ପୃଷ୍ଠା:Typical selections from Oriya literature.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରଘୁନାଥ ବାଣେ ଯେ ହୋଇବୁ ପ୍ରାଣେ ନାଶ ।
ସୁଖେଣ ପାଇବୁ ତୁ ଅକ୍ଷୟ ସ୍ବର୍ଗବାସ ।
ଏତେ ବୋଲି ହନୁ ଯେ ଭାଳଇ ପୁଣି ପୁଣି ।
ରାକ୍ଷସୁଣୀମାନେ ଯେ ଆସିବେ ଏହିକ୍ଷଣି ।
ଏକାନ୍ତ ବେଳେ ମୁହିଁ ଯେ ସମାସ୍ୟା କରିବି ।
ସନ୍ଦେଶ ଘେନିଣ ଏଥୁ ବେଗେ ପୁଣି ଯିବି ।
ଏତେ ବୋଲିଣ ଛାଡ଼ିଲା ଭ୍ରମର ଶରୀର ।
ତତକ୍ଷଣେ ହେଲା ଅତି ସାମାନ୍ୟ ବାନର ।
ଡାଳରେ ବସିଣ ପତ୍ର ମଧ୍ୟେ ଲୁଚା ଦେଲା ।
ମନେ ମନେ ପୁଣି ସେହି ବିଚାର ବୋଇଲା ।
ପୂର୍ବେତ ଜାନକୀ ଦେବୀ ମୋତେ ଦେଖି ନାହିଁ ।
ଶାପ ନ ଦିଅଇ ପୁଣ କୋପମୁଖ ହୋଇ ।
ମାୟା ପ୍ରାୟେକ ନପୁଣ ମଣଇ ମୋ କଥା ।
ଏହି ବିଚାର ଗୋଟିତ ଲାଗେ ବଡ଼ ଚିନ୍ତା ।
ମୁହିଁ ନ କହିଲେ ତ ନ ଜାଣିମ ସେ ସତୀ ।
କେମନ୍ତେ ବାରତା ମୁଁ ଦେବଇଁ ରଘୁପତି ।
ଝାଡ଼ବାଡ଼କୁ କହିଲା ପ୍ରାୟେକ କହିବି ।
ସମାସ୍ୟା ପାଇଲେ ଏଥୁଁ ଓହ୍ଲାଇଣ ଯିବି ।
ଏତେ ବୋଲି ହନୁମତ ଏଣେ ତେଣେ ଚାହିଁ ।
ଦେଖିଲା ଏକା ହୋଇ ଅଛଇ ବଇଦେହୀ ।
ମନେ ଭୟ ପାଇ ଯେ ବୋଲଇ ପୁଣି ପୁଣି ।
ଅଳ୍ପ ଅଳ୍ପ ହସଇ ସେ ମନେ ଲାଜଘେନି ।
ସ୍ଥିର ହୋଇଣ କହଇ ସେହି ପୁଣି ପୁଣି ।
ମନେ ମନେ ବିଚାରି କହଇ କପିମଣି ।
ଅଯୋଧ୍ୟାରେ ରାଜା ଦଶରଥ ଦଣ୍ଡଧାରୀ ।
ତାହାଙ୍କ କୋଳରେ ଜାତହେଲେ ଚକ୍ରଧାରୀ ।
ନାମ ରାମ ଲକ୍ଷ୍ମଣ ଅଟନ୍ତି ତାର ସୁତ ।
ବନସ୍ତକୁ ପେଶିଲା ଯେ କଇକେୟୀ ମାତ ।
ଜନକର ଝିଅ ସୀତା ଶ୍ରୀରାମର ନାରୀ ।
ତାହାଙ୍କୁ ଘେନିଣ ରାମ ହେଲେ ବନଚାରୀ ।
ପଞ୍ଚବଟୀ ବନେ ରାମ ରହିଲେକ ଯହୁଁ ।
ରାବଣ ସୀତା ଚୋରାଇ ଆଣିଲାକ ତହୁଁ ।
ଲୋଡ଼ିଣ ଶ୍ରୀରାମ ବନେ ନ ପାଇଲେ ନାରୀ ।
ବୃକ୍ଷ ଗିରିମାନଙ୍କୁ ସେ ଦେଖିଲେ ପଚାରି ॥