ଅସଂସ୍କାର ବଚନ କହିଲୁ ବହୁ ମୋତେ ।
ଆଜ ରାମଚନ୍ଦ୍ର ବାଣେ ମରିବୁ ନିୟତେ ।
ଶ୍ରୀରାମ ସିଂହ ଯେ ତୁହି ଅଟୁ ମତ୍ତହସ୍ତୀ ।
ନାରାଚମୁନରେ ବିଦାରିବେ ଦାଶରଥି ।
ପ୍ରାଣ ଘେନି ପଳା ଯା ମରିବୁ ଏହିକ୍ଷଣ ।
ଦେଖିଲେ ମୁଣ୍ତ ତୋହର କାଟିବେ ଲକ୍ଷ୍ମଣ ।
ଦେବାସୁର ଜିଣି ପାରନ୍ତି ସେ ବେନିଭାଇ ।
କିପାଇଁ ତୁ ଧାରଣା ବସିଲୁ ପ୍ରାଣ ଦେଇ ।
ଖର ଦୂଷଣ ତ୍ରିଶିରା ଯେତେ ତୋର ଥିଲେ ।
ଚଉଦସହସ୍ର ବଳ ଶ୍ରୀରାମ ମାଇଲେ ।
ଲକ୍ଷ୍ମଣ ନାମେଣ ଯେ ଶ୍ରୀରାମ ସାନ ଭ୍ରାତ ।
ସୂର୍ପଣଖାର ନାସା ଶ୍ରବଣ କଲେ ହତ ।
ଏଡ଼େ ସୁଖ ତୁହି ଯେ ନ ଛାଡ଼ ଦଶମାଥ ।
ଏଡ଼େ ଭରସାରେ ତୁ କହିଲୁ କେଉଁ ମତ ।
ଯା ଯା ଚାଣ୍ତାଳ ରେ ତୋର ମୁଖ ଯେ ନ ଚାହିଁ ।
ଅନେକ ଭର୍ତ୍ସନା ଯେ ବୋଇଲେ ବଇଦେହୀ ।
ଶୁଣିଣ ରାବଣ ଯେ ଉଠିଲା କୋପକରି ।
ବୋଇଲାକ ଆଜ ରାମ ରଖୁ ତାର ନାରୀ ।
ବାମ ଭୁଜ ସୀତାର ଡାହାଣ ଭୁଜେ ଧରି ।
ବିକଳେ ଜାନକୀ ଯେ ରୋଦନ ଉଚ୍ଚେ କରି ।
ମଢ଼ିଆରୁ ବାହାରି ରଥରେ ବସାଇଲା ।
ଶ୍ରୀରାମ ନାମ ଧରି ଜାନକୀ ରାବ ଦେଲା ।
(2)
ଶବରଣୀର ଶ୍ରୀରାମ-ଦର୍ଶନ
ଯୋଜନ ପରିଯନ୍ତେ ଦକ୍ଷିଣମୁଖେ ଗଲେ ।
ଶବର ଶବରଣୀକି ବାଟରେ ଦେଖିଲେ ।
ଯାହା ସେ କବନ୍ଧ କହିଥିଲା ରୂପଗୁଣ ।
ଦେଖିଲେ ପ୍ରତ୍ୟକ୍ଷେ ତାହା ରଘୁକୁଳରାଣ ।
ଶବର ଶ୍ରୀରାମଙ୍କୁ ବହୁତ ପୂଜା କଲା ।
ତାହାଙ୍କ କୁଳଗୋତ୍ରହିଁ ନାମ ପଚାରିଲା ।
ରାମ ବୋଇଲେ ଅଯୋଧ୍ୟା ଦଶରଥସୁତ ।
ଆବର କଉଶଲ୍ୟା ଅଟନ୍ତି ମୋର ମାତ ।