ପୃଷ୍ଠା:Typical selections from Oriya literature.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୯
ଓଡ଼ିଆ ସାହିତ୍ୟ-ପରିଚୟ

ତୁମ୍ଭେ କେବଣ କାରଣେ ଆସିଅଛ ଯତି ।
କେବଣ କୁଳେ ଜାତ କେବଣ ତୋର ଜାତି ।
କ‌ହ ମୋର ଆଗେ ମୁହିଁ ପ୍ରତେ ଯେହ୍ନେ ଯାଇଁ ।
ସୀତା ବୋଲ ଶୁଣିଣ ବୋଲଇ ଲଙ୍କସାଁଇ ।
ଶୁଣ ଶୁଣ ଜାନ‌କୀ ଗୋ ମୋହର ମହିମା ।
ପିତା ଅଜା ମୋହର ଅଟନ୍ତି ବେଦବ୍ରହ୍ମା ।
ମୁହିଁତ ରାବଣ ଲଙ୍କାର ଯେ ଅଧିପତି ।
ତ୍ରଇଲୋକ୍ୟରେ ବିଖ୍ୟାତ ମୋହର କୀରତି ।
ବିଶ୍ରବା ମହ‌ଋଷି ଯେ ମୋର ଅଟେ ପିତା ।
ନଉକେଶୀ ରାକ୍ଷସୁଣୀ ଗର୍ଭଧାରୀ ମାତା ।
କୁବେର ମୋହର ଯେ ଅଟଇ ଜ୍ୟେଷ୍ଠଭାଇ ।
କୁମ୍ଭକର୍ଣ୍ଣ ନାମେଣ ଯେ ଅନୁଜ ଅଛଇ ।
ଛପନ‌ଗଣ୍ତା ଯୁଗକୁ ମୋତେ ପୃଥ୍ୱୀ ଭୋଗ ।
ବ୍ରହ୍ମାର ବଚନେ ଅଛି ଏସନେକ ଯୋଗ ।
ଆଜକୁ ବୟସ ମୋତେ ଶୁଣ ଆଗୋ ସୀତେ ।
ଷାଠିଏ କୋଟି ତିରିଶ ସ‌ହସ୍ର ଅୟୁତେ ।
ଏତେ ବରଷ ହେଲା ମୁଁ ଅଛି ଦେହ ଘେନି ।
ଭୁଜବଳେ ସାଧିଲି ମୁଁ ସମସ୍ତ ମେଦିନୀ ।
ମୋତେ ପ୍ରୀତିରେ ଗୋ ବୋଧ ମାଗୁ ନାହିଁ ଆନ ।
ମୁହିଁ ସୁନ୍ଦର ପୁରୁଷ ଅଟେ ଦଶାନନ ।
ଏଣୁ ମୁଁ ବୟସାଧିକ ହେଲି ରାମାବର ।
ସପତପୁର ଆବର ସପତସାଗର ।
ମୋହର ଭୟେ କମ୍ପଇ ସକଳ ଜଗତ ।
ତୁ ଗୋ ଏଥେ ଥିବାର ମୁଁ ପାଇଲି ବାରତ ।
ତେଣୁକରି ଏଥକୁ ମୁଁ ଅଇଲି ଗୋ ସୀତା ।
ମୋହର ରାଣୀ ହୋଇ ଗୋ ହୁଅ ଜଗଜ୍ଜିତା ।
ମୋହର ଭାରିଯା ହୁଅ ତୁ ଗୋ ବଇଦେହୀ ।
ମୋତେ ଘେନି ଘର କରି ହୁଅ ମହାଦେଈ ।
ଦେହ ସାଦୃଶ୍ୟେଣ ତୋତେ ଅଳଙ୍କାର ଦେବି ।
ବିବିଧ ଭୋଗମାନ ଯେ ଯୋଗାଉଣ ଥିବି ।
ମନ୍ଦୋଦରୀ ମୂଳେ ଯେ ଅନେକ ନାରୀ ଛନ୍ତି ।
ସମସ୍ତେ ସେବା କରିବେ ଆଗୋ ରୂପବତି ।
ଏ ମୋହର ବଚନ ତୁ ନ କରସି ଆନ ।
ମୋତେ ଚିନ୍ତା ହେଲା ସଖି ପୀଡ଼ିଲା ମଦନ ।