ପୃଷ୍ଠା:Typical selections from Oriya literature.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୬
ଓଡ଼ିଆ ସାହିତ୍ୟ-ପରିଚୟ

ଏତେକ ପାଞ୍ଚି ମନରେ ରଥରୁ ଉତ୍ତରି ।
ରାକ୍ଷସ ରୂପ ଛାଡ଼ି ତପସ୍ୱୀ ରୂପ ଧରି ।
ଦୁଇ କର ଦୁଇ ଯେ ଚରଣ ଏକ ମୁଖ ।
କି ଜାଣି ଦୁର୍ବାସାଋଷିଙ୍କର ରୂପରେଖ ।
ଶିରରେ ଜଟା ବାନ୍ଧି ଯେ ନାଗବନ୍ଧ କରି ।
କର୍ଣ୍ଣରେ ତମ୍ବା କୁଣ୍ତଳ ଅଛି ବେନି ଭରି ।
ସର୍ବାଙ୍ଗେ ବିଭୂତି କଣ୍ଠେ ତୁଳସୀର ମାଳ ।
ସ୍ଫଟିକର ଅଳଙ୍କାରେ ଶୋହେ ବାହୁମୂଳ ।
କଷାବସ୍ତ୍ର ପିନ୍ଧିଣ ଦୋସରି ମୃଗଛାଲ ।
ଗୋମୟ ପାଉଁଶ ଚିତା କରିଣ କପୋଳ ।
ବେଦକାଣ୍ତି ପୋଥିଖଣ୍ତି କାଖମୂଳେ ଅଛି ।
କରେ କୁଶବଟୁ ଘେନି ବିଶ୍ରବାର ବତ୍ସି ।
ଧୀରେ ଧୀରେ ଆସଇ ଯେ ଶଙ୍କା ମନେ କରି ।
ମଢ଼ିଆଦୁଆରେ ଉଭା ହୋଇ ବ୍ରହ୍ମଚାରୀ ।
ଚାରିବେଦ ଉଙ୍କାରି କର୍ଣ୍ଣାଟ ରାଗେ ଗାଇ ।
ଓଁକାର ଆଦି ଗାୟତ୍ରୀ ସାବତ୍ରୀ ପଢ଼ଇ ।
ସୀତା ଶ୍ରବଣେ ଶୁଣି ସୁସ୍ୱର ବେଦ‌ଧ୍ୱନି ।
ବିଚାରନ୍ତି କାହୁଁ ଯେ ଅଇଲେ ମହାମୁନି ।
ଶ୍ରୀରାମଚନ୍ଦ୍ର ନାହାନ୍ତି କେ କରିବ ପୂଜା ।
ଏମନ୍ତ ବିଚାରିଣ ସେ ଅବନୀତନୁଜା ।
ସମସ୍ୟା ନ କରି ଭିତରକୁ ଉଠିଗଲେ ।
ଦୋହରା ଅଗ୍ନିଭିତରେ ଯାଇଁଣ ପଶିଲେ ।
ଏହାର ଗୃହରେ କି ମନୁଷ୍ୟ କେହି ନାହିଁ ।
ଏମନ୍ତ ବୋଲି କ‌ହ‌ନ୍ତେ ମାୟାଲଙ୍କସାଁଇ ।
ଶୁଣି ସୀତା ମ‌ଢିଆଦ୍ୱାରେଣ ଉଭା ହୋଇ ।
ଲାଜରେ ସେ ସତୀ ଆଢ଼ ଉହାଡ଼ରେ ରହି ।
ସଧୀରେ ବୋଇଲେ ତୁମ୍ଭେ କେଉଁ ଦେଶ ଯତି ।
ରାବଣ ବୋଇଲା ମୁହିଁ ପୁଲସ୍ତିର ନାତି ।
ନିକଟରେ ଯ‌ହୁଁ ମୁଁ ଦେଖିଲି ତୁମ୍ଭ ମଠ ।
ଇଚ୍ଛା ବଳିଲା ଅଇଲି ତୁମ୍ଭର ନିକଟ ।
ତେଣୁ କିଛି ପ୍ରାର୍ଥନା କରଇ ତୋତେ ମୁହିଁ ।
ମୋ ଘରେ ସ୍ୱାମୀ ନାହାନ୍ତି ବୋଲେ ବଇଦେହୀ ।
ମୃଗ ମାରି ଆଶିବାକୁ ଗଲେ ବେନିଭ୍ରାତ ।
ଥିଲେ ତୁମ୍ଭଙ୍କୁ କରନ୍ତେ ବ‌ହୁ ପୁରୁଷାର୍ଥ ।