ପୃଷ୍ଠା:Typical selections from Oriya literature.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୮
ଓଡ଼ିଆ ସାହିତ୍ୟ-ପରିଚୟ

ନିତି ସାଧନ କରିବୁ ତୁ ଗୁରୁ ସଙ୍ଗରେ ।
ଧନୁଶର ଛାଡ଼ି ତୁ ନ ହୋଇବୁ ଆଗରେ ।
ବିଶ୍ୱାସୀମାନଙ୍କ ହାତେ ମର୍ଦ୍ଦନ ହୋଇବୁ ।
ମନ୍ତ୍ରୀ ଯେ ବିଶ୍ୱାସୀ ତାକୁ ଶିର ସମର୍ପିବୁ ।
ବଂଶିକ ପଣ୍ତିତେ ଗଉରବ ଯେ କରାଇ ।
ପାଣି ବିଷୋଇରେ ତାକୁ କରିବୁ ଯେ ଭୋଇ ।
ଆପେ ମଣୋହି କରିବୁ ବିଚାରି ଜାଣିନ ।
ବୈଦ୍ୟକୁ କ‌ହିବୁ ଦେହ ରୋଗର କାରଣ ।
ବେନି ବେଳ ପୁରାଣ ତୁ ଶୁଣୁଥିବୁ ନୀତି ।
ବିଷ୍ଣୁପୁରାଣରେ ବାବୁ କରିବୁ ଭକତି ।
ଅନ୍ତଃପୁର ଲୋକଙ୍କୁ ତୁ ନ‌କରିବୁ କୋପ ।
ମୁଦୁସୁଲିଙ୍କି ପଚାରି ବୁଝି ପୁଣ୍ୟ ପାପ ।
ନିଦ୍ରାରେ ଅଳସ ଯେ ନୋହିବୁ ରଘୁନାଥେ ।
ଭଣ୍ତାର ସମର୍ପିବୁ ନିର୍ଲୋଭୀ ଲୋକ ହାତେ ।
ଖଳ ଲୋକ ହାତେ ରକ୍ଷା ଭାର ନ ଥୋଇବୁ ।
ଆପେ ଚଞ୍ଚଳ ପ୍ରକୃତି ସଦା ହୋଇଥିବୁ ।
ବୃଦ୍ଧ ବ୍ରାହ୍ମଣ ଇନ୍ଦ୍ରିୟନିଗ୍ରହୀ ଯେ ହେବ ।
ଏହାଙ୍କୁ ଚରଚା କରୁଥିବ ହେ ରାଘବ ।
ସ୍ତିରୀଙ୍କ ସଙ୍ଗେ ନୋହିବ ବହୁତ ଲମ୍ପଟୀ ।
ରୋଗ ବଢ଼ଇ ଶରୀରେ ହୁଅଇ ଯେ କଷ୍ଟୀ ।
ସଂଗ୍ରାମକୁ ସଜ ହେବା ଯେସନେକ ମତ ।
ତେସନେକ ସଜ ହୋଇ ଯିବୁ ରଘୁନାଥ ।
ବୁଦ୍ଧିମନ୍ତ ଲୋକ ଯେ ସୁନାର ବେତ ଘେନି ।
ଦ୍ୱାର ଜଗି ରଖିଥିବେ ଦିବସ ରଜନୀ ।
ଦୁଃଖୀ ଦରିଦ୍ର ତୋଷିବ ନିତ୍ୟ ଧନ ଦେଇ ।
ଦୁର୍ଭିକ୍ଷକାଳରେ ଅନ୍ନ ଦାନ ଦେବୁ ତୁହି ।
ବରଷାଦିନରେ ନାବ ପଥୁକୀଙ୍କୁ ଦେବୁ ।
ଅତି ଖାଲ ବାଟରେ ଯେ ଖଣା ଜଗାଇବୁ ।
କେବଣ ଠାବରେ ଡ଼ଙ୍ଗା କେଉଁଠାରେ ଭେଳା ।
ଏ ଧର୍ମ କାର୍ଯ୍ୟ ବାବୁରେ ନ କରିବୁ ହେଳା ।
ଲୋକେ ଧର୍ମେ ବର୍ତ୍ତିଲେଟି ଧର୍ମ ତୋତେ ପ୍ରାପ୍ତ ।
ଆବର କଥାଏ ମୋର ଶୁଣ ଆରେ ପୁତ୍ର ।
ଗ୍ରହ ବକ୍ର ହେଲେ ବାବୁ ଦେବତା ପୂଜିବ ।
ବ୍ରାହ୍ମଣକୁ ଦାନ ଦେଇ ଅରିଷ୍ଟି ଖଣ୍ତିବ ।