ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୁରାଣରେ ଶ୍ରୀକ୍ଷେତ୍ର

କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍‍ ଉପଲବ୍‍ଧ ହୋଇ ନାହିଁ । ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।

ଅଗ୍ନି ପୁରାଣ (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
ବ୍ରହ୍ମ ପୁରାଣ (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
ପଦ୍ମ ପୁରାଣ (ଉତ୍ତର ଖଣ୍ଡ) (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
(ମତାନ୍ତରେ ୯୫୦-୧୪୦୦)
ନାରଦୀୟ ପୁରାଣ (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
ମତ୍ସ୍ୟ ପୁରାଣ (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
(ମତାନ୍ତରେ ୪୦୦-୧୨୫୦)
ସ୍କନ୍ଦ ପୁରାଣ (ବୈଷ୍ଣବ ଖଣ୍ଡ) (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
(ମତାନ୍ତରେ ୮୦୦-୧୩୦୦)
କପିଳ ପୁରାଣ/କପିଳ ସଂହିତା (ଖ୍ରୀଷ୍ଟାବ୍ଦ ୧୩୦୦)
ବ୍ରହ୍ମାଣ୍ଡ ପୁରାଣ (ଖ୍ରୀଷ୍ଟାବ୍ଦ ୫୦୦-୬୦୦)

ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ, ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।

ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା

ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର

ଶ୍ରୀଜଗନ୍ନାଥ ■ ୧୩