ପୃଷ୍ଠା:ShreeJagannath.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଦେଇ ସେବାରେ ମୁତୟନ କରାନ୍ତି, ଚାଙ୍ଗଡ଼ାକରଣ ରୂପେ ଯାନିଯାତ୍ରାରେ ସାହି ଓ ସେବକଙ୍କ ପ୍ରାପ୍ୟ ଶାଢ଼ି ପ୍ରଦାନ କରାଇ ପରମାଣିକ ଆଦାୟ କରନ୍ତି, ଧୋବାଘରେ ପ୍ରଦାନ କରାଯାଉଥିବା ଦିଅଁଙ୍କ ବତ୍ସର ହିସାବ ରଖନ୍ତି, ଭଣ୍ଡାର ଘର ଓ ଚାଙ୍ଗଡ଼ା ଘରର ଦୈନିକ ଜମାଖର୍ଜ ଲେଖିବା, ଶାଢ଼ି ବନ୍ଧାରେ ଦେଉଳକରଣଙ୍କ ମୁକାବିଲାରେ ଚାଙ୍ଗଡ଼ାଘରୁ ଶାଢ଼ିଦେବା କାମ କରନ୍ତି । ଜାବନ୍ଧାରେ ମାହାସୁଲ ରଖି ଦେଉଳର ପ୍ରାପ୍ୟ ଦେଉଳକରଣଙ୍କ ଦସ୍ତଖତରେ ଚାଲାଣ କରି ସେବକଙ୍କ ମଧ୍ୟରେ ଯଥାବିଧି ବାଣ୍ଟି ଚୂନରା ଦ୍ବାରା ଧ୍ୱଜା ବିନ୍ଧାନ୍ତି । ନବକଳେବରରେ ଦଇତାପତିଙ୍କ ସହିତ ଦାରୁ ଅଷଣରେ ଯାଆନ୍ତି ।
ନିଜେ ଶାଢ଼ି ବିନ୍ଧାଇଲେ ରୁକ୍ମିଣୀ ହରଣ ଚିଟାଉଲେଖା, ଚାମର ଖଦି ଚାମର, ଛୁରୀ ଖଣ୍ଡା ସେବା, ଚାପ ଓ ରଥ ଉପରେ ସେବା କରିପାରନ୍ତି । ମହାନାୟକ ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।
୧୧୩. ଦେଉଳକରଣ
ସକାଳ ଦ୍ବାରଫିଟାଠାରୁ ପହୁଡ଼ ପର୍ଯ୍ୟନ୍ତ ନୀତି ସବୁ ଠିକ୍ ସମୟରେ ହେଉଛି କି ନାହିଁ, ତଦନ୍ତ କରନ୍ତି । ନିୟମିତ ରୂପେ ପ୍ରସ୍ତୁତ ହୋଇ ଭୋଗ ହେଉଛି କି ନାହିଁ ତଦନ୍ତ କରିବା, ପର୍ବପର୍ବାଣି ଯାତ୍ରାରେ ଉପାଧି ଭୋଗ ଜିନିଷ ଆଦି ଆଣି ଭୋଗର ତାଲିକା କରି ମହାସୁଆରଙ୍କୁ ଦେବା, ସେବକ ଖେଇ ପାଇବା ନପାଇବା ଦେଖିବା, ଯଜମାନି ବସ୍ତ୍ର ଅଳର ଲାଗିଲେ ସିହା କରି ରେଜିଷ୍ଟରରେ ଲେଖିବା, ବେଶ ପରେ ଲାଗି ଜିନିଷ ଫେରସ୍ତ ହେବା ତ ନେବା, ଭଣ୍ଡାର ଓ ଚାଙ୍ଗଡ଼ା ଘର ଲୁଗାର ଆୟ ବ୍ୟୟ ହିସାବ ରଖିବା, ଭଣ୍ଡାରର ଅଳର ମରାମତି ଓ ସଫାସଫି ତଡ଼ାଉକରଣଙ୍କ ଉପସ୍ଥିତିରେ କରାଇବା, ଚିତା ଓ ରାହୁରେଖା ଲାଗି ଦିନ ଦଇତାଙ୍କୁ ପ୍ରଦାନ କରିବା, ଶାଢ଼ିବନ୍ଧା, ଚାମର, ମଶାଲ ସେବା ପାଉଣା ବାଣ୍ଟିବା, ସେବକଙ୍କ ବିବାଦ ସମାଧାନ କରିବା, ଧୂଜା ପିଣ୍ଡିକା, ଚାଲାନରେ ହିସାବ ବୁଝି ଦସ୍ତଖତ କରିବା, ସେବା ଓ ଚୁଲି ନିଲାମ, କୋରଖ ଓ ହସ୍ତାନ୍ତର ହେଲେ ରେକରେ ଦରଜ ଓ ଦାଖଲ ଖାରଜ କରିବା, ବଡ଼ ମହାସ୍ନାନ, ମହା ଅଣସର, ଶ୍ରୀଅଙ୍ଗ ଫିଟା ଓ ପର୍ବପର୍ବାଣିମାନଙ୍କରେ ଖର୍ଚ୍ଚର ତାଲିକା କରିବା, ଧୂପବେଳେ ଭିତରକାଠର ଟେରା ତଦାରଖ କରିବା, ଶାଢ଼ିବନ୍ଧା ପାଇଁ ଆବେଦନକାରୀ ଉପଯୁକ୍ତ କି ନାହିଁ ରିପୋର୍ଟ ଦେବା, ନବକଳେବରରେ ଦାରୁ ଅବୈଷଣରେ ଯିବା ଓ ଶେଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା, କଳେବର ଦଶାହରେ ଦଇତାଙ୍କ ଦଶାହ କର୍ମରେ ଯୋଗ ଦେବା ଇତ୍ୟାଦି ଏହାର କାର୍ଯ୍ୟ ।
ଏମାନେ ମଧ୍ୟ ଶ୍ରୀଜୀଉଙ୍କର ଅଙ୍ଗରକ୍ଷୀ ରୂପେ ଛୁରୀ ଖଣ୍ଡା ସେବା କରନ୍ତି । ସୁନାବେଣ୍ଟ ଚାମର, ଖଦି ଚାମର ଏବଂ ଅଣସର ପିଣ୍ଡିଠାରେ ଉପଚାର ସେବା କରନ୍ତି । ଗଣେଶ ଚତୁର୍ଥୀ ଓ ଶ୍ରୀପଞ୍ଚମୀ ଦିନ ଏହାଙ୍କ ଓ ତଡ଼ିଉଙ୍କ ଘରୁ ମାଦଳାପାଞ୍ଜି ଆସି ସରସ୍ବତୀଙ୍କ ମନ୍ଦିରରେ ପୂଜା ବସେ । ମହାନାୟକ ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।

ଶ୍ରୀଜଗନ୍ନାଥ ୯୩