ଦୁଷ୍ଟଜନମାନଙ୍କୁ ନ ରଖିବୁଟି କ୍ଷଣେ ।
ଅନ୍ଧାରି ବିଜେ କାଳେ ନ ଜାଣିବେଟି ଜନେ ।
ଯଜ୍ଞ କରିବୁ ତୁ ଶୁଦ୍ଧ କାଳବେଳ ଜାଣି ।
ଦେବ ପିତୃଙ୍କୁ ତୋଷିବୁ ଦେଇ ଫୁଲପାଣି ।
କଳାଜନମାନଙ୍କୁ ପରତେ ନ କରିବୁ ।
ବିପିନେ ପଶିଣ ତୁହି ମୃଗନ୍ତ ମାରିବୁ ।
ଆବର ଅଛଇ ଅନେକ ଯେ ରାଜନୀତି ।
ସମସ୍ତ କହିବେ ତୋତେ ଏ ବଶିଷ୍ଠ ଯତି ।
ଏସନ ସମୟେ ମଉଳିଲା ଯେ ଆସ୍ଥାନ ।
ଯେ ଯାହାର ପୁରକୁ ଗଲେକ ସର୍ବଜନ ।
ଏଥୁ ଉତ୍ତାରେ ମଣ୍ତନ୍ତି ନଗର ଯେ ପୁର ।
କସ୍ତୁରୀ ଲେପନ କରନ୍ତି ଯେ ଘର ଘର ।
ତୋରଣ ଲମ୍ବାଇଲେ ଯେ ମୁକୁତାର ମାଳ ।
ନଗର ଉତ୍ସବରେ ଯେ ବାଜେ ବୀର ତୂର ।
ମଙ୍ଗଳ ବିଧାନ ଯେ ସବୁରି ଦ୍ୱାରେ ଦ୍ୱାରେ ।
ପୂର୍ଣ୍ଣକୁମ୍ଭ ବସିଅଛି ହୋଇ ମାଳେ ମାଳେ ।
ନଗ୍ର ନର ନାରୀ ଯେ ବିବିଧ ବେଶ ହୋଇ ।
ହରଷେ ରଙ୍ଗରେ ମିଳି ହାଟ ବାଟେ ଯାଇଁ ।
(2)
ରାମ-ବନବାସ
ଜାନକୀର ପୁରେ ଯାଇଁ ପ୍ରବେଶ ହୁଅନ୍ତି ।
ଦେଖି ଚରଣେ ପ୍ରଣାମ କଲେ ମହାସତୀ ।
ରଘୁନାଥ ବୋଲନ୍ତି ଗୋ ବଇଦେହି ଶୁଣ ।
ପିତା ମୋତେ ବନକୁ ଗୋ କଲେକ ପ୍ରେରଣ ।
ଚଉଦ ବରଷ ଘୋର ବନେ ମୁହିଁ ଥିବି ।
କନ୍ଦମୂଳ ଆହାରରେ ଦିନ ଗୋ ବଞ୍ଚିବି ।
ଭରତ ରାଜା ହୋଇବ ଅଯୋଧ୍ୟା ନଗରେ ।
କେକୟୀ ଜନନୀଙ୍କର ଉପାୟେ ବୁଦ୍ଧିରେ ।
ତୁ ସଖି ତାହାଙ୍କୁ ସେବା କରି ଏଥି ଥିବୁ ।
ଆମ୍ଭଙ୍କୁ ନ ଦେଖି ଅନ୍ତର ତ ନ ଧରିବୁ ।
କାହାରି ସଙ୍ଗତେ ତୁ ଗୋ ନ କରିବୁ କଳି ।
ତୋତେ ତୁହି ରକ୍ଷା କରିଥିବୁ ମଇଥିଳି ।