ପୃଷ୍ଠା:Typical selections from Oriya literature.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୭
ଓଡ଼ିଆ ସାହିତ୍ୟ-ପରିଚୟ

ରାବଣ ବୋଇଲା ତୁମ୍ଭେ କେବଣ ଦେଶର ।
କିମର୍ଥେ ଏ ବନେ ରହିଅଛି କରି ଘର ।
ରାବଣ କ‌ହ‌ନ୍ତେ ସ‌ତୀ କ‌ହ‌ନ୍ତି ବଚନ ।
ଏ ମୋହର କ‌ଥା ତୁମ୍ଭେ ଶୁଣ ତପୀଜନ ।
ଅଯୋଧ୍ୟାଦେଶରେ ଦଶରଥ ଯେ ନୃପତି ।
ତାହାଙ୍କର ପୁତ୍ର ନାମ ରାମ ମହାମତି ।
କନିଷ୍ଠ ଲକ୍ଷ୍ମଣ ଭ୍ରତ ଶତ୍ରୁଘ୍ନ ଏ ତିନି ।
ତିନି ମାତାଠାରୁ ଚାରିଗୋଟି ପୁତ୍ର ଜନ୍ମି ।
ଶ୍ରୀରାମଙ୍କ ଜନନୀ ଯେ କଉଶଲ୍ୟା ରାଣୀ ।
କୈକେୟୀ ଦେବୀଙ୍କ ପୁତ୍ର ଭ୍ରତ ନୃପମଣି ।
ସୁମିତ୍ରାନନ୍ଦନ ଯେ ଲକ୍ଷ୍ମଣ ଶତ୍ରୁଘନ ।
ଋଷ୍ୟଶୃଙ୍ଗଙ୍କ ଚରୁରୁ ହୋଇଲେ ଏ ଜନ୍ମ ।
ଶ୍ରୀରାମଙ୍କୁ ଆସି ବିଶ୍ୱାମିତ୍ର ଘେନିଗଲେ ।
ବାରବରଷରେ ରାମ ତାଡ଼କୀ ବଧିଲେ ।
ଅସୁରଙ୍କୁ ବିନାଶିଣ ରଖିଲେକ ଯଜ୍ଞ ।
ଦେବତାମାନଙ୍କୁ ଭୁଞ୍ଜାବନ୍ତି ହବିର୍ଭାଗ ।
ବିପୁଳ ବମରେ ଗଉତମଙ୍କର ନାରୀ ।
ପତିଶାପରେ ଥିଲେ ପାଷାଣ ରୂପ ଧରି ।
ରାମଚନ୍ଦ୍ରପାଦ ଲାଗି ନିଜ ଦେହ ପାଇ ।
ତ‌ହୁଁ ଦାଶରଥି ଯେ ମିଥିଲାପୁର ଯାଇ ।
ଶିବଧନୁ ମୋର ପିତା ଯତ୍ନେ ଥୋଇଥିଲେ ।
ହେଳେଣ ଦାଶରଥି ଯେ ତାହା ଆମଞ୍ଚିଲେ ।
ମୋତେ ବିଭା ହୋଇଣ ସେ ଅଯୋଧ୍ୟା ଅଇଲେ ।
ବାଟେ ଯାନ୍ତେ ପର୍ଶୁରାମ ଦର୍ପ ଚୂର୍ଣ୍ଣ କଲେ ।
ନିଜପୁରେ ପ୍ରବେଶିଣ ଥିଲେ କେତେ କାଳ ।
ଦିନେ ବିଚାରିଲେ ଦଶରଥ ମ‌ହୀପାଳ ।
ରାମଙ୍କୁ ରାଜା କରିବେ ବୋଲି ମନେ କଲେ ।
ଅଭିଷେକ ଯୋଗାଡ଼ ସମସ୍ତ ଭିଆଇଲେ ।
ରାତ୍ର ପାହିଲେ ହୁଅନ୍ତେ ରାଜା ମୋର ନାହା ।
ରାତ୍ରେ ନୃପତିଙ୍କି ସତ୍ୟ କରାଇ କୈକେୟା ।
ଶ୍ରୀରାମ ଯେ ଚଉଦ ବରଷ ବନ ଯାଉ ।
ତେଣୁ ବନ‌କୁ ଅଇଲେ ରାମ ମ‌ହାବାହୁ ।
ସଙ୍ଗତରେ ଅନୁଜ ଲକ୍ଷ୍ମଣକୁ ଆଣିଲେ ।
ମୋତେ ଘେନିଣ ସେ ବନ ମଧ୍ୟକୁ ଅଇଲେ ।