ପୃଷ୍ଠା:ShreeJagannath.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ଅନ୍ୟ ଦୁଇଜଣ ପୃଷ୍ଠାଳକ ସେବକ ବଳଭଦ୍ର ଓ ସୁଭଦ୍ରାଙ୍କର ମଙ୍ଗଳ ଆରତି, ସିଂହାସନ ତଳେ ଠିଆହୋଇ କରିଥାନ୍ତି । ମଙ୍ଗଳ ଆରତି ବେଳେ ସର୍ବସାଧାରଣ ଭିତର କାଠ ଅର୍ଗଳି ପାଖରେ ରହି ଦର୍ଶନ କରନ୍ତି । ରତ୍ନବେଦୀ କିମ୍ବା ପେଖରିଆ ନିକଟକୁ ଯାଇ ଦର୍ଶନ କଲେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପରିମାଣିକ ଫି ଦେବାକୁ ପଡ଼େ ।
ମଇଲମ
ନିର୍ଦ୍ଧାରିତ ସମୟ ସକାଳ ଛଅ । କିନ୍ତୁ ମଙ୍ଗଳ ଆରତି ଶେଷ ହେବା ପରେ ଏହି ନୀତି ହୁଏ । ଏହି ନୀତିରେ ଜଡ଼ିତ ସେବକମାନେ ହେଲେ ପୃଷ୍ଠାଳକ ୩ଜଣ), ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ଧୋବା । ତିନି ଜଣ ପୃଷ୍ଠାଳକ ରତ୍ନସିଂହାସନ ଉପରକୁ ଉଠି ପୂର୍ବରାତ୍ରରେ ଠାକୁରମାନଙ୍କ ଶ୍ରୀଅଙ୍ଗରେ ଥିବା ବେଶ ଫୁଲ, ତୁଳସୀ ଓ ବସ୍ତ୍ରମାନ ମଇଲମ (ବାହାର) କରନ୍ତି । ଠାକୁରମାନଙ୍କ ଅବକାଶ ନୀତିପାଇଁ ତଡ଼ପ ଓ ଉତ୍ତରୀୟ ନାମକ ସୂତା ଗାମୁଛା ପରି ବସ୍ତ୍ର ପୃଷ୍ଠାଳକମାନେ ପିନ୍ଧାନ୍ତି । ଏହି ବସ୍ତ୍ର ପ୍ରତିଦିନ ଧୋବା- ସେବକ ଧୋଇବା ବିଧି ଅଛି । ଏହି ସେବକ ପ୍ରକୃତରେ ଜାତିରେ ଧୋବା ନୁହେଁ; ସେ ବ୍ରାହ୍ମଣ ।
ଅବକାଶ
ସକାଳ ୬ରୁ ୬ଟା୩୦ ମଧ୍ୟରେ ହେବା କଥା । ଠାକୁରମାନଙ୍କ ଦନ୍ତ ମାର୍ଜନ ଓ ସ୍ନାନକୁ ଅବକାଶ କୁହାଯାଏ । ଏହି ନୀତିରେ ନିମ୍ନଲିଖିତ ସେବକ ସଂପୃକ୍ତ ରହନ୍ତି- ପୁଷ୍ପାଳକ, ସୁଆର ବଡ଼ୁ, ପାଣିଆପଟ, ଖଟୁଳି ସେବକ, ଦର୍ପଣିଆ, ମୁଖ ପଖାଳ ପଢ଼ିଆରୀ, ଅଁଳା ଘଟୁଆରୀ, ମୁଖ ପଖାଳ ପୁଷ୍ପାଳକ, ଭଣ୍ଡାର ମେକାପ, ମହାଭୋଇ ଓ ମନ୍ଦିର ଜ୍ୟୋତିଷ ।
ସିଂହାସନ ତଳେ ଅବକାଶ ପୂଜା ଠା’ ହୁଏ । ୩ଜଣ ପୁଷ୍ପାଳକ ଏହି ପୂଜାରେ ବସନ୍ତି । ସେମାନେ ତିନି ଠାକୁରଙ୍କୁ ଦାନ୍ତକାଠି ଓ ଜିଭଛେଲା ଦୂରରୁ ଦେଖାଇ ଦାନ୍ତ ଘଷିବା ଓ ଜିଭ ଛେଲିବା ପରି କରନ୍ତି । ତା’ ପରେ କର୍ପୂର, ଦହି, ଅଁଳା ଓ ଚନ୍ଦନ ମିଶ୍ରିତ ଜଳ ତିନିଟି ପିତ୍ତଳ ଦର୍ପଣ ଉପରେ ଢାଳନ୍ତି । ଏହା ହେଲେ ଠାକୁରମାନଙ୍କ ସ୍ନାନ ହୋଇଗଲା ବୋଲି ଧରାଯାଏ । ଏହି ନୀତି ହେବା ସମୟରେ ଜ୍ୟୋତିଷ ବା ଖୁରି ନାୟକ ଠିଆହୋଇ ଦିଅଁମାନଙ୍କର ସେହିଦିନର ନକ୍ଷତ୍ର ବିଚାର ଶୁଣାନ୍ତି । ଯଦି କୌଣସି ଦିଅଁଙ୍କର ସେହିଦିନ ଜନ୍ମ ନକ୍ଷତ୍ର ପଡ଼େ, ତେବେ ଉକ୍ତ ଦିନ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ବନ୍ଦାପନା’ ହୁଏ ।
ମଇଲମ
ଅବକାଶ ପରେ ପୁଣି ଥରେ ମଇଲମ ହୁଏ । ନିର୍ଦ୍ଧାରିତ ସମୟ ସକାଳ ୬ଟା୪୫ । ଚାଙ୍ଗଡ଼ା ମେକାପ ଠାକୁରମାନଙ୍କପାଇଁ ଯୋଗାଇଥିବା ‘ବାରଲାଗି ଖଣ୍ଡୁଆ’ ପାଟ ତିନି ଠାକୁର ଏବଂ ଶ୍ରୀଦେବୀ, ଭୂଦେବୀ ଓ ନୀଳମାଧବଙ୍କୁ ପୁଷ୍ପାଳକମାନେ ପିନ୍ଧାନ୍ତି । ଏହି ସମୟରେ ଅଖଣ୍ଡ ମେକାପ *ଅଖଣ୍ଡ ବଇଠା ଜଳାନ୍ତି । ଏହା ରାତ୍ର ପହୁଡ଼ଯାଏ ଜଳିବା ବିଧି ଅଛି ।

ଶ୍ରୀଜଗନ୍ନାଥ ୯୯