ପୃଷ୍ଠା:Typical selections from Oriya literature.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

<poem>ଯୋଗେ ପୁଣି ସୁଗ୍ରୀବ ହୋଇଲା ମୋର ମିତ । ତାହା ଶୁଭକଥାଯେ ଅଟଇ ମୋର ହିତ ॥ ରାବଣ ମୋହର ଯେ ସୀତାକୁ ହରିନେଲା । ଶୁଣି ମୈତ୍ର ମୋହର ବହୁତ ଚିନ୍ତା କଲା ॥ ଲଙ୍କାଗଡ଼ ପୋଡ଼ିଣ ମାରିବ ଦଶଶିରୀ । ମୋତେ ପୁଣି ଆଣି ଦେବ ଜନକକୁମାରୀ ॥ ଏସନକ କଥା ତୁହି ବୁଝିବୁନା ବାଳି । ଏ ମୋହର ମିତ ଯେ ଅଟଇ ଶୁଦ୍ଧଶାଳୀ ॥ ଯେଉଁ ଦିନ ରାବଣ ସୀତାଙ୍କୁ ହରିନେଲା । ଆକାଶମାର୍ଗରେ ରଥ ବାହି ଘେନି ଗଲା ॥ ଶୋକେ ପୁଣ ଜାନକୀ ଯେ ଅଳଂକାର କାଢ଼ି । ତହିଁରେ ବାନ୍ଧିଲା ଯତ୍ନେ ଉପରାଣ ଶାଢ଼ୀ ॥ ସୁଗ୍ରୀବକୁ ଦେଖିଣ ତଳକୁ ପକାଇଲା । ମୋହର ମଇତ୍ର ତା ସାଇତି ଥୋଇ ଥିଲା ॥ ସେ ସକଳ ମଇତ୍ର ଯେ ଅଛି ମୋତେ ଦେଇ । ତେଣୁ ନାରାଚ ବିନ୍ଧିଲି ଉପକାର ପାଇଁ ॥ ବାଲିବୀର ବୋଇଲା ତୁ ଅଟୁ ଯେ ଅଜ୍ଞାନ । ଅନର୍ଗଳ ତୋଢ଼ର ବାନ୍ଧଇ ଦଶାନନ ॥ ସୁଗ୍ରୀବ ବୋଲରେ କି ତାହାକୁ ହୋଏ ମାରି । ଯାହାର ମୁଖ ଦେଖି ବାସବ ଭୟ କରି ॥ ମୋର ତହୁଁ ଜିଣନ୍ତା ଯେ ନାହିଁ ତାକୁ ଆନ । ମୋତେ ତୁହିଯେବେ କରିଥାନ୍ତୁ ସମାଧାନ ॥ ରାବଣକୁ ମାରି ମୁଁ ସୀତାକୁ ଆଣି ଦ୍ୟନ୍ତି । ସୁଗ୍ରୀବକୁହିଁ ଯେ ଗଉରବ କରି ଥାନ୍ତି ॥ ତୋତେ ଆଶ୍ରା କରିବାର ପାଆନ୍ତା କାରଣ । ଏଣୁ ଯେ ବୋଇଲି ତୋତେ ନ ଜାଣିମାପଣ ॥ ଶ୍ରୀରାମ ବୋଇଲେ ତୁହି ଭାଇବୋହୁ ହରୁ । ରାଜା ହୋଇ ପୁଣ ଯେ ଅନ୍ୟାୟ କିପାଁ କରୁ ॥ ସେ ପାତକେ ଆମ୍ଭେ ଯେ ବିନ୍ଧିଲୁ ତୋତେ ବାଣ । ତେଣୁ ସ୍ବର୍ଗ ପ୍ରାପତ ହୋଇବ ତୋତେ ଜାଣ ॥ ବାଳି ବୋଇଲାକ ଆମ୍ଭେ ଅଟୁ ପଶୁ ଜାତି । ସେ ଦୋଷ ଆମ୍ଭଙ୍କୁ କି ଅଛଇ ରଘୁପତି ॥ ଅଜ୍ଞାନ ଜୀବ ଆମ୍ଭେ ଅରଣ୍ୟେ ପୁଣ ଥାଉଁ । କନ୍ଦ ଫଳ ଖାଇଣ ନିର୍ଝର ପାଣି ପିଉ ॥