ପୃଷ୍ଠା:Typical selections from Oriya literature.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୫
ଓଡ଼ିଆ ସାହିତ୍ୟ-ପରିଚୟ

କାହାର ନିଶ ଆରକ ଦେହରେ ଲାଗଇ ।
ପିଙ୍ଗଳ କେଶ ଦେଖିଲେ ମନେ ତ୍ରାସ ପାଇ ।
କାହା ନାକ-ପୁଡ଼ାରେ ବାହାରି ଦିଶେ ବାଳ ।
ତ‌ହିଁ ଗୁନ୍ଥା ହେଲା ପ୍ରାୟେ ଦିଶେ ଗୁଞ୍ଜାମାଳ ।
ଦେହର ରୋମକୁ ଯେ ଦେଖିଣ ଭୟ କରି ।
କାହାରି କାହାରି ଭାଷା ବୁଝିତ ନ ପାରି ।
କାହାର ବାଳରେ କେହୁ ଜଟ ପାରୁ ଅଛି ।
ଖଣ୍ତି ଖଣ୍ତି କରି ପୋଡ଼ି ମାଂସ କେ ଖାଉଛି ।
ବିଭୂତିରେ ବିଲେପନ କାହାର ଶରୀର ।
ଗବ ତେଲେ କାହା ମୁଣ୍ତବାଳ ଜର ଜର ।
କାହା ଶରୀରରେ ଶୋଭା ପାଏ ଇଟା ଗୁଣ୍ତି ।
ରଙ୍ଗ ମାଟି ଘେନି କେ ଶରୀର ହୋଏ ମଣ୍ତି ।
କେହୁ ଲଟା ଗୁଡ଼ିଆଇ ହୋଇଥାଏ ପାଏ ।
ହାତୀ ଭଙ୍ଗା ଡ଼ାଳକୁ ଯେ ଭାଙ୍ଗିଣ ଥୋକାଏ ।
ଧାଗଣା କାଠର କେହୁ କରିଣ କୋଦଣ୍ତ ।
ଗୋରୁ ଚମତୂଣ ଯେ ନାହାଳ ବେନି କାଣ୍ତ ।
ଏକ‌କରେ କୁଠାର କେ ଧନୁ କରେ ଘେନି ।
କେ କରେ ଘେନି ଅଛଇ ଭଙ୍ଗା ଡ଼ାଳ ବେନି ।
ମୁଷଳ ମୁଦ୍ଗର ଶର ଯାଠିକି ପ୍ରହାରି ।
ଶିକଳ ଲଗାଇ କେହୁ କୁକୁରକୁ ଧରି ।
ଅଣ୍ଟାର ମେଖଳା କେହି ଝିଙ୍କିଣ ଝୁଙ୍କନ୍ତି ।
ତୁଣୀରରୁ କାଣ୍ତକେ କାଢ଼ିଣ ସଳଖନ୍ତି ।
କାରିଗିରି କରଇ କେ ବାଟେ ଯା‌ଉ ଯାଉ ।
ମାର ମାର ବୋଲି କେ ଯୁଝନ୍ତି ଧାଉଁ ଧାଉଁ ।
ଦଶ ଲକ୍ଷ ପଦାତି ଘେନିଣ ଗୂହ ବୀର ।
ଦରଶନ କଲା ଆସି ଶ୍ରୀରାମ ପୟର ।
କର ଯୋଡ଼ିଣ ରାମଙ୍କୁ ପଚାରଇ ବାଣୀ ।
କେବଣ କାରଣେ ଏହି ବେଶେ ରଘୁମଣି ।
ଶ୍ରୀରାମ ବୋଇଲେ ଶୁଣ ହେ ମୋହର ସଖା ।
ଯେବଣ କାରଣେ ମୁଁ ଯେ ଅଇ‌ଲଇଁ ଏକା ।
ପିତା ଦଶରଥ ମୋତେ ରାଜ୍ୟ ଦେବା କଲା ।
କେକୟୀ ଜନନୀ ତାହା ପିତାଙ୍କୁ ମାଗିଲା ।
ଚଉଦ ବରଷ ମୁଁ ବୁଲିବି ଘୋର ବନେ ।
ଭର‌ତ ଯେ ଅଯୋଧ୍ୟାକୁ ପାଳିବ ବିଧାନେ ।