମୀ ବାସି ଦିନ ତିନି ରଥର ଦକ୍ଷିଣ ମୋଡ଼ କରନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥଟଣାରେ ଲୋକ ଅଭାବ ହେଲେ ବା ଅଧିକା ଲୋକ ଦରକାର ପଡ଼ିଲେ ଏମାନେ ଆସି କାମ କରନ୍ତି । ଏମାନେ ବାଟ ଗାଁ, ସମଗରା (ପୁରୀ ସଦର) ଓ କପିଳେଶ୍ୱରପୁର ମଙ୍ଗରାଜପୁର ପ୍ରଜା ।
୯୫. ଦରଜି ସେବା
ଶ୍ରୀମନ୍ଦିରର ଯାବତୀୟ ସିଲାଇ କାମ ଏ ନିଯୋଗ କରନ୍ତି । ଏମାନଙ୍କର ସର୍ଦାର କେବଳ ଶାଢ଼ିବାନ୍ଧନ୍ତି । ତାଙ୍କ ନିର୍ଦ୍ଦେଶରେ ଅନ୍ୟ ଦରଜି କାମ କରନ୍ତି ।
୯୬. କୁମ୍ଭାର ବିଶୋଇ
କୁମ୍ଭାର ସେବକ । ଏମାନେ ତିନି ଶ୍ରେଣୀର (କ) ପର୍ବଯାତ୍ରା ସେବା କୁମ୍ଭାର ବିଶୋଇ, (ଖ) ବଲ୍ଲଭ ଓ ବାହାର ଦେଉଳି ସେବା କରୁଥିବା କୁମ୍ଭାର ବିଶୋଇ, (ଗ) ଦୈନିକ ସେବା କରୁଥିବା କୁମ୍ଭାର ବିଶୋଇ । ଏମାନେ ଶାଢିବନ୍ଧା ସେବକ ନୁହଁନ୍ତି ।
ଏମାନଙ୍କ ସେବାରେ ତୁଟିଯୋଗୁଁ ଶ୍ରୀମନ୍ଦିର ପରିଚାଳନା କମିଟି କେତେବର୍ଷ ତଳେ ଏମାନଙ୍କୁ ସେବାରୁ ବାସନ୍ଦ କରିଛନ୍ତି । ସଂପ୍ରତି ଏହି ସେବା ହେଉ ନାହିଁ ।
୯୭. ରଥ ଭୋଇ
ଏମାନଙ୍କ ମଧ୍ୟରେ ଜଣେ ସବ୍ଦୀର ଅଛନ୍ତି । ଏ ସବ୍ଦୀର ଭୋଇ ନିଜେ କାମ କରନ୍ତି ଓ ଅନ୍ୟ ମୂଲିଆ ଲଗାଇ ରଥ କାମ କରନ୍ତି । ବାହାରେ ଯେତେ ଛାମୁଣ୍ଡିଆ ହୁଏ, ସବୁ ଏମାନେ କରନ୍ତି । ଚାନ୍ଦୁଆ ଉପରକୁ ଉଠାନ୍ତି । ଚନ୍ଦନ ଯାତ୍ରାପାଇଁ ନରେନ୍ଦ୍ର ପୋଖରୀରେ ବୁଡ଼ି ରହିଥିବା ଡଙ୍ଗ (ଚାପ) ଉଠାନ୍ତି ଓ ଯାତ୍ରା ପରେ ପୁଣି ବୁଡ଼ାଇ ଦିଅନ୍ତି । ରଥଯାତ୍ରା ପରେ ରଥ ଭଙ୍ଗୀରେ କାମ କରନ୍ତି । କାଳୀୟଦଳନ ନୀତିରେ ମାର୍କଣ୍ଡ ପୋଖରୀରେ ଭାଡ଼ି ତିଆରି କରନ୍ତି । ସ୍ନାନବେଦୀରେ ଓ ରଥରେ କାଠ କାମ କରନ୍ତି ।
ଏମାନେ ଶାଢ଼ିବନ୍ଧା ସେବକ ନୁହଁନ୍ତି ।

ଶ୍ରୀଜଗନ୍ନାଥ ୮୯