ପୃଷ୍ଠା:Typical selections from Oriya literature.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୪
ଓଡ଼ିଆ ସାହିତ୍ୟ-ପରିଚୟ

କେବଣ ଠାବରେ ମଣି ଖଞ୍ଜା ଅଛି ହୋଇ ।
କାହିଁ ବସିଅଛି ପଦ୍ମରାଗ ମଣି ତ‌ହିଁ ।
କାହିଁ ପୁଷ୍ପବିନ୍ଦୁ ଯେ କାହିଁରେ ଅରବିନ୍ଦ ।
ଚନ୍ଦ୍ରମା ଗଠନ କି ଫୁଟିଲା କୁରୁବିନ୍ଦ ।
ଶ୍ରବଣ ଶିଖରେ ନେଇ ଖଞ୍ଜିଲା ବେଣ୍ଟୋଲା ।
ସରୁ କ୍ଷୁଦ୍ରମତି କାହିଁ ଅଛଇ ଖଞ୍ଜିଲା ।
ଉପରେ ଯେ ନୀଳମଣି ଗୋଟିଏ ବସଇ ।
ଶରତର ଶଶି କି ଭ୍ରମର ଆକର୍ଷଇ ।
ସୀତାଙ୍କ କର୍ଣ୍ଣରେ ସେ ବେଣ୍ଟୋଲା ଶୋଭାପାଇ ।
ସୁସଞ୍ଚ ନାସିକାପୁଟେ ବସଣୀ ବସାଇ ।
ଗଜରାଜ ମୁକୁତା ଖଞ୍ଜିଲେ ଓହ‌ଳାଇ ।
ନିର୍ମଳ ମେଘରେ କି କାର୍ତ୍ତିକ ପୁଞ୍ଜ ଉଇଁ ।
ସୀତାର ନାସାରେ ମଣିରତ୍ନ ଯେ ବିକାଶି ।
ନୀଳମେଘେ ବିଦ୍ୟୁଲ୍ଲତା କି ଜାଣି ପ୍ରକାଶି ।
କଣ୍ଠେ ହୀରା ମିଶା ଯେ ସକଳ ସାର ମୋତି ।
ମଧ୍ୟେ ମଣିନାୟକ କି ଅରୁଣର ଜ୍ୟୋତି ।
ତ‌ହିଁର ତଳରେ ଯେ ଦୋସରି ସୁନାସୂତା ।
ମଧ୍ୟରେ ଅଛଇ ତ‌ହିଁ ବର୍ତ୍ତୁଳ ମୁକୁତା ।
ଶୁକ୍ର ଜ୍ୟୋତି ଜିଣି କିବା କିରଣ ତାହାର ।
ତାହା ପାଶେ ଶୋହଇ ଯେ ନୀଳମଣି ହାର ।
ଚଉସରି ମାଳା ଯେ ଶୋହଇ ଗଜମୋତି ।
ସୂବର୍ତ୍ତୁଳ ମୁକୁତା ଶୋହଇ ତ‌ଥି କତି ।
ଗୋଟିକିଆ ଗୁଣା ଯେ ମୁକୁତା କଣ୍ଠମାଳ ।
ଶୋଭା ପାଇଲା ସେ ସୀତାଦେବୀ ବକ୍ଷସ୍ଥଳ ।
ରତ୍ନମୟ ପଦକ ଯେ ହୃଦର ଭୂଷଣ ।
ଶରଦର ପୂର୍ଣ୍ଣଶଶୀ ଦିଶିଲା ଭୂଷଣ ।
ବାହୁରେ ତୋଢ଼ର ହୀରା ନୀଳା ରେ ଜଡ଼ିତ ।
ମଧ୍ୟରେ ଖଞ୍ଜିଅଛଇ ଗଜମୋତି ଶତ ।
ଦୁଇ ଭୁଜ ମଧ୍ୟରେ ଯେ ରତ୍ନବିଦମାଳୀ ।
ରତ୍ନ ପାଟସୂତାରେ ଗୁନ୍ଥିଲେ ନେଇ ବାଳୀ ।
କରେଣ କଙ୍କଣ ଶୋହେ ଶିରରେ ଶିକୁଳି ।
ରତ୍ନ ଦୁଇ ଚୁଡ଼ି ଯେ ବିଜୁଳୀ ତେଜେ ଝଳି ।
ଅଙ୍ଗୁଳିରେ ମୁଦ୍ରିକା ଯେ ସର୍ବ ଭିନ୍ନ ଭିନ୍ନ ।
ମତ୍ସ୍ୟ କୂର୍ମ ଆଦି ଦଶଅବତାର ଚିହ୍ନ ।