ପୃଷ୍ଠା:ShreeJagannath.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘରକୁ ବିଜେ, ରଥମାନଙ୍କର ଦକ୍ଷିଣମୋଡ଼, ରଥଟଣା ଓ ନୀଳାଦ୍ରି ବିଜେ ସମୟରେ ଘଣ୍ଟ ବଜାନ୍ତି ଏମାନେ ଦୁଇ ଗୋଷ୍ଠୀର- ପୁରୀ ଘଣ୍ଟୁଆ ଓ ଭଟିମୁଣ୍ଡା ଅଞ୍ଚଳର କଂସାରି ସେବକ ।
ଏହା ଶାଢ଼ିବନ୍ଧା ସେବା ନୁହେଁ । ସେବା ବଂଶାନୁକ୍ରମିକ ।
୧୦୪. ରଥ ଡାହୁକ
ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବଦିନ ରଥ ଖଳାରୁ ସିଂହଦ୍ବାର ନିକଟକୁ ତିନି ରଥ ଟାଣି ରଖାଇବା ବେଳେ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଦିନ ରଥ ଟଣାରେ ଓ ରଥମାନଙ୍କର ଦକ୍ଷିଣମୋଡ଼ରେ ଏମାନେ ପ୍ରତ୍ୟେକ ରଥ ଉପରେ ରହି ଖୁବ୍ ଚିତ୍ତାକର୍ଷକ ଗୀତ ଗାଆନ୍ତି । ଅର୍ଶୀଳ ଗୀତ ଗାଇବା ଅବିଧି ।
ଏମାନେ ଶାଢ଼ିବନ୍ଧା ସେବକ ନୁହନ୍ତି । ସେବା ବଂଶାନୁକ୍ରମିକ ।
୧୦୫. ବଢ଼େଇ ସେବକ
ଏମାନେ ରଥ ନିର୍ମାଣ କରନ୍ତି । ନବକଳେବର ସମୟରେ ଦାରୁ ଅନ୍ବେଷଣରେ ଯାଆନ୍ତି ଓ ଦଇତାଙ୍କ ନିର୍ଦ୍ଦେଶରେ ମୂର୍ତ୍ତି ନିର୍ମାଣ କରନ୍ତି । ଚନ୍ଦନଯାତ୍ରାରେ ଚାପ ତିଆରି ଓ ଝୁଲଣ ବିମାନ ତିଆରି କରନ୍ତି । ବର୍ଷ ତମାମ ଯାନିଯାତ୍ରାରେ ପିଢ଼ା, ଶୁଖା, ଶୁବ, ଶୁଚ, ଭଦ୍ରାସନ, ବେଶ ଉପକରଣ ଇତ୍ୟାଦି ଯେତେ କାଠ କାମ ଲାଗେ କରନ୍ତି । କାଠ ମନ୍ଦିର କର୍ତ୍ତୃପକ୍ଷ ଯୋଗାନ୍ତି ।
ଶାଢ଼ିବନ୍ଧା ସେବକ । ରଥ କାମପାଇଁ ପ୍ରତ୍ୟେକ ଅକ୍ଷୟତୃତୀୟା ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ଶାଢ଼ି ପାଆନ୍ତି । ସେବା ବଂଶାନୁକ୍ରମିକ ।
୧୦୬. ବୈଦ୍ୟ
ପ୍ରତିବର୍ଷ ଅଣସର ଦଶମୀ ଦିନ ସଂଧ୍ୟାରେ ପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ ଆଣି ଶ୍ରୀମନ୍ଦିର ଗରଦରେ ଦିଅନ୍ତି । ତାହା ଏକାଦଶୀ ଦିନ ଭୋଗ ସହିତ ଭୋଗ ହୁଏ ।
ବଂଶାନୁକ୍ରମିକ ବ୍ରାହ୍ମଣ ବୈଦ୍ୟ ସେବକ । ଶାଢ଼ିବନ୍ଧା ନୁହନ୍ତି ।
୧୦୭. ଅମୋଣିହା ଛତାର
ଯେତେ ଘଣ୍ଟ, ଛତା, କାହାଳୀ ଭୋଗ ହୁଏ, ଏ ସେବକ ଛତା ଧରି ଭୋଗବାଟରୁ ଜୟ ବିଜୟ ଦ୍ୱାର ଯାଏଁ ଭୋଗ ଆଗରେ ଚାଲନ୍ତି । ସ୍ନାନ ପୂର୍ଣ୍ଣିମା, ପୁଷ୍ୟାଭିଷେକ ଓ ନୀଳଦ୍ରି ମହୋଦୟରେ ଜଳ ଛେକ ଆସିଲା ବେଳେ ଛତା ଧରି ଅଗରେ ଚାଲନ୍ତି । ଯେଉଁ ଯେଉଁ ବେଢ଼ରେ ଛତି ଯାଏ (ଯଥାମକର), ସେ ବେଢ଼ରେ ଛତି ଧରନ୍ତି । ଏ ସେବକ ଅଖଣ୍ଡମେକାପ ଶ୍ରେଣୀର । ସେବା ବଂଶାନୁକ୍ରମିକ ।
୧୦୮. ଛାମୁ ଦିହୁଡ଼ି
ମଧ୍ୟାହ୍ନ ଧୂପ ପରେ ପ୍ରତ୍ୟେକ ଭିତର ଓ ବାହାର ବିଜେରେ ଏମାନେ ଦିହୁଡ଼ି ଲଗାଇ ଆଗରେ ଚାଲନ୍ତି, ରଥରେ ସଂଧ୍ୟାଠାରୁ ବଡ଼ସିଂହାର ପର୍ଯ୍ୟନ୍ତ ଦିହୁଡ଼ି ଜାଳନ୍ତି । ସ୍ନାନଯାତ୍ରା ବିଜେ ଓ ବାହୁଡ଼ା ପହଣ୍ଡିରେ ଜାଳନ୍ତି ।

ଶ୍ରୀଜଗନ୍ନାଥ ୯୧