ପୃଷ୍ଠା:Typical selections from Oriya literature.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏକାମରବନିଘେନି କପିଳାସ ଗିରି ।
ବିରଜାମଣ୍ଡଳରେ ଅଛନ୍ତି ଥାଟ ପୂରି ॥
ବଣା ହୋଇ ଯାଇଁ କରି ରହିଲେକ ଥାଟ ।
ବଣାଇ ନାମରେ ସେହୁ ହୋଇଲାକ ରାଷ୍ଟ୍ର ॥
ବାମଆଡେ ତହିଁ ପୁଣ ବାଟ ନ ପାଇଲେ ।
ବାମଣ୍ଡା ବୋଲିଣ ସେ ତହିଁର ନାମ ଦେଲେ ॥
ବେଣୀ ନଦୀକୂଳ ସେ ଯେ ହରଗଙ୍ଗାଲାଇ ।
ସୈନ୍ୟ ପୂରିଛନ୍ତି ସେ ଯେ ଛଡ଼ାଛଡ଼ି ନାହିଁ ॥
ରଣ କରି ଯାଇ ସେହୁ କଲେକ ବିଚାର ।
ରଣାଇ ନାମ ସେ ଯେ ହୋଇଲା ତାହାଙ୍କର ॥
ପାଣ୍ଡବ ବିପିନ ସେ ଯେ ଦେବଗିରି ଭେଟ ।
ପଶ୍ଚିମ ସମୁଦ୍ର ଯାଏ ପୂରିଛନ୍ତି ଥାଟ ॥
କାହିଁ ରଙ୍ଗବର୍ଣ୍ଣ ସେ କାହିଁ ପାଉଁଶ ରାଶି ।
କେବଣଠାରେ ସେହୁ ବିଭୂତି ବର୍ଣ୍ଣଦିଶି ॥
କାହିଁରେ ସିନ୍ଦୂରବର୍ଣ୍ଣ କାହିଁ ହରିତାଳ ।
ଭୂମିପରେ ଶୋଇକି ଅଛଇ ମେଘମାଳ ॥
କାହିଁ କଳାମୟେ ହୋଇ କାହିଁ ଧୂମ୍ରବର୍ଣ୍ଣ ।
କାହିଁ ରୂପା କାହିଁ ରେଣୁ ଦିଶଇ ସୁବର୍ଣ୍ଣ ॥
କାହିଁ ସ୍ଫଟିକର ବର୍ଣ୍ଣ କାହିଁ କାଚ ଆଭା ।
ରୁକ୍ଷ କପି ଦିଶନ୍ତେ ଦେଦିନୀ ଦିଶେ ଶୋଭା ॥
ମାଲ୍ୟବନ୍ତ ପର୍ବତେ ଥାଇଁଣ ରଘୁନାଥ ।
ଦେଖିଲେକ ସୈନ୍ୟ ପୂରି ଅଛନ୍ତି ଜଗତ ॥
ଅଗଣିତା ସୈନ୍ୟ କେହୁ ସଂକ୍ଷେପି ନପାରି ।
ଅର୍ବୁଦେକ କପି ସେ ଭୂମିରୁ ଅବତରି ॥
ସୁଗ୍ରୀବର ବୋଲେ ଦେବ ଶୁଣ ରଘୁପତି ।
ସୈନ୍ୟ ଅପ୍ରମିତ ପୂରି ଗଲେ ବସୁମତୀ ॥
ଯେ ତୋହର କାର୍ଯ୍ବତ ବିଚାରି ତାହା କର ।
କପିରାଜ ବିଚାରେ ବୋଲନ୍ତି ରଘୁବୀର ॥
ଭୋ ମଇତ୍ର ଯାହା ତୁ ବୋଇଲୁ ଏହୁ ସତ ।
ଚାରିଦିଗକୁହିଁ ଏବେ ପେଷିବାକ ଦୂତ ॥
କେବଣ କତିରେ ସେ ଯେ ରାବଣର ଘର ।
ଲଙ୍କା ନାମରେ ସେ ଯେ ଅଛି ଅନେକପୁର ॥
ରାବଣ ନାମରେ ସେ ଅନେକ ରାଜା ଅଛି ।
ଯେବଣ ରାବଣ ମୋର ନେଲାକ ମୃଗାକ୍ଷୀ ॥