ଅଯୋଧ୍ୟାକାଣ୍ତ
(1)
ଶ୍ରୀରାମଙ୍କ ଅଭିଷେକର ଉଦ୍ଯୋଗ
ପ୍ରାତ ଅବକାଶେ ନରପତି ବିଜେ ଏବେ ।
ବଶିଷ୍ଠ ଜାବାଳି କାଶ୍ୟପ ଯେ ବାମଦେବେ ।
ଏମାନେ ଅଛନ୍ତି ବିପ୍ର ବହୁତ ଯେ ଘେନି ।
ଏମନ୍ତ ବେଳେ ଯେ ଆଜ୍ଞା ଦେଲେ ନୃପମଣି ।
ଶ୍ରୀରାମକୁ ହକାରି ଆଣ ଯା ଏଥୁ ଯାଇଁ ।
ଶୁଣି ତତକ୍ଷଣେ ଅଇଲେ ଯେ ରଘୁସାଇଁ ।
ବେଗେ ସଜହୁଅ ଯିବା ମହାରାଜା ପାଶ ।
ଶୁଣିଣ ଶ୍ରୀରାମ ଯେ ହୋଇଲେ ହସହସ ।
କାଲିର ଘୋଷଣା ବାର୍ତ୍ତା ପାଇ ସେ ଅଛନ୍ତି ।
ତେଣୁ ରଘୁନାଥେ ଶୁଣି ମଧୁରେ ହସନ୍ତି ।
ନୃପତିର ଆଜ୍ଞା ବୋଲି ସୁମନ୍ତ୍ର କହନ୍ତି ।
ତତ୍କ୍ଷଣେ ଶ୍ରୀରାମ ଯିବାକୁ ସଜହୋନ୍ତି ।
ଅଶ୍ୱେକ ଆରୋହି ଧରାଇଲେ ପାଟଛତ୍ର ।
ଆବର ଗୋଡ଼ାଇଲେ ଯେ ଶ୍ରୀରାମର ପାତ୍ର ।
ସୁମନ୍ତ୍ର ଅଶ୍ୱେକ ଚଢ଼ି ସଙ୍ଗେ ସଙ୍ଗେ ଯାନ୍ତି ।
ନବର ଦ୍ୱାରରେ ଯାଇଁ ପ୍ରବେଶ ହୁଅନ୍ତି ।
ସାତଦ୍ୱାର ପରିଯନ୍ତେ ଅଶ୍ୱେ ରାମ ଗଲେ ।
ଅଷ୍ଟମ ଦ୍ୱାରରେ ଯାନ ବାହନ ଛାଡ଼ିଲେ ।
ଶ୍ରୀରାମର ଭୃତ୍ୟ ଜନ ସେଠାବରେ ରହି ।
ରାଘବ ସୁମନ୍ତ୍ର ହାତ ଧରାଧରି ହୋଇ ।
ଦଶଦ୍ୱାର ଅନ୍ତରେ ଦିଶିଲେ ନୃପବର ।
ବିଜୟ କରି ଅଛନ୍ତି ସୁବର୍ଣ୍ଣ ପୀଢ଼ାର ।
ପୁତ୍ରଙ୍କର ଆସନ୍ତେଣ ଦେଲେ ରାଜା ଦୃଷ୍ଟି ।
ଦେଖୁଣ ଶ୍ରୀରାମ ଯେ ପ୍ରଣାମ କରି ଉଠି ।
ଶିରେ କର ଦେଇ ପୁଣି ବେଢ଼ା ଚାରି ଗଲେ ।
ପୁଣ ପ୍ରାୟେ ପଡ଼ି ଦରଶନ ଜଣାଇଲେ ।
ନୃପତି ତାହା ଦେଖିଣ ହେଲେ ମହାତୋଷ ।
ବାମହସ୍ତ ଠାରିଦେଲେ ଉପରକୁ ଆସ ।
ପିତାର ଆଜ୍ଞା ଘେନିଣ ଉପରକୁ ଗଲେ ।
ନିକଟ ହୁଅନ୍ତେ ଯେ ମଥାରେ ହାତ ଦେଲେ ।