ପୃଷ୍ଠା:Typical selections from Oriya literature.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୧
ଓଡ଼ିଆ ସାହିତ୍ୟ-ପରିଚୟ

ଆମ୍ଭର ଶୁଭ ଆରାଧୁଥିବୁ ବସି ନିତି ।
ଏସନ ଶୁଣିଣ ଯେ କ‌ହ‌ନ୍ତି ସୀତା ସତୀ ।
କିପାଇଁ ଭୋନାଥ ତୁମ୍ଭେ ହୋଇଲ ଯେ ବାଇ ।
ତୁମ୍ଭଙ୍କୁ ନ ଦେଖିଲେ କି ମୋର ପ୍ରାଣ ରହି ।
ମୁହୂର୍ତ୍ତକ ନିମିଷକ ବ‌ହି ଯେ ନ ଯାଇ ।
ଏ ତୁମ୍ଭର ଅଙ୍ଗର ମୁଁ ହୋଇ ଥାଇ ଛାଇ ।
ତୁମ୍ଭେ ପ୍ରଭୁ ମୋତେତ ନ ଲୋଡ଼ ଯେବେ ନେଇ ।
ଅବଶ୍ୟ ମରିବି ନାଥ ମୁହିଁ ବିଷ ଖାଇ ।
ଯେବଣ ଦିନରେ ତୁମ୍ଭେ ମିଥିଲାକୁ ଗଲ ।
ସେ ଦିନ ଭିତରେ ଶିବ ଧନୁ ଭଗ୍ନ କଲ ।
ସେ ଦିନୁ ମୋର ପ୍ରାଣକୁ ରଖିଲା ଆକର୍ଷି ।
ଅନୁକ୍ଷଣେ ଥାଅ ତୁମ୍ଭେ ମୋ ହୃଦୟେ ବସି ।
ଏବେ ତୁମ୍ଭେ ବନରେ ପାଇବ ଯାଇଁ ଦୁଃଖ ।
ମୁହିଁ ଏଥି ଥାଇଁ ନାଥ ପାଇବି କି ସୁଖ ।
ଶ୍ରୀରାମ ବୋଇଲେ କିଛି ନ ଜାଣୁରେ ସ‌ହି ।
ବନ ବାସ କଷ୍ଟ ତୁ ଗୋ ନ ପାରିବୁ ସ‌ହି ।
ବନ ପର୍ବତରେ ଆମ୍ଭେ ଯିବୁ ନିରନ୍ତର ।
ଜୀବ ଜନ୍ତୁମାନେ ଗୋ ଅନେକ ଭୟଙ୍କର ।
ଦିନେ କି ଓଳିଏ କି ଗୋ ଯିବା ଯେ ଆସିବା ।
ଚଉଦ ବରଷ ଘୋର ବନସ୍ତେ ବଞ୍ଚିବା ।
ଚନ୍ଦ୍ରଶାଳା ପୁରେ ଡରୁ ଚିତ୍ରପଟ ଦେଖି ।
ଦେହ ଧରିବୁ କେମନ୍ତେ ତ‌ହିଁ ଶ‌ଶିମୁଖି ।
ତୋହର କଷ୍ଟରେ ହେବ ମୋର ମନେ ଚିନ୍ତା ।
ଏ କଥାକୁ ମନେ ମଧ୍ୟେ ନ ଧର ଗୋ ସୀତା ।
ଶାଶୁଙ୍କ ସଙ୍ଗତେ ତୁ ଗୋ ଅବିରତେ ଥିବୁ ।
ଚଉଦ ବର୍ଷେ ଅଇଲେ ଆମ୍ଭଙ୍କୁ ଦେଖିବୁ ।
ଶ୍ରୀରାମଙ୍କ ମୁଖୁ ସୀତା ଶୁଣି ଏ ବଚନ ।
ବୋଇଲେ କ୍ରୋଧରେ ଆକ୍ଷି କରି ଥନଥନ ।
ପିତା ମୋର ସତ୍ୟ ବାକ୍ୟେ ସମର୍ପିଲା ତୋତେ ।
ତୁ କିପାଁ ସ୍ୱାମୀ ନିରାଶ କରୁଅଛୁ ମୋତେ ।
ତୁମ୍ଭେ ସ୍ୱାମୀ ନିଶ୍ଚେ ଯେବେ ହେବ ବନବାସୀ ।
ଜନ୍ମେ ଜନ୍ମେ ମୁହିଁ ତୁମ୍ଭ ପାଦର ଯେ ଦାସୀ ।
ମୁହିଁ ଏଥେ ଥାଇଁ ଦେବ ଚାହିଁବି କା ମୁଖ ।
ମୋତେ ସଙ୍ଗତରେ ନିଅ ଆହେ ପଦ୍ମମୁଖ ।