ପୃଷ୍ଠା:Typical selections from Oriya literature.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯେବଣ ଦିନେ ସୀତାଙ୍କୁ ଆଣିଲା ରାବଣ ।
ମୁହିଁ ଥିଲି ରୁଷ୍ୟମୂକ ଗିରି ଶିଖରେଣ ॥
ରୋଦନ କରିଣ ଶୂନ୍ୟେ ଯାଇ ମହାସତୀ ।
ରଘୁବଂଶେ ଶ୍ରୀରାମ ଅଟନ୍ତି ମୋର ପତି ॥
ଏସନ ଶୁଣି ଉର୍ଦ୍ଧ୍ବକୁ ମୁ ଯେ ଦୃଷ୍ଟି ଦେଲି ।
ରାବଣର କୋଳେ ବଇଦେହୀକି ଦେଖିଲି ॥
ଏହି ସେ ଜାନକୀ ଯେ ଅଟଇ ରାମ-ବାମା ।
ଆନ ପଟାନ୍ତର ନାହିଁ ନାହିଁନା ଉପମା ॥
ଏହି ଯେ ପରମଲକ୍ଷ୍ମୀ ଜଗତର ମାତା ।
ଜନକଘରେ ଉତ୍ପତି ନାମ ଅଟେ ସୀତା ॥
ପତିର ବିଛେଦେ ଏହିପତିବ୍ରତ ପାଳି ।
ଦୁଃଖେଣ ଦିନ ବଞ୍ଚଇ ଏଥେ ମଇଥିଳୀ ॥
ଶ୍ରୀରାମ କହିଲେ ମୋର ଆଗେ ଯିସ ଯିସ ।
ତହୁଁ ଶତେଗୁଣ ଏହୁ ଅଟଇ ବିଶେଷ ॥
ଧନ୍ୟ ଧନ୍ୟ ଜାନକୀ ଏ ଧନ୍ୟ ଏହା ନେତ୍ର ।
ଧନ୍ୟ ଶ୍ରବଣ ଏହାର ଧନ୍ୟ ସର୍ବଗାତ୍ର ॥
ଧନ୍ୟ ନାସିକା ଏହାର ଧନ୍ୟ ପତିବ୍ରତ ।
ଧନ୍ୟ କବରୀର ଭାର ଧନ୍ୟ ଦୃଷ୍ଟିପାତ ॥
ଧନ୍ୟ ବକ୍ଷ୍ୟସ୍ଥଳ ଧନ୍ୟ ଏହା ମଝା କ୍ଷୀଣ ।
ଧନ୍ୟ ଏହାର ଯେ ନାଭି ଧନ୍ୟ ଯେ ଜଘନ ॥
ଧନ୍ୟ ଚରଣ ଅଙ୍ଗୁଷ୍ଠି ଧନ୍ୟ କର ବେନି ।
ଧନ୍ୟ ଗର୍ଭଧାରୀ ଧନ୍ୟ ଜନକ ଯେ ମୁନି ॥
ଧନ୍ୟ ଜନନୀ ତୁକ୍ଷିତି ଧଇଲୁ ଉଦରେ ।
ଧନ୍ୟ ସେ ପୁର ବଢ଼ିଲୁ ତୁହି ଯେଉଁପୁରେ ॥
ଧନ୍ୟ ଶ୍ରୀରାମ ତୁ ଧନ୍ୟ ରାଜା ଦଶରଥ ।
ଧନ୍ୟ କଉଶଲ୍ୟା ତୋର ଗର୍ଭଧାରୀ ମାତ ॥
ଧନ୍ୟ ଅଯୋଧ୍ୟା ଯେ ଧନ୍ୟ ତହିଁ ନର ନାରୀ ।
ଧନ୍ୟ ସୀତା ତୁ ଯେ ଶ୍ରୀରାମକୁ ବିଭାକରି ॥
ଧନ୍ୟ ସୁଗ୍ରୀବ ଯେ ଧନ୍ୟ କିଷ୍କିନ୍ଧ୍ୟା କଟକ ।
ଧନ୍ୟ ରାମ ତୋତେ ଯେ ଦେଖନ୍ତି ଯେତେ ଲୋକ ॥
ଧନ୍ୟ ମୋର ପିତା ଧନ୍ୟ ମୋହର ଜନନୀ ।
ଧନ୍ୟ ପିତା କେଶରୀ ମୋ ଧନ୍ୟ ମା ଅଞ୍ଜନୀ ॥
ଧନ୍ୟ ଦେଶ ଲୋକେ ଯେ ଶ୍ରୀରାମ ତୁମ୍ଭ ସାଇଁ ।
ଧନ୍ୟ ଲଙ୍କପତି ଧନ୍ୟ ତପକଲୁ କାହିଁ ॥