ପୃଷ୍ଠା:Typical selections from Oriya literature.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୮
ଓଡ଼ିଆ ସାହିତ୍ୟ-ପରିଚୟ

କାକୋଳ କୋରୁଆ ହିଙ୍ଗୁ ବୃକ୍ଷ ଏଳାଇଚ ।
ଅଶ୍ୱଗନ୍ଧା ସପୁରୀ ଯେ କଦମ୍ବ କାଇଁଚ ।
କାହିଁ ଡାଳଚିନି ବୃକ୍ଷ କାହିଁ ତେଜପତ୍ର ।
ଏସନେକ ବୃକ୍ଷରେ ସେ ବିପିନ ପବିତ୍ର ।
ସିଂହ ଗଜ ଭଲ୍ଲୁକ ଅଛନ୍ତି ପନ୍ତି ପନ୍ତି ।
ମୃଗ ଶାର୍ଦ୍ଦୁଳ ମଇଁଷି ଅପାର ଅଛନ୍ତି ।
ଗଣ୍ତା ଗୟଳ ଖୁରାଣ୍ଟି ନାନାବର୍ଣ୍ଣ ମୃଗେ ।
ଚରନ୍ତି ହରିଣୀ ବାହୁଟିଆ ଏକସଙ୍ଗେ ।
ବଣ ଗୋରୁ ବଣ ମୂଷା ମାର୍ଜ୍ଜାର ବଳିଆ ।
ଶଶା ଶାଲୁଆପତନୀ ଶିଆଳୀ ବିଲୁଆ ।
ଶୁକ ଶାରୀ କାକତୁଆ ରାବ ଘନ ଘନ ।
କୋକିଳ ଭାଷନ୍ତି କି ବସନ୍ତ ମଧୁବନ ।
କୁମ୍ଭାଟିଆ ଡାହୁକ ଯେ ମୟୂର ତିତ୍ତିରୀ ।
ବକ ଶାମଳ ପାରୁଆ ବାଦୁଡ଼ୀ ଗୁଣ୍ତୁରୀ ।
ଚକ୍ରବାକ ରାଜ‌ହଂସ ପାତିହଂସ କୁଆ ।
ହଳଦିବସନ୍ତ ଗୃଧ୍ର ଉଲ୍ଲୁକ ମାଟିଆ ।
ନାନାବର୍ଣ୍ଣ ପକ୍ଷୀମାନେ ଭିନ୍ନେ ଭିନ୍ନେ ଯାନ୍ତି ।
ହାତୁଣୀ ପଛେ ଗୋଡ଼ାଇ ଅଛନ୍ତି ଯେ ହାତୀ ।
ତାହାଙ୍କ ପଛରେ ଲାଗି ଆସଇ ଯେ ବାଘ ।
ଗଜଧାଡ଼ି ସଙ୍ଗେ ତାର ଆହାର ସରାଗ ।
ତାହାକୁ ଭକ୍ଷନ୍ତେ ସେ ହୁଅଇ ମହାବଳ ।
ତେଣୁ ସେହି ନ ଛାଡ଼ଇ ଗଜଙ୍କର ମେଳ ।
ତେଣ୍ଟୋଇ କାକରଖାଇ ଡ଼ାମରା ଯା କୁଜି ।
ବୃକ୍ଷେ ବସି ରାବୁଛନ୍ତି ହୋଇ ପୁଞ୍ଜି ପୁଞ୍ଜି ।
ଚକୁଆ ଚକୋଇ ପକ୍ଷୀ ଜଳେ ଖେଳୁଛନ୍ତି ।
ନୀଳକଣ୍ଠ ଚଡ଼ାଇ ଯେ ଗ‌ଗନେ ଉଡ଼ନ୍ତି ।
ବେଣୁ ବୃକ୍ଷେ ବସି ଅଛି କଜଳପାତିଆ ।
ପାଣି-ମଧ୍ୟେ ବୁଡ଼ି ଖେଳୁଛନ୍ତି ପାଣିକୁଆ ।
ତେନ୍ତୁଳି ବୃକ୍ଷରେ ବସି ଅଛନ୍ତି ବାଦୁଡ଼ୀ ।
ଶିଳା-ତଳେ ଲୁଚି ରହି ଅଛନ୍ତି ଘୁରୁଡ଼ୀ ।
କାପ୍ତା ଭରତିଆ ପକ୍ଷୀ ଗୋବରା ଚଡେଇ ।
ବାୟା ଘରଚଟିଆ ଯେ ଝିଣ୍ଟିକା ଅଛଇ ।
ଝିଣ୍ଟି ଝିଙ୍କର ଯାବକ ଅଛନ୍ତି ବ‌ହୁତ ।
ଭଦଭଦଳିଅ ସାତଭାଇଆ ବସନ୍ତ ।