ପୃଷ୍ଠା:Typical selections from Oriya literature.pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୩
ଓଡ଼ିଆ ସାହିତ୍ୟ-ପରିଚୟ

ଅନୁଜ ଲକ୍ଷ୍ମଣ ମୋର ସୂମିତ୍ରାଙ୍କ ଶିଷ ।
ପିତାଙ୍କର ଆଜ୍ଞାରେ ମୁଁ କଲି ବନବାସ ।
ଗୋଦାବରୀକୂଳରେ ଘରଣୀ ହରାଇଲି ।
ତାହାଙ୍କୁ ମୁଁ ଏଥକୁ ଯେ ଲୋଡ଼ିଣ ଅଇଲି ।
ଶୁଣି ଶବରଣୀ ଯେ ବ‌ହୁତ ପୂଜା କଲା ।
ଶ୍ରୀରାମ ଲକ୍ଷ୍ମଣଙ୍କୁ ଘରକୁ ଘେନିଗଲା ।
କମଣ୍ତଳେ ଜଳ ଘେନି ଚରଣ ଧୋଇଲା ।
କୃଷ୍ଣାଜିନ ଛାଲ ଆଣି ଆସନ ସେ ଦେଲା ।
ଶବରୀ ବୋଇଲା ତୁମ୍ଭେ ଶୁଣ ରଘୁନାଥ ।
ସଞ୍ଚି ମୁଁ ଅଛଇ ସ୍ୱାଦୁ ସୁପକ୍ୱପଦାର୍ଥ ।
ତୋହର ଆସିବାକୁ ଅଛଇ ବାଟଚାହିଁ ।
ଇନ୍ଦ୍ରଦେବତା ମୋତେ ପଠିଆଇଲେ କ‌ହି ।
ତେଣୁକରି ଫଳ ମୂଳ ଅଛି ମୁହିଁ ସଞ୍ଚି ।
ତୁ ତାହାକୁ ମଣୋହି କର ହେ ରଘୁବତ୍ସି ।
ଏହା କ‌ହି ଶବରୀ ଯେ ଛାମୁରେ ରଖିଲେ ।
ଦେଖିଣ ରଘୁନାଥ ଶବରୀକି ପୁଚ୍ଛିଲେ ।
ଦନ୍ତମୁଦ୍ରାମାନତ ଏଥିରେ ଅଛି ବସି ।
ଭଲା ସଞ୍ଚିଅଛ ବେଳ ଜାଣିଣ ପ୍ରଶଂସି ।
ଆଣ ଆଣ ସୁନ୍ଦରି ରେ ଫଳକୁ ତୋହର ।
ତୋହ ଯୋଗୁଁ ଉଦର ସନ୍ତୋଷ ହେଉ ମୋର ।
ବେଗ ବେଗ ଶବରଣୀ ପରଷଇ ଆଣି ।
ଆନନ୍ଦେଣ ମଣୋହି କରନ୍ତି ରଘୁମଣି ।
ଭୁଞ୍ଜିଣ ସନ୍ତୋଷ ଯେ ହୋଇଲେ ଚାପଧାରୀ ।
ପୁଣିହିଁ ଆମ୍ବ ଆଣିଣ ଦେଲାକ ଶବରୀ ।
କରେ ଧରି ରାମଚନ୍ଦ୍ର ତଳେ ପକାଇଲେ ।
ଦନ୍ତମୁଦ୍ରା ନାହିଁ ଏଥି ବୋଲିଣ ବୋଇଲେ ।
ଶରଣବତ୍ସଳ ଦାସଜନ ହିତକାରୀ ।
ଅପାର ମହିମା ଯାର କ‌ହିତ କେ ପାରି ।
ସେ ଆମ୍ବ ଶବରଣୀ ଏମନ୍ତ ଭିଆଇଲା ।
ରାମ ଆସିବେ ବୋଲି ଯେ ବାରତା ପାଇଲା ।
ଚୂତବନେ ପଶିଣ ସେ ସାଉଁଟଇ ଆମ୍ବ ।
ଦନ୍ତରେ ଚାପିଣ ଜାଣେ ଆମ୍ବିଳ ସୁଆଦ ।
ମନ୍ଦକୁ ପକାଇ ଦେଇ ସାଇତଇ ଭଲ ।
ଏମନ୍ତ ଆଣି ସେ କରେ ସମସ୍ତଙ୍କୁ ଠୁଳ ।