ପୃଷ୍ଠା:Typical selections from Oriya literature.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୦୩
ଓଡ଼ିଆ ସାହିତ୍ୟ-ପରିଚୟ

ଆମ୍ଭର ଜ୍ଞାନଗୋଚର ନାହିଁ ସାଧୁ ମେଳା ।
କିପାଇଁ ତୁ ଏକଥା କହୁଛୁ ରଘୁବଳା ॥
ଶ୍ରୀରାମ ବୋଇଲେ ତୁ ନୃପତିପଣ କରୁ ।
ଜଗତେ ବୋଲନ୍ତି ତୁ ବଳିଷ୍ଠ ସବୁଠାରୁ ॥
ଅଷ୍ଟ ଲୋକ ପାଳ ପୁଣ ଧର୍ମ ଏକ ମୂର୍ତ୍ତି ।
ବିଷ୍ଣୁ ଅଂଶ ନଥିଲେ କି ହୁଅଇ ନୃପତି ॥
ତୋତେ ସିନା ପାପ ପୁଣ୍ୟ ଲାଗଇ ଅବଶ୍ୟ ।
ତୁ ସେ କପିବୀର ଅଟୁ ଶ୍ରୀମନ୍ତ ପୁରୁଷ ॥
ଶ୍ରୀରାମଙ୍କର ମୁଖରୁ ଏସନକ ବାଣୀ ।
ସନ୍ତୋଷ ହୋଇଲା ସେହୁ ବାଳି ରାୟେ ଶୁଣି ॥
ବୋଇଲା ଶ୍ରୀରାମ ଧନ୍ୟ ତୋହର ସେ ପିତା ।
ଧନ୍ୟ ତୋର କଟକ ଯେ ଧନ୍ୟ ତୋର ମାତା ॥
ମୋତେ ଯେ ମାରି ପାରିଲୁ ଧନ୍ୟ ତୋର ବଳ ।
ଧନ୍ୟ ଧନ୍ୟ ଏ ମେଦିନୀ ହୋଇଲା ସଫଳ ॥
ତୋହର ପ୍ରାୟେକ କ୍ଷତ୍ରି ଦେଖିଲଇଁ ଯହୁଁ ।
ପୃଥ୍ବୀକି ପ୍ରଶଂସା ମୁଁ ଯେ କରୁଅଛି ତହୁଁ ॥
ଦେବତା ଏ ସମ ଯେ ନୋହନ୍ତି ହାଦେ ମୋତେ ।
ତୁ ରାମ ବାଣ ବିନ୍ଧିଲୁ କେବଣହିଁ ମତେ ॥
ବ୍ରହ୍ମା ବିଷ୍ଣୁ ମହେଶ କି ତୁ କେବଣଜନ ।
ମାନବ ଜନ୍ମ ହୋଇ ଯେ ଏଡ଼େ ତୋର ପ୍ରାଣ ॥
ଏତେକ ଶୁଣିଣ ରାମ ଧନୁଶର ଥୋଇ ।
ବାଳିକି ବିଳପନ୍ତି କାର୍ପଣ୍ୟମତ ହୋଇ ॥
ସୁଗ୍ରୀବର ଭାଇ ତୁ ମୋହର ଅଟୁ ଜ୍ୟେଷ୍ଠ ।
ଏ ମୋହର ଦୋଷ ଯେ ନ ଧରି କପିଶ୍ରେଷ୍ଠ ॥
ଏଡ଼େକ ଧାର୍ମିକ ବୋଲି ନ ଜାଣଇଁ ତୋତେ ।
ଯେତେକ ଅପ୍ରାଧ କଲି କ୍ଷମାକର ମୋତେ ॥
ନାରାଚ କାଢ଼ିଣ ପୁଣ ଦେବା ମଉଷଧି ।
ସୀତା ଆଣିବାକୁ ତୁ ଯେ କରସି ହୋ ବୁଦ୍ଧି ॥
ବାଳି ବୋଇଲାକ ମୁହିଁ ନ ଶୁଣଇଁ ଏହା ।
ତୁ ଶ୍ରୀରାମ ପ୍ରତ୍ୟକ୍ଷରେ ଅଟୁ ଚଉବାହା ॥
ପରମ ବ୍ରହ୍ମ ପୁରୁଷ ସ୍ବୟଂ ବିଶ୍ବବାସୀ ।
ଅବତାର ହୋଇଲ ଅସୁର ବଳ ଧ୍ବଂସି ॥
ମୋହର ଭାଗ୍ୟରେ ମୁହିଁ ଦେଖିଲଇଁ ତୋତେ ।
ତୁହି ଯେବେ ନାରାଚ ହୋ ପେଶିଲୁ ନି ମୋତେ ॥