ବଶିଷ୍ଠଙ୍କ ମୂଳରେ ଯେତେକ ତପୀଜନ ।
ତାହାଙ୍କୁ ଯେ ନମସ୍କାର କଲେ ରଘୁରାଣ ।
ଦଶରଥ ବୋଲନ୍ତି ଯେ ଶୁଣ ହେ ଶ୍ରୀରାମ ।
ତୁମ୍ଭେ ଜ୍ୟେଷ୍ଠ ଶ୍ରେଷ୍ଠ ଯେ ଗରିଷ୍ଠ ଗୁଣଗ୍ରାମ ।
ଚତୁର୍ଥ କାଳ ହୋଇଲା ଆସି ଯେ ଆମ୍ଭର ।
ରାଜ୍ୟର ଝଗଡ଼େ ପଶି ନ ପାରେ ଆବର ।
ଏମହା ଭତା ମୁଁ ବହିବାକୁ ଭୟ କଲି ।
ଏମନ୍ତେ ଦଶ ସହସ୍ର ବରଷ ବହିଲି ।
ପରଜା ପାଳିବୁ ବାବୁ ଏକସମ କରି ।
ଶତ୍ରୁର ଭୟ କଥାକୁ ମନେଥିବୁ ଧରି ।
ପୁରାତନ ଅମାତ୍ୟ କଥାରେ ଦେବୁ ବୁଦ୍ଧି ।
ଅଗ୍ନିରେ ମୁଖେ କରିବୁ ନିତ୍ୟ ହୋମବିଧି ।
ନିତି ନିତି ଗ୍ରହ ଶାନ୍ତି କରାଇବୁ ବାବୁ ।
ବ୍ରାହ୍ମଣ ଗୁରୁଙ୍କ ଠାରେ ପ୍ରିୟ ହୋଇଥିବୁ ।
ରାଉତ ମାହୁନ୍ତ ରଥୀ ଆଦି ପଏକାରୀ ।
ଏମାନଙ୍କୁ ଥିବୁ ବାବୁ ଗଉରବ କରି ।
ରଣେ ପିଠି କଲେ ବାବୁ କରିବୁ ଯେ ଦୟା ।
ସେବକ ଲୋକଙ୍କୁ ବାବୁ ନ କରିବୁ ମାୟା ।
ଯେ ଯାହାର ନିଯୋଗ ତା ନିତ୍ୟ ବୁଝୁଥିବୁ ।
ଅନ୍ନ ବସ୍ତ୍ର ଅଇଶ୍ୱର୍ଯ୍ୟ ଦେବୁ ତାଙ୍କୁ ବାବୁ ।
ଗାରିମା ସେବକ ବାବୁ ନ ଥୋଇବୁ କତି ।
ଯେ ଗାରିମାବନ୍ତ ସେହି ଆଜ୍ଞାକୁ ଭାଙ୍ଗନ୍ତି ।
ଆଜ୍ଞା ଭାଙ୍ଗିଲେରେ ବାବୁ କାର୍ଯ୍ୟ ନାଶ ଯାଇ ।
ସେ ଭୃତ୍ୟ ଥିଲେଟି ଜାଣ ବିଘ୍ନ ଉପୁଜଇ ।
ହସ୍ତୀ ଘୋଡ଼ାଙ୍କର ବୁଝୁଥିବୁ ଅବିଗୁଣ ।
ବିଷୋଇକି ଦେବୁରେ ତହିଁର ଭାର ପୁଣ ।
ସେ ଯେବେ ସାହା ବାବୁରେ ରାଜ୍ୟ ଭଲେ ଥାଇ ।
ଆଭରଣ ଭରଣ ସେ ଜାଣିଣ କରଇ ।
ଗଜ ଅଶ୍ୱ ବିଜୟର କାରଣଟି ଜାଣ ।
ତିନି ବେଳ ଦେଖୁଥିବୁ ଏହାଙ୍କୁ ଶୁଭେଣ ।
ତହିଁକି ତୁ ଅଳସ ଯେ ନ କରିବୁ ବାବୁ ।
ହସ୍ତୀ ଘୋଡ଼ାଙ୍କୁ ତୁ ଅବିଗୁଣ ନ ଧରିବୁ ।
ନଗରେ ଯେବେ ବାବୁରେ ରଖିବୁ ବଇଦ ।
ବ୍ୟାଧିକି ଚିହ୍ନି ବିଚାରି ଦେବେ ଅଉଷଧ ।
ପୃଷ୍ଠା:Typical selections from Oriya literature.pdf/୧୦୩
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୭
ଓଡ଼ିଆ ସାହିତ୍ୟ-ପରିଚୟ