ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି । ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ । ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି । ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ । ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ ବିଭୀଷଣକୁ ଉପଦେଶ ଦେଇଛନ୍ତି ।

"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଆରାଧୟ ଜଗନ୍ନାମିକ୍ଷାକୁ କୁଳଦୈବତମ୍‍ ।

ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।

ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର ବର୍ଣ୍ଣନା ରହିିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିିବା ଏବଂ ଏକ ପବିତ୍ର ବେଦୀ ରହିିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ ବେଦୀ ଆରୋହଣ କରିିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀଥିବା ଅଞ୍ଚଳ ଏବର ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିିବା କଥା ଯାହା ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।

ଋଗ୍‍‌ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ

ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;

୧୪ ■ ଶ୍ରୀଜଗନ୍ନାଥ