ପୃଷ୍ଠା:Typical selections from Oriya literature.pdf/୧୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କାହାବୋଲେ ମଲା ପ୍ରାଣୀକି ତୁ ଜୀଆଇଲୁ ।
ରାମ ରାମ ବୋଲିଣ ତୁ ମୋ ଆଗେ କହିଲୁ ॥
କିଏ ତୁମ୍ଭେ ବାରେ ଦୟା କରକିନା ମୋତେ ।
ଛାମୁରେ ମିଳି କହ ଦେଖଇଁ କିନା ତୋତେ ॥
ଯାହା ସେ ସ୍ବପନେ ମୁହିଁ ଦେଖିଲଇଁ ଆଜ ।
ସତେ କି ମୋତେ ପ୍ରାପତ ହେବ ଶୁଭକାର୍ଯ୍ୟ ॥
ଯେବଣ ପୁରୁଷକୁ ଚିନ୍ତଇ ଅହର୍ନିଶି ।
ସେ କଥା ପ୍ରାପତ ମୋତେ ହୋଇଲାକ ଆସି ॥
ଏ ମୋହର ପାପ ରାଶି କେବେ କ୍ଷୟ ଯିବ ।
ଏ ସମୁଦ୍ର ଡ଼େଇଁ କେହୁ ବାରତା କହିବ ॥
ଏ ଜନ୍ମେ ମୋହର କିଛି ଦୋଷ କଲା ନାହିଁ ।
ବାଳୁତ କାଳୁ ମୁଁ ଧର୍ମକଥାରେ ଯେ ଥାଇ ॥
ଶ୍ରୀରାମ ଯେ ମୋହର ଅଟନ୍ତି ପ୍ରାଣପତି ।
ତାଙ୍କ ବିନୁ ମୋର ନ ବଳଇ ଅନ୍ୟେ ମତି ॥
ଏ ସତ୍ୟ ହୋଇଲେ ନିଶ୍ଚେ ପାଇବି ବାରତା ।
ଏତେ ବୋଲି ବିସ୍ମୟ ହୋଇଲେ ଦେବୀ ସୀତା ॥
ହନୁ ବିଚାରେ ନପୁଣ କରଇ ଏ କୋପ ।
ଏତେ ବୋଲି ହୋଇଲା ସାମାନ୍ୟ କପିରୂପ ॥
ଭ୍ରମର ପ୍ରାୟେକ ସେହି ବୃକ୍ଷରୁ ଖସିଲା ।
ଆକାଶୁ ଖସି ପଡ଼ିଲା ପ୍ରାୟକ ଦିଶିଲା ॥
ଜାନକୀର ଛାମୁରେ ଯେ ମିଳଇ ମାରୁତି ।
ପଚାରଇ ତୁମ୍ଭେ ଅଟ କାହାର ଯୁବତୀ ॥
କିପାଁ ଏତେ ଦୁଃଖ ପାଇ ଏଥେ ରହିଅଛ ।
ଦୟା ନକରଇ କିବା ବିଶ୍ରବାର ବତ୍ସ ॥
କିପାଇଁ ରାବଣେ ଯେ ନ କଲ ତୁମ୍ଭେ ପ୍ରୀତି ।
କି ଅବା ତୁମ୍ଭଙ୍କୁ କୋପ କଲା ଲଙ୍କପତି ॥
ତୋହର ଶରୀର ଗୋଟି ଅଟଇ କୋମଳ ।
  କିପାଁରେ ସୁନ୍ଦରୀ ତୋର ଚିତ୍ତ ସମାକୁଳ ॥
ଶୁଦ୍ଧ ସୁବର୍ଣ୍ଣ ପ୍ରାୟେକ ତୋ ତନୁ ଦିଶଇ ।
ଶରଦ ପୂର୍ଣିମା ପ୍ରାୟ ମୁଖ ବିକାଶଇ ॥
ବଧୁକ ଓଷ୍ଠ ତୋହର ନୟନ ହରିଣୀ ।
କି ଅବା ତୁ ଲକ୍ଷ୍ମୀଦେବୀ ଶ୍ରୀରାମ-ଘରଣୀ ॥
ଅଟୁ ତୁହି ସଦାଶିବ-ବାମା କି ଗଉରୀ ।
ଇନ୍ଦ୍ରର ଶଚୀ ନୋହଇ ତୋତେ ରୂପେ ସରି ॥