ପୃଷ୍ଠା:Typical selections from Oriya literature.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୪
ଓଡ଼ିଆ ସାହିତ୍ୟ-ପରିଚୟ

ଅଜ୍ଞାନ ଲୋକ ଅଟଇ ସେହି ଶବରଣୀ ।
ପୁଳାଏକ ଖାଇଣ ସେ ଭଲ ମନ୍ଦ ଜାଣି ।
ସ୍ୱାଦୁଫଳମାନ ଯେ ସମସ୍ତ ଠୁଳ କଲା ।
ସୁନ୍ଦର ଆମ୍ବଗୋଟି ନ ଚାଖିଣ ରଖିଲା ।
ହୃଦପଦ୍ମ ମଧ୍ୟରେ ସେ କରଇ ବିଚାର ।
ଏ ଫଳକୁ ରଘୁନାଥ କରିବେ ଆହାର ।
ଏତେ ବିଚାରିଣ ତାକୁ ହୃଦରେ ଭରିଲା ।
ପରମ‌ପୁରୁଷ ତାହା ଭାବେ ଭୋଗ କଲା ।
ଯେତେଗୋଟି ଆମ୍ବରେ ଥିଲାକ ଦନ୍ତଘାତ ।
ଭାବେଣ ଭୋଜନ ତାକୁ କଲେ ରଘୁନାଥ ।
ସୁନ୍ଦରି ଆମ୍ବକୁ ନେଇ ପଛେ ଯାହା ଦେଲେ ।
ଅମୁଦ୍ରା ବୋଲିଣ ତାହା ରାମ ନ ଭୁଞ୍ଜିଲେ ।
ଶବରଣୀ କ‌ହୁଅଛି ବେନିକର ଯୋଡ଼ି ।
ଭୋ ରାମ ଏହାକୁ ଆଣିଲି ମୁଁ ଦୁଃଖେ ପଡ଼ି ।
ଭଲ ଆମ୍ବ ଗୋଟିତ ଲେଛିଲ କିସପାଇଁ ।
ଶବରୀ ବୋଲ ଶୁଣି ବୋଇଲେ ରଘୁସାଇଁ ।
ଭଲ ବୋଲି ତାହାକୁ ତୁ କେମନ୍ତେ ଜାଣିଲୁ ।
ଯେବେ ଭଲ ଦନ୍ତ ମୁଦ୍ରା କିପାଇଁ ନ ଦେଲୁ ।
ଅମୁଦ୍ରା ପଦାର୍ଥ ଯେ ଭୁଞ୍ଜିବା ନ ଯୋଗାଇ ।
ଭୁଞ୍ଜିଲେଣ ଅବଶ୍ୟତ ବିରୋଧ ପଡ଼ଇ ।
ଯେତୋଟି ଆମ୍ବରେ ତୋର ଦନ୍ତମୁଦ୍ରା ଥିଲା ।
ସେ ଆମ୍ବ ମୋତେ ଶବରୀ ଭଲ ଯୋଗାଇଲା ।
ଅମୁଦ୍ରା ପଦାର୍ଥ ମୁହିଁ ନ କରଇ ଗ୍ରାସ ।
ଏତେବୋଲି ଆସନୁ ଉଠିଲେ ରଘୁଶିଷ୍ୟ ।
ଲକ୍ଷ୍ମଣ‌ହିଁ ସୁପକ୍ୱ ପଦାର୍ଥ ଭୋଗ କଲେ ।
ଭୋଜନ ସାରିଣ ଦୁହେଁ ଆଚମନ କଲେ ।
ମୃଗଛାଲେ ବସାଇ ବୋଇଲା ତୁମ୍ଭେ ଶୁଣ ।
ଦୟା ମୋତେ କର ଆହେ ପ୍ରଭୁ ନାରାୟଣ ।
ତୁହି ରାମ ପରଂବ୍ରହ୍ମ ଶଙ୍ଖଚକ୍ରଧାରୀ ।
ଅବତାର ହୋଇଛୁ ଅସୁର ବଳ ମାରି ।
ମୁନିମାନେ ମୋତେତ ଅଛନ୍ତି ଯାହା କ‌ହି ।
ତୋ ପଦ୍ମ‌ପାଦ ସେବିଣ ଉଦ୍ଧାର ହେବଇଁ ।