ଏ ତୋହର ଶରୀର ମୋହର ଦେହେ ଲାଗୁ ।
ଏ ବିରହତାପ ସଖି ତୋର ହେତୁ ଭାଙ୍ଗୁ ।
ଶ୍ରୀରାମ ଯେ ପତିପଣେ ନ ଯୋଗାଇ ତୋତେ ।
ଅଳପ ଆୟୁଷ ତାର ଅଟଇ ଯୁଗତେ ।
ମୁହିଁ ଏହି ତୈଲୋକ୍ୟରେ ନୃପତି ଅଟଇ ।
ଏ ତୋର ରୂପକୁ ପତିପଣେ ମୁଁ ଖଟଇ ।
ଶୁଣିଣ ଜାନକୀର ଯେ କମ୍ପଇ ଶରୀର ।
ରାଗେଣ ସର୍ବାଙ୍ଗଯାକ ହୁଏ ଥରହର ।
କପାଳେ କର ମାରିଣ କହନ୍ତି ବଚନ ।
ଅବିଧି କଥାମାନ ତୁ କହୁ ଦଶାନନ ।
ଶ୍ରୀରାମଙ୍କ ରୂପକୁ ତୁ ଅଟୁ କୀଟ ପୋକ ।
ଶ୍ରୀରାମଚନ୍ଦ୍ର କୋପିଲେ ନ ରହେ ତୈଲୋକ୍ୟ ।
ସିଂହର ଘରଣୀ କି ଶୃଗାଳ ପାରେ ହରି ।
ଏ କଥାତ ବିଚାର ନ କରୁ ଦଶଶିରୀ ।
ବଡ଼ହିଁ ଗରିଷ୍ଠ ଯତ୍ରି ତୁ ହୋ ବୀର ଅଟୁ ।
ତୈଲୋକ୍ୟହିଁ ଜିଣିଲୁ ଶ୍ରୀରାମଙ୍କୁ ନ ଖଟୁ ।
ଏଣେ ତୋହର ସଧତ ଅଟଇ ଅପାର ।
ଶରୀ ହରିପାରୁ କି ଦେଖିଲେ ବଜ୍ରଧର ।
ଅଗ୍ନିଶିଖା ଧରିପାରୁ କି ନା ନିଜ କରେ ।
ଉମା ନେଇ ପାରୁ କି ଦେଖିଲେ ଶୂଳଧରେ ।
ଶ୍ରୀରାମ ଥାନ୍ତେ କି ମୋତେ ପାରୁ ତୁହି ହରି ।
କାଳଗରଳ ଖାଇଲେ ପାରିବୁ କି ତରି ।
ଶ୍ରୀରାମର କୋପ ଯେ ପ୍ରଳୟ ଅଗ୍ନି ଜାଣି ।
ତହିଁ କେମନ୍ତେ ପଶି ତରିବୁ ବିଂଶପାଣି ।
ଶ୍ରୀରାମର ମହିମା ଅଗାଧ ସିନ୍ଧୁଜଳ ।
ତହିଁ ପଶିଲେ କି ପାଇବୁ ତୁ ଥଳ କୂଳ ।
ରାଘବ ପବନଟି ବହଇ ଅତିଖର ।
ଧୂଳିପ୍ରାୟେ ତୁହି ଉଡ଼ିଯିବୁ ଦଶଶିର ।
ଭଲେଣ ପଳାଅ ତୁହି କ୍ଷଣେହେଁ ନ ରହ ।
ଲକ୍ଷ୍ମଣ ନାରାଚେ ଚିଡ଼ିଯିବ ତୋର ଦେହ ।
ଶ୍ରୀରାମ ଦୟାଳୁ ନୀରେଖକୁ ନ ମାରଇ ।
ଲକ୍ଷ୍ମଣ ବୀର ଯେ ଉପରୋଧ ନ କରଇ ।
ପ୍ରାଣ ଘେନି ଏଥୁ ଯାଅ ତୁହି ଯେ ପଳାଇ ।
ପୂର୍ବେଣ ଶାପ ଯେ ତୋତେ ଅଛି ଲଙ୍କସାଇଁ ।
ପୃଷ୍ଠା:Typical selections from Oriya literature.pdf/୧୨୬
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୦
ଓଡ଼ିଆ ସାହିତ୍ୟ-ପରିଚୟ